କୋଚ୍‌ଙ୍କୁ ବାହାହେଲେ ଟେନିସ୍ କୁଇନ୍ କ୍ବିତୋଭା

ପ୍ରାଗ୍: ଦୁଇ ଥର ୱିମ୍ବଲଡନ୍ ଓପନ୍ ବିଜୟିନୀ ତଥା ଚେକ୍ ରିପବ୍ଲିକ୍‌ର ‌ଟେନିସ୍ କୁଇନ୍ ପେଟ୍ରା କ୍ବିତୋଭା ଦୀର୍ଘ ଦିନର ପ୍ରେମୀ ତଥା ପ୍ରଶିକ୍ଷକ ଜିରି ଭାନେକଙ୍କୁ ଜୀବନ ସାଥୀ ଭାବେ ବାଛିଛନ୍ତି। ଚେକ୍ ରିପବ୍ଲିକ୍‌ର ରାଜଧାନୀ ପ୍ରାଗ୍‌ ଉପକଣ୍ଠରେ ଥିବା ଏକ ବିଳାଶପୂର୍ଣ୍ଣ ରିସୋର୍ଟରେ ଆୟୋଜିତ ଏକ ଅଣଆଡ଼ମ୍ବରପୂର୍ଣ୍ଣ ଉତ୍ସବରେ ଉଭୟ ଉଭୟଙ୍କୁ ଜୀବନସାଥୀ ଭାବେ ବାଛିଛନ୍ତି। ବିବାହ ଉତ୍ସବରେ ବର ଓ କନ୍ୟାଙ୍କ ବ୍ୟତୀତ କେବଳ ନିକଟତମ ବନ୍ଧୁ ଓ ପରିବାରବର୍ଗ ଯୋଗ ଦେଇଥିଲେ। ନିକଟରେ ୱିମ୍ବଲଡନ୍ ଓପନ୍ ମହିଳା ଯୁଗଳ ଟ୍ରଫି ଜିତିଥିବା ତଥା କ୍ବିତୋଭାଙ୍କ ପିଲାଦିନର ବାନ୍ଧବୀ ବାର୍ବରା ଷ୍ଟ୍ରାଇକୋଭାଙ୍କ ଉପସ୍ଥିତି ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲା। ବିବାହ ବିଷୟରେ କିନ୍ତୁ ଗଣମାଧ୍ୟମକୁ କୌଣସି ପ୍ରାକ୍ ସୂଚନା ଦିଆଯାଇ ନଥିଲା।

ଶନିବାର ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ବିବାହ ବେଳର ମନଲୋଭା ଫଟୋ ପ୍ରକାଶ କରି ଭାନେକଙ୍କୁ ସ୍ବାମୀ ରୂପେ ଗ୍ରହଣ କରିଥିବା କ୍ବି‌ତୋଭା ଘୋଷଣା କରିଥିଲେ। ଏଥିରେ କ୍ବିତୋଭା ଧବଳ ରଙ୍ଗର ବିବାହ ପୋଷାକ ପିନ୍ଧି ବହୁତ ସୁନ୍ଦର ଦେଖା ଯାଉଥିବା ବେଳେ ଭାନେକ ନୀଳ ରଙ୍ଗର ସୁଟ୍ ପିନ୍ଧି ଆକର୍ଷଣୀୟ ଲାଗୁଛନ୍ତି। ଫଟୋଟି ତଳେ କ୍ବିତୋଭା ନିଜ ବିବାହ ତାରିଖକୁ ଦର୍ଶାଇ ‘ମିଷ୍ଟର ଆଣ୍ଡ ମିଷ୍ଟ୍ରେସ୍. ୨୨.୭.୨୦୨୩’ ବୋଲି ଲେଖିଛନ୍ତି। ସୂଚନାଯୋଗ୍ୟ ଯେ କ୍ବିତୋଭା ଓ ଭାନେକ ୨୦୧୬ ମସିହାରେ ପରସ୍ପରକୁ ଭେଟିଥିଲେ। ଏହା ପରେ ପରସ୍ପରର ପ୍ରେମରେ ପଡ଼ିଯାଇଥିଲେ। ଗତବର୍ଷର ୱିମ୍ବଲଡନ୍ ଓପନ୍ ଅବସରରେ ଦୁଇ ଜଣ ଯାକ ନିର୍ବନ୍ଧ କରି ନେଇଥିଲେ। ପାଖାପାଖି ବର୍ଷକ ପରେ ଉଭୟ ଏବେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ସମ୍ବନ୍ଧିତ ଖବର