ବାରବାଟୀରେ ବିଜୟ ସହିତ ୨-୧ରେ ଶୃଙ୍ଖଳା ହାତେଇଲା ଭାରତ, ସଂକଟମୋଚକ ସାଜିଲେ ଜଦେଜା-ଶାର୍ଦ୍ଦୁଲ

କଟକ:  ବାରବାଟୀ ଷ୍ଟାଡିୟମରେ ଆୟୋଜକ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଅନୁଷ୍ଠିତ ଏକଦିବସୀୟ ଶୃଙ୍ଖଳାର ତୃତୀୟ ତଥା ଶେଷ ମ୍ୟାଚ୍‌ରେ ଭାରତ ୪ ଓ୍ଵିକେଟ୍‌ରେ ବିଜୟୀ ହୋଇଛି।  ୩୧୬ ରନ୍‌ ବିଜୟ ଲକ୍ଷ୍ୟ ନେଇ ଭାରତ ବ୍ୟାଟିଂ ଆରମ୍ଭ କରି ୪୮.୪ ଓଭରରେ ୬ ଓ୍ଵିକେଟ ହରାଇ ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଓ ଶାର୍ଦ୍ଦୁଳ ଠାକୁର ସଂକଟମୋଚକ ସାଜିଛନ୍ତି। ଜାଦେଜାଙ୍କ ଅପରାଜିତ ୩୯ ରନ୍‌ ଓ ଶାର୍ଦ୍ଦୁଲଙ୍କ ଅପରାଜିତ ୧୭ ରନ୍‌ ଭାରତକୁ ଏକ ସଂକଟରୁ ଉଦ୍ଧାର କରି ବିଜୟୀ କରିଛି। ରବୀନ୍ଦ୍ର ଜାଦେଜା ଓ ଶାର୍ଦ୍ଦୁଳ ଠାକୁର ଆଜି  କ୍ରିକେଟ ପ୍ରଶଂସକ ଓ ଦର୍ଶକଙ୍କ ହୃଦୟ ଜିଣି ପାରିଛନ୍ତି। ଭାରତ ବାରବାଟୀ ଦିନିକିଆ ସମେତ ଶୃଙ୍ଖଳାକୁ ୨-୧ରେ ଜିତିଛି। ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଦିନିକିଆରେ ବିଶାଖାପାଟଣାରେ ବିଜୟୀ ହୋଇଥିବା ବେଳେ ଚେନ୍ନାଇରେ ଅନୁଷ୍ଠିତ ପ୍ରଥମ ଦିନିକିଆକୁ ୱେଷ୍ଟଇଣ୍ଡିଜ୍‌ ଜିତିଥିଲା।

ଆଜି କଟକ ବାରବାଟୀରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ଭାରତ । ବ୍ୟାଟିଂ ଆମନ୍ତ୍ରଣ ପାଇ ପଡିଆକୁ ଓହ୍ଲାଇଥିବା ୱେଷ୍ଟଇଣ୍ଡିଜ ପ୍ରଥମରୁ ଧିମା ବ୍ୟାଟିଂ ଆରମ୍ଭ କରିଥିଲା । କିନ୍ତୁ ପରେ ପରେ ବାରବାଟୀରେ ହୋଇଥିଲା ଛକା ଚୌକାର ବର୍ଷା । ନିକୋଲାସ ପୂରନ ଏବଂ ଅଧିନାୟକ କିରଣ ପୋଲାର୍ଡଙ୍କ ରୋମାଞ୍ଚକର ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ୱିକେଟ ହରାଇ ୩୧୫ ରନ୍ କରିବାକୁ ସକ୍ଷମ ହୋଇଥିଲା ୱେଷ୍ଟଇଣ୍ଡିଜ ।

ୱେଷ୍ଟଇଣ୍ଡିଜ ପକ୍ଷରୁ ଇଭିନ୍ ଲୁଇସ୍ ୨୧, ଶାଇ ହୋପ୍ ୪୨, ରୋଷ୍ଟନ ଚେଜ୍ ୩୮, ନିକୋଲାସ ପୂରନ ୮୯, ଶିମରନ୍ ହେଟମେୟର ୩୭ ଏବଂ ଅଧିନାୟକ କିରଣ ପୋଲାର୍ଡ ୭୪ ରନ୍ କରିଥିଲେ । ସେହିପରି ଭାରତ ପକ୍ଷରୁ ନବଦୀପ ସଇନି ୨ଟି ଓ୍ୱିକେଟ୍ ନେଇଥିବା ବେଳେ ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସାମି ଏବଂ ରବିନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ଭାରତ ବ୍ୟାଟିଂ ଳାଗି ପଡ଼ିଆକୁ  ଓହ୍ଲାଇବା ପରେ  ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏବଂ ଲୋକେଶ ରାହୁଲ ଧୈର୍ଯ୍ୟପୂର୍ଣ୍ଣ ଭାବେ ବ୍ୟାଟିଂ କରିଥିଲେ । ରୋହିତ ଶର୍ମା (୬୩), ଲୋକେଶ ରାହୁଲ (୭୭) ରନ୍ କରି ଆଉଟ୍ ହୋଇଥିଲେ । ଏହା ପରେ ପରେ ଋଷଭ ପନ୍ଥ, କେଦାର ଯାଦବ ଏବଂ ଶ୍ରେୟସ ଆୟର ଦୁଇ ଅଙ୍କ ଛୁଇଁବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଯାଇଥିଲେ । ତେବେ ଅଧିନାୟକ ବିରାଟ କୋହଲିଙ୍କ ସହ ମିଶି ଦଳର ସ୍କୋରକୁ ଆଗକୁ ବଢାଇଥିଲେ ରବିନ୍ଦ୍ର ଜାଡେଜା । ମାତ୍ର ୮୫ ରନ୍ କରିଥିବା ବେଳେ ଅଧିନାୟକ ବିରାଟ କୋହଲି ଆଉଟ୍ ହୋଇଯାଇଥିଲେ। ହଠାତ ସଂକଟଜନକ ପରିସ୍ଥିତି ଭିତରକୁ ଠେଲି ହୋଇ ଯାଇଥିଲା ବିଜୟ ସ୍ଥିତି। ରବିନ୍ଦ୍ର ଜାଡେଜାଙ୍କ ସହ ଯୋଗ ଦେଇ ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁର ବିସ୍ଫୋରକ ବ୍ୟାଟିଂ କରି ବିଜୟ ପଥ ପରିଷ୍କାର କରିଥିଲେ। ଅଧିନାୟକ ବିରାଟ କୋହଲିଙ୍କ ଦମଦାର (୮୫) ରନ୍, ଜାଡେଜାଙ୍କ (୩୯) ରନ୍ ଏବଂ ଶେଷରେ ଶାର୍ଦ୍ଦୁଲ ଠାକୁରଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ୧୦ଟି ବଲ ବାକି ଥାଇ ୪ ୱିକେଟରେ ବାଜି ମାରିନେଲା ଟିମ୍ ଇଣ୍ଡିଆ ।

 

ସମ୍ବନ୍ଧିତ ଖବର