ଯଦୁପୁର କପ୍‌ ସେମିରେ କିଶୋର କ୍ଲବ୍‌

ଭୁବନେଶ୍ବର: ଭୁବନେଶ୍ବରର କିଶୋର କ୍ଲବ୍‌ ୫-୪ ଟ୍ରାଇବ୍ରେକର୍‌ରେ ଗଣ୍ଡରପୁରର ୟୁନାଇଟେଡ୍‌ କ୍ଲବ୍‌କୁ ପରାସ୍ତ କରି ଶେଷ ଦଳ ଭାବେ ୩୦ତମ ଯଦୁପୁର କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ପ୍ରବେଶ କରିଛି। ଯଦୁପୁର ଫ୍ରେଣ୍ଡ୍‌ସ କ୍ଲବ୍‌ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ରବିବାର ଶେଷ କ୍ବାର୍ଟର୍‌ ଫାଇନାଲ୍‌ ମ୍ୟାଚ୍‌ କଡ଼ା ସଂଘର୍ଷମୟ ହୋଇଥିଲା। ନିର୍ଧାରିତ ସମୟରେ ମ୍ୟାଚ୍‌ ୧-୧ ଗୋଲ୍‌ରେ ଅମୀମାଂସିତ ରହିବାରୁ ଫଳାଫଳ ଲାଗି ଟ୍ରାଇବ୍ରେକର୍‌ର ସହଯୋଗ ନିଆଯାଇଥିଲା। ପ୍ରଥମାର୍ଧରେ ପପୁ ମାଝିଙ୍କ ଗୋଲ୍‌ରେ ଭୁବନେଶ୍ବର ଦଳ ଆଗୁଆ ହୋଇଥିଲା। ‌ହେଲେ ଦ୍ବିତୀୟାର୍ଧରେ ଗନ୍ଦରପୁର ପକ୍ଷରୁ ଜଗନ୍ନାଥ ବାରିକ (୫୨ ମିନିଟ୍‌) ଏହି ଗୋଲ୍‌ଟି ଶୁଝି ଦେଇଥିଲେ। ‌କିଶୋର କ୍ଲବ୍‌ର ଗୋଲ୍‌ରକ୍ଷକ ଅନିଲ ଜେନା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ରାଜ୍ୟ ଯୁବ କଂଗ୍ରେସ ସଭାପତି  ଲୋକନାଥ ମହାରଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସୋମବାର ଦ୍ବିତୀୟ ସେମିଫାଇନାଲ୍‌ରେ ଭୁବନେଶ୍ବରର କିଶୋର କ୍ଲବ୍‌ ଏବଂ କଟକ ସାଇ ହଷ୍ଟେଲ ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର