ଭୁବନେଶ୍ବର: ଭାରତୀୟ ଜନସାଧାରଣଙ୍କ ମଧ୍ୟରୁ ତିନି ଚତୁର୍ଥାଂଶ ଚିନ୍ତା କରିଥାନ୍ତି ସେମାନଙ୍କ ଜୀବନରେ କ୍ରୀଡ଼ାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ମାତ୍ର ୩୬ ପ୍ରତିଶତ ଭାରତୀୟ କୌଣସି ନା କୌଣସି ଖେଳ କିମ୍ବା ଶାରୀରିକ କାର୍ଯ୍ୟକ୍ରମରେ ଲିପ୍ତ ରହିଥାନ୍ତି। ବିଶ୍ବସ୍ତରୀୟ ଗଣମାଧ୍ୟମ ସଂସ୍ଥା ବିବିସି ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଏହା ପ୍ରମାଣିତ ହୋଇଛି। ଏହାକୁ ଲିଙ୍ଗଗତ ପ୍ରଭେଦ ସ୍ତରକୁ ଆଣିଲେ ନାଟକୀୟ ଫରକ ଦେଖିବାକୁ ମିଳିଛି। ପୁରୁଷଙ୍କ ମଧ୍ୟରୁ ୪୨ ପ୍ରତିଶତ ଏବଂ ମହିଳାଙ୍କ ମଧ୍ୟରୁ ୨୯ ପ୍ରତିଶତ କୌଣସି ନା କୌଣସି ଖେଳରେ ସାମିଲ ହୋଇଥାନ୍ତି। ମୋଟ ଉପରେ ୧୫ରୁ ୨୪ ବର୍ଷ ବୟସର ବ୍ୟକ୍ତି ଅଧିକାଂଶ ଖେଳ ଖେଳିଥାନ୍ତି। ଏହି ଗବେଷଣାରୁ ମଧ୍ୟ ଜଣାପଡ଼ିଛି ୫୪ ପ୍ରତିଶତ ଅବିବାହିତ ଖେଳିଥାନ୍ତି। ବିବାହିତ ଓ ବିଛେଦପ୍ରାପ୍ତଙ୍କ ମଧ୍ୟରୁ ୩୦ ପ୍ରତିଶତ ଖେଳିଥାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମହିଳାଙ୍କ ପ୍ରତି ମନୋଭାବ
ଏହି ନୂଆ ଅନୁଧ୍ୟାନରୁ ଏ କଥା ମଧ୍ୟ ସୂଚନା ମିଳିଛି ଯେ ୪୧ ପ୍ରତିଶତଙ୍କ ବିଶ୍ବାସ ପୁରୁଷଙ୍କ ଭଳି ମହିଳା ମଧ୍ୟ କ୍ରୀଡ଼ା କ୍ଷେତ୍ରରେ ଭଲ। କିନ୍ତୁ ଏକ ତୃତୀୟାଂଶ ବିଶ୍ବାସ କରନ୍ତି, ପୁରୁଷ କ୍ରୀଡ଼ାବିତ୍ଙ୍କ ଭଳି ମହିଳା କ୍ରୀଡ଼ାବିତ୍ ସେତେ ଭଲ ନୁହଁନ୍ତି। ୩୭ ଉତ୍ତରଦାତ୍ତା କହିଛନ୍ତି, ମହିଳା କ୍ରୀଡ଼ାବିତ୍ ଯଥେଷ୍ଟ ମହିଳା ନୁହଁନ୍ତି। ୩୮ ପ୍ରତିଶତଙ୍କ ମତ ପୁରୁଷଙ୍କ ଭଳି ମହିଳାଙ୍କ ଖେଳ ସେତେଟା ମନୋରଂଜନ ଦେଇନଥାଏ। ପୁରସ୍କାର ରାଶି ପ୍ରସଙ୍ଗ ଆସିବା ବେଳକୁ କିନ୍ତୁ ୮୫ ପ୍ରତିଶତ କହିଛନ୍ତି ଉଭୟ ପୁରୁଷ ଓ ମହିଳା ସମାନ ରାଶି ପାଇବା ଉଚିତ୍। ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ଏକ ତୃତୀୟାଂଶଙ୍କ ବିଶ୍ବାସ ଗୋଟିଏ କିମ୍ବା ତଦୁର୍ଧ୍ବ ଖେଳ ମହିଳାଙ୍କ ପାଇଁ ସୁହାଏ ନାହିଁ। ଏହାର ୩ ପ୍ରମୁଖ କାରଣ ହେଉଛି (୧) ମହିଳାଙ୍କ ପାଇଁ ଏହା ସୁରକ୍ଷିତ ନୁହେଁ (୨) ୨୯ ପ୍ରତିଶତଙ୍କ ବିଶ୍ବାସ ଏହି ଖେଳ ଲାଗି ସେମାନେ ସେତେଟା ଦୃଢ଼ ନୁହଁନ୍ତି (୩) ମହିଳାମାନେ ମାସ ସାରା ଖେଳିପାରିନଥାନ୍ତି। ‘‘ଆମ ଗବେଷଣାରୁ ଏହା ପ୍ରମାଣିତ ହୋଇଛି ଭାରତରେ ମହିଳା କ୍ରୀଡ଼ାବିତ୍ ଏବଂ କ୍ରୀଡ଼ାରେ ମହିଳାଙ୍କ ପ୍ରତି ଥିବା ଧାରଣା ଜଟିଳ, ବିରୋଧୀ ମତ ଓ ପ୍ରତିକୂଳ ପରିବେଶ ଥାଏ’ ବୋଲି କହିଛନ୍ତି ବିସିସିର ଅଡିଏନ୍ସ ଗବେଷଣା ମୁଖ୍ୟ ସାନ୍ତନୁ ଚକ୍ରବର୍ତ୍ତୀ। ଲିଙ୍ଗଗତ ସମାନତା ନେଇ ଥିବା ସାଧାରଣ ଧାରଣାଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ। କିନ୍ତୁ ବିଭିନ୍ନ ରାଜ୍ୟ ଦେଖିଲେ ଏଥିରେ ଭିନ୍ନତା ରହିଛି।
ସଚିନ, ସାନିଆ ଲୋକପ୍ରିୟ
ଅନୁଧ୍ୟାନରେ ଭାଗ ନେଇଥିବା ଉତ୍ତରଦାତାଙ୍କ ମଧ୍ୟରୁ ୭୪ ପ୍ରତିଶତ ଜଣେ ହେଲେ ଭାରତୀୟ ଅନ୍ତର୍ଜାତୀୟ ପୁରୁଷ ଖେଳାଳିଙ୍କ ନାମ କହିପାରିନଥିଲେ। ସେହିଭଳି ୮୦ ପ୍ରତିଶତ ଜଣେ ହେଲେ ଭାରତୀୟ ଅନ୍ତର୍ଜାତୀୟ ମହିଳା ଖେଳାଳିଙ୍କ ନାମ ନେଇପାରିନଥିଲେ। ଭାରତୀୟ ପୁରୁଷ କ୍ରୀଡ଼ାବିତ୍ଙ୍କ ମଧ୍ୟରେ ସଚିନ ତେନ୍ଦୁଲକର (୨୧ ପ୍ରତିଶତ) ଏବଂ ମହିଳାଙ୍କ ମଧ୍ୟରେ ସାନିଆ ମିର୍ଜା (୧୮ ପ୍ରତିଶତ) ଲୋକପ୍ରିୟ ଥିବା ସେମାନଙ୍କ ମତରୁ ଜଣାପଡ଼ିଥିଲା।
ଖେଳ ପାଇଁ ମହିଳା ‘ଅନୁପଯୁକ୍ତ’
ଭାରତରେ ଉଭୟ ପୁରୁଷ ଓ ମହିଳା ମାନନ୍ତି ଖେଳ ସେମାନଙ୍କ ପାଇଁ ଗୁରୁ୍ତ୍ବପୂର୍ଣ୍ଣ। ତଥାପି କିଛି ଖେଳ ମହିଳାଙ୍କ ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ। ଏହି ଖେଳରେ ରହିଛି-ମୁଷ୍ଟିଯୁଦ୍ଧ, ଭାରୋତ୍ତୋଳନ, କୁସ୍ତି, କବାଡ଼ି ଏବଂ ମୋଟୋରସ୍ପୋର୍ଟସ।
କ୍ରିକେଟ୍ରେ ବଡ଼ ବ୍ୟବଧାନ
କ୍ରିକେଟ୍ ଭାରତରେ ସବୁଠୁ ଲୋକପ୍ରିୟ ଖେଳ। କିନ୍ତୁ ଏହି ଖେଳ ମଧ୍ୟରେ ଦେଶରେ ଲିଙ୍ଗଗତ ପ୍ରଭେଦରେ ବଡ଼ ବ୍ୟବଧାନ ରହିଛି। ପୁରୁଷଙ୍କ ୨୫ ପ୍ରତିଶତ ତୁଳନାରେ ୧୫ ପ୍ରତିଶତ ଭାରତୀୟ ମହିଳା କ୍ରିକେଟ୍ ଖେଳନ୍ତି। କବାଡ଼ିରେ କିନ୍ତୁ ଏହି ପ୍ରଭେଦ କମ୍ ରହିଛି। ଏହି ପାରମ୍ପରିକ ଖେଳରେ ୧୫ ପ୍ରତିଶତ ଭାରତୀୟ ପୁରୁଷ ଏବଂ ୧୧ ପ୍ରତିଶତ ମହିଳା ଖେଳିଥାନ୍ତି।
ତାମିଲନାଡୁ ଓ ମହାରାଷ୍ଟ୍ର କ୍ରୀଡ଼ାରାଜ୍ୟ
ବିବିସି ଅନୁଧ୍ୟାନରୁ ସ୍ପଷ୍ଟ ପ୍ରମାଣ ମିଳିଛି ବିଭିନ୍ନ ରାଜ୍ୟରେ କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କ ପାଇଁ ଅଲଗା ଅଲଗା ପରିବେଶ ରହିଛି। କ୍ରୀଡ଼ା ଓ ଶାରୀରିକ କାର୍ଯ୍ୟକ୍ରମ ଅଂଶଗ୍ରହଣରେ ବଡ଼ ଫରକ ରହିଛି। ଅଂଶଗ୍ରହଣରେ ଦକ୍ଷିଣ ରାଜ୍ୟ ତାମିଲନାଡୁ (୫୪%) ଏବଂ ପଶ୍ଚିମାଞ୍ଚଳ ରାଜ୍ୟ ମହାରାଷ୍ଟ୍ର (୫୩%) ଆଗରେ ରହିଛନ୍ତି। ପଞ୍ଜାବ ଏବଂ ହରିଆଣା ଭଳି ରାଜ୍ୟରେ ମାତ୍ର ୧୫ ପ୍ରତିଶତ ଲୋକ ଖେଳରେ ସମ୍ପୃକ୍ତ ହୋଇଥାନ୍ତି।
ମହିଳା କ୍ରୀଡ଼ା ଉପଭୋକ୍ତା
ମହିଳା କ୍ରୀଡ଼ା କଥା ଆସିଲେ ଭାରତ ଜନସଂଖ୍ୟାର ୩୪ ପ୍ରତିଶତ ଖେଳ ଖବରର ଉପଭୋକ୍ତା। ୧୮ ପ୍ରତିଶତ ମହିଳା କ୍ରୀଡ଼ାବିତ୍ଙ୍କ ଖେଳ ଦେଖିଥାନ୍ତି। ପୁରୁଷ କ୍ରୀଡ଼ାବିତ୍ଙ୍କ ଖେଳକୁ ୨୪ ପ୍ରତିଶତ ମହିଳା ଦେଖନ୍ତି। ଅଧିକାଂଶ ମହିଳା ଟେଲିଭିଜନ ଓ କ୍ରୀଡ଼ା ଚାନେଲରୁ ଏହାକୁ ଦେଖିଥାନ୍ତି, ଇଣ୍ଟରନେଟ୍ରୁ ନୁହେଁ। ୨୦୧୯ ମସିହାର ଦ୍ବିତୀୟାର୍ଧରେ ୪୨ ପ୍ରତିଶତ ପ୍ରଥମ ଥର ଖେଳ ଦେଖିଥିଲେ। ୨୦୧୮ ତୁଳନାରେ ଏବେ ମହିଳାଙ୍କ କ୍ରୀଡ଼ାର ଅଧିକ ପ୍ରସାରଣ ହେଉଛି ବୋଲି ସେମାନେ ମତ ରଖିଛନ୍ତି। ଟି-୨୦ ଚାଲେଞ୍ଜ୍ ଦେଶରେ ସବୁଠାରୁ ବଡ଼ ମହିଳା କ୍ରୀଡ଼ା ଇଭେଣ୍ଟ୍ ବୋଲି ଦାବି କରାଯାଇଛି।
ସ୍କୁଲ୍ ଜୀବନ ପରେ ଖେଳ ଛାଡୁଛନ୍ତି
ଭାରତରେ ବର୍ତମାନ ୬୪ ପ୍ରତିଶତ ଲୋକ ଖେଳକୁଦ ଓ ଶାରୀରିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁନାହାନ୍ତି। କିନ୍ତୁ ୬୯ ପ୍ରତିଶତ ଲୋକ ନିଜର ସ୍କୁଲ୍ ଜୀବନ କିମ୍ବା ପଡ଼ୋଶୀଙ୍କ ସହ କିଛି ନା କିଛି ଖେଳ ଖେଳିଥାନ୍ତି। ଅର୍ଥାତ ସ୍କୁଲ୍ ଜୀବନ ଏବଂ ଯୁବାବସ୍ଥା ପରେ କ୍ରୀଡ଼ାରେ ଅଂଶଗ୍ରହଣ ନାଟକୀୟ ଭାବେ ହ୍ରାସ ପାଇଥାଏ ବୋଲି ପ୍ରମାଣିତ ହୋଇଛି।
ଅନୁଧ୍ୟାନରେ ୧୦,୧୮୧
ବିବିସି ପକ୍ଷରୁ ବିଶ୍ବ ମହିଳା ଦିବସ (ମାର୍ଚ ୮)ର ଅବ୍ୟବହିତ ପୂର୍ବରୁ ଦେଶବ୍ୟାପୀ ହୋଇଥିବା ଅନୁଧ୍ୟାନରେ ୧୪ ରାଜ୍ୟରୁ ମୋଟ ୧୦,୧୮୧ ଜଣ ସାମିଲ ହୋଇଥିଲେ। ସହରାଞ୍ଚଳ ଓ ଗ୍ରାମାଞ୍ଚଳର ୧୫ ବର୍ଷରୁ କମ୍ ବୟସର ଲୋକଙ୍କୁ ବିଭିନ୍ନ ପ୍ରକ୍ରିୟାରେ ଜଡ଼ିତ କରାଯାଇଥିଲା। ପ୍ରଶ୍ନଉତ୍ତର, ମତାମତ ଓ ସାକ୍ଷାତକାର ଆଦିରେ ସଭିଏଁ ସାମିଲ ରହିଥିଲେ। ଓଡ଼ିଶାର ସହରାଞ୍ଚଳରୁ ୨୮୯ ଏବଂ ଗ୍ରାମାଞ୍ଚଳରୁ ୩୬୦ ଜଣଙ୍କୁ ନେଇ ମୋଟ ୬୪୯ ଜଣ ମଧ୍ୟ ନିଜ ମତ ରଖିଥିଲେ।