ଭାରତ-ପାକିସ୍ତାନ ମ୍ୟାଚ୍‌ ହେଉ କିନ୍ତୁ ଶେଷ ନିଷ୍ପତ୍ତି ସରକାରଙ୍କର: ଖାନ୍ନା

ବାରବାଟୀରେ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଦେଖିଲେ ବିସିସିଆଇ ସଭାପତି

କଟକ: ପୁଲଵାମାରେ ଭାରତୀୟ ଯବାନଙ୍କ ଉପରକୁ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଆନ୍ତର୍ଜାତିକ କ୍ରିକେଟ୍‌ ମ୍ୟାଚ୍‌ ଖେଳାଯିବାକୁ ନେଇ ବିଭନ୍ନ ପ୍ରଶ୍ନ ଉଠୁଛି। ଯଦି ବିଶ୍ବକପ୍‌ରେ ଭାରତ ମ୍ୟାଚ୍‌ ଖେଳିବାକୁ ଅରାଜି ହୁଏ, ତାହେଲେ ପାକିସ୍ଥାନ ଏହାର ଫାଇଦା ଉଠାଇବ। ଏବେ ଭାରତୀୟ ଦଳ ଯେଉଁ ସ୍ଥିତିରେ ଅଛି, ବିଶ୍ବକପ୍‌ରେ ନିଶ୍ଚିତ ବିଜେତା ହେବା ସମ୍ଭାବନା ଅଧିକ। ହେଲେ ଭାରତ ମ୍ୟାଚ୍‌ ନ ଖେଳିଲେ ପାକିସ୍ତାନକୁ ଏହି ସୁଯୋଗ ମିଳିଯିବା ଆଶଙ୍କା ରହିଛି। ତେଣୁ ଉଭୟ ଦଳଙ୍କ ମଧ୍ୟରେ ମ୍ୟାଚ୍‌ ହେଉ। ତଥାପି କେନ୍ଦ୍ର ସରକାରଙ୍କ ଉପରେ ଶେଷ ନିଷ୍ପତ୍ତି ଛାଡ଼ି ଦିଆଯାଇଛି। ଯଦି ସରକାର ମ୍ୟାଚ୍‌ ଖେଳିବାକୁ ମନା କରିବେ, ତାହେଲେ ଆମେ ସମ୍ମାନ ଦେବୁ। ତେଣୁ ସରକାରଙ୍କ ଉପରେ ସବୁକିଛି ନିର୍ଭର କରୁଛି ବୋଲି ବିସିସିଆଇର କାମଚଳା ସଭାପତି ସିକେ ଖାନ୍ନା କହିଛନ୍ତି। ବାରବାଟୀ ଷ୍ଟାଡିୟମରେ ଚାଲିଥିବା ସୟଦ ମୁସ୍ତାକ ଅଲ୍ଲୀ ଟ୍ବେଣ୍ଟି-୨୦ କ୍ରିକେଟ୍‌ ଦେଖିବା ପାଇଁ ଖାନ୍ନା ଏଠାକୁ ଆସିଥିଲେ। ପତ୍ନୀ ଓ ଝିଅ ସହିତ ମ୍ୟାଚ୍‌ଗୁଡ଼ିକୁ ଉପଭୋଗ କରିବା ସହିତ ସହିଦ ଯବାନଙ୍କ ପ୍ରତି ବିସିସିଆଇର ଦେଶପ୍ରେମକୁ ମଧ୍ୟ ସେ ବଖାଣିଥିଲେ। ପ୍ରତ୍ୟେକ ସହିଦ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଆଇପିଏଲ୍‌ର ଉଦ୍‌ଘାଟନୀ ସମାରୋହକୁ ବାତିଲ କରିଦିଆଯାଇଛି। ଏଥିପାଇଁ ଯେଉଁ ବ୍ୟୟ ଅଟକଳ ଯୋଜନା ରହିଥିଲା ଏବ˚ ଆୟର ପରିମାଣକୁ ସହିଦଙ୍କ ପରିବାରବର୍ଗଙ୍କୁ ଉତ୍ସର୍ଗ କରିଦିଆଯିବ। ସହିଦମାନଙ୍କ ପରିବାରକୁ ପାଖାପାଖି ୫ କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ। ସିଓଏର ଏଭଳି ନିଷ୍ପତ୍ତି ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ ବୋଲି ସେ କହିଛନ୍ତି।

ବିସିସିଆଇ ଓ ରାଜ୍ୟ ସ˚ଘମାନଙ୍କର ନିର୍ବାଚନ ଓ ସମ୍ବିଧାନ ବିଷୟରେ କିଛି କହିବାକୁ ସେ ମନା କରିଦେଇଛନ୍ତି। ବର୍ତ୍ତମାନ ମାମଲା ବିଚାରାଧୀନ ଥିବାରୁ ସର୍ବୋଚ୍ଚ ନ୍ୟାୟାଳୟ ଯାହା ନିଷ୍ପତ୍ତି ନେବେ, ତାହା ପାଳନ କରାଯିବ। କିନ୍ତୁ ବର୍ତ୍ତମାନ ରାଜ୍ୟ ସ˚ଘ ଆର୍ଥିକ ସଙ୍କଟ ଭିତରେ ଗତି କରୁଥିବାରୁ ସବୁ ସମସ୍ୟା ଉପରେ ସ˚ଘଗୁଡ଼ିକ ସିଓଏକୁ ଲେଖିପାରିବେ। ଆମିକସ୍‌ କ୍ୟୁରିଙ୍କ ସହିତ ଆଲୋଚନା ଏବ˚ ଆଇନଗଗତ ଦିଗକୁ ବିଚାର କରାଯାଇ ପାଣ୍ଠି ଯୋଗାଯାଇପାରେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବାରବାଟୀ ଷ୍ଟାଡିୟମରେ ଆଗକୁ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ଆୟୋଜନ କରାଯିବାରେ କୌଣସି ସମସ୍ୟା ନଥିବା ପ୍ରତିକ୍ରିୟା ଦେଇଛନ୍ତି। ଏଠାକୁ ସେ ପ୍ରଥମ ଥର ଆସିଥିଲା ବେଳେ ଷ୍ଟାଡିୟମର ପରିବେଶ ଓ ସୁବିଧା ସୁଯୋଗ ଦେଖି ସନ୍ତୋଷ ବ୍ୟକ୍ତ କରିଛନ୍ତି। ପୂର୍ବରୁ ମଧ୍ୟ ଏଠାରେ ଅନେକ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳାଯାଇଛି। ତେଣୁ ଆଗକୁ ଏଠି ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ କରାଯିବାରେ କୌଣସି ସମସ୍ୟା ହେବ ନାହିଁ। ଆମକୁ ସକରାତ୍ମକ ଭାବେ ଆଗେଇବାକୁ ପଡ଼ିବ ବୋଲି ଖାନ୍ନା କହିଛନ୍ତି। ରବିବାର ବିସିସିଆଇ ସଭାପତିଙ୍କ ବାରବାଟୀ ଷ୍ଟାଡିୟମ ଆଗମନ ବେଳେ ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଦ୍ୟୁତ କୁମାର ନାୟକ ତାଙ୍କୁ ସମ୍ବର୍ଧନା ଦେଇଥିଲେ।

ସମ୍ବନ୍ଧିତ ଖବର