ପାର୍ଟି ନା ମାଟି; ଆଗରେ କିଏ?

ମଞ୍ଜ କଥା - ଭବାନୀ ଶଙ୍କର ତ୍ରିପାଠୀ

ଯାବତୀୟ ଦାଓପେଞ୍ଚ ପରେ ମଧ୍ୟ କିଛି ରାଜ୍ୟରେ ଆଞ୍ଚଳିକ ଦଳର ପତିଆରା ଅପରିବର୍ତ୍ତିତ ରହିବା ଦୁଇ ପ୍ରମୁଖ ଜାତୀୟ ଦଳ ବିଜେପି ଓ କଂଗ୍ରେସ ପାଇଁ ଚିନ୍ତାର କାରଣ ପାଲଟିଛି। ଉଭୟ ବୁଝିସାରିଛନ୍ତି ଯେ ସେମାନଙ୍କ ନିଜ ଶକ୍ତି ୨୦୨୪ ନିର୍ବାଚନ ବୈତରଣୀ ପାର କରିବା ପାଇଁ ନିଅଣ୍ଟ। ବିଶ୍ବର ସର୍ବବୃହତ୍ ରାଜନୈତିକ ଦଳ ବୋଲି ଦାବି କରୁଥିବା ବିଜେପି ସ୍ଥିତି ଯାହା, ଦଶବର୍ଷ କ୍ଷମତା ବାହାରେ ଥିବା କଂଗ୍ରେସ ସ୍ଥିତି ତା’ ଚାହିଁ ଅଧିକ ଗମ୍ଭୀର।
ନିଜ ଭିତର ଦ୍ବନ୍ଦ୍ବ ଦୂର କରିବା ଲାଗି ପୁରୁଣା ୟୁନାଇଟେଡ୍ ପୋଗ୍ରେସିଭ୍ ଆଲାଏନ୍ସ (ୟୁପିଏ ବା ଉପା) ଭାଙ୍ଗି କଂଗ୍ରେସ ସମେତ ୨୬ଟି ରାଜନୈତିକ ଦଳ ଆଇଏନ୍‌ଡିଆଇଏ ଗଠନ କରିଛନ୍ତି। ଏହାର କିଛି ମୂହୂର୍ତ ପରେ ବିଜେପି ନେତୃତ୍ବରେ ୩୮ଟି ଦଳ ତତ୍କାଳ ବୈଠକ କରିବା ସୂଚାଉଛି ଯେ ୨୫ବର୍ଷ ବୟସ୍କ ଏନ୍‌଼ିଡିଏ ପୂର୍ବାପେକ୍ଷା ଦୁର୍ବଳ। ତଥାପି ଏହି ୬୪ ରାଜନୈତିକ ଦଳ ବାଦ୍ ଆଉ କିଛି ଦଳ ଏନ୍‌ଡିଏ ଏବଂ ଆଇଏନ୍‌ଡିଆଇଏ ବାନ୍ଧିଥିବା ଛତା ତଳେ ଆଶ୍ରୟ ନେବାକୁ ଆଗ୍ରହ ଦେଖାଇନାହାନ୍ତି କିମ୍ବା ଏତେ ଶୀଘ୍ର ଧରାଦେବାକୁ ଚାହାନ୍ତି ନାହିଁ। ଓଡ଼ିଶାରେ ଦୀର୍ଘ ୨୩ ବର୍ଷ ଧରି ଶାସନ କରୁଥିବା ବିଜୁ ଜନତା ଦଳ ବି ଏମାନଙ୍କ ଠାରୁ ଦୂରରେ ରହିଛି।
ଜାତୀୟ ରାଜନୀତିରେ ପରିବର୍ତ୍ତିତ ଏହି ଦୃଶ୍ୟପଟ୍ଟ ଆଗକୁ କେଉଁ ମୋଡ଼ ନେବ, ସେ ନେଇ ଏବେଠାରୁ ଆକଳନ କରିବା ମୁସ୍କିଲ୍। ହେଲେ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ରଣନୀତି ସ୍ବତନ୍ତ୍ର। ପୂର୍ବରୁ ନବୀନ ସ୍ପଷ୍ଟ ଭାବେ କହିସାରିଛନ୍ତି ଯେ ବିଜେଡି ପୂର୍ବବତ୍ କଂଗ୍ରେସ ଓ ବିଜେପି ଠାରୁ ସମଦୂରତ୍ବ ଅବଲମ୍ବନ କରୁଛି। ଏଣୁ ସ୍ବାଭାବିକ ଭାବେ ଉଭୟ ଗୋଷ୍ଠୀର ବୈଠକରେ ଏଥର ବିଜେଡିକୁ ନିମନ୍ତ୍ରଣ ମିଳିଲା ନାହିଁ କିମ୍ବା ନବୀନଙ୍କ ଭୂମିକା ସଂପର୍କରେ ଚର୍ଚ୍ଚା ଅବକାଶର ସୁଯୋଗ ରହିଲା ନାହିଁ।

ଉପରୋକ୍ତ ଘଟଣାବଳୀ ଅନୁସାରେ, କେନ୍ଦ୍ରରେ ଶାସନ ଦଖଲ ପାଇଁ ଚାଲିଥିବା ପ୍ରସ୍ତୁତି ଘଟଣାଟି ଅତ୍ୟନ୍ତ ରୋଚକ। ହେଲେ ଓଡ଼ିଶାରେ ଷଷ୍ଠ ଥର ପାଇଁ ନବୀନଙ୍କ କ୍ଷମତା ଦଖଲ କସରତ ଏବଂ କେନ୍ଦ୍ର ବିରୋଧରେ ଦୁର୍ବୋଧ୍ୟ ରଣନୀତି ତା’ ଠାରୁ କିଛି କମ୍ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଇପାରିବ ନାହିଁ। ବିଶେଷ କରି ନିର୍ବାଚନ ବର୍ଷରେ ବିଜେଡିର ସମଦୂରତ୍ବ ନିଷ୍ପତ୍ତି ବନାମ ଓଡ଼ିଶାର ସ୍ବାର୍ଥ ହାସଲ ସଂପର୍କରେ ଅନାସକ୍ତ ଆଲୋଚନା ଜରୁରୀ।
ପ୍ରାରମ୍ଭିକ ସୂଚନାରେ ଏତିକି କୁହାଯାଇପାରେ ଯେ ଓଡ଼ିଶାରେ ପ୍ରମୁଖ ବିରୋଧୀ ଦଳ ଆସନରେ ଯେବେ କଂଗ୍ରେସ ଥିଲା, ତତ୍କାଳୀନ କଂଗ୍ରେସ ନେତୃତ୍ବାଧୀନ ଉପା ସରକାରରେ ନବୀନ ସାମିଲ ହୋଇନଥିଲେ ବି ସେହି କେନ୍ଦ୍ର ସରକାର ରାଜ୍ୟ ବିଜେଡି ସରକାରକୁ ଆଘାତ ଦେବା ଭଳି ଆଚରଣ ପ୍ରଦର୍ଶନ କରିନାହାନ୍ତି। ଆହୁରି ଆଚମ୍ବିତ କରୁଥିବା ଘଟଣାଟି ହେଲା- ବିଜେପି ଏବେ ଓଡ଼ିଶାର ପ୍ରମୁଖ ବିରୋଧୀ ଦଳ। ମାତ୍ର ନବୀନ ଏବଂ ମୋଦୀଙ୍କ ମଧ୍ୟରେ ନିବିଡ଼ତା କାହାକୁ ଅଛପା ନାହିଁ।

ଏମିତି କ୍ବଚିତ୍ ବର୍ଷ ଥାଇପାରେ, ଯେବେ ପ୍ରଧାନମନ୍ତ୍ରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିନାହାନ୍ତି। ଠିକ୍ ସେହିଭଳି ମୋଦୀ କୌଣସି ବିପଦରେ ପଡ଼ିଛନ୍ତି ଅଥଚ ନବୀନ ତାଙ୍କ ହାତ ଛାଡ଼ିଛନ୍ତି, ଏହା ମଧ୍ୟ ଦେଖିବାକୁ ମିଳିବ ନାହିଁ। ଆଉ ପାଦେ ଆଗକୁ ଯାଇ କହିଲେ, ସମଦୂରତ୍ବ ଶୃଙ୍ଖଳରେ ବନ୍ଧା ପଡ଼ିଥିବା ବିଜେଡି ସମର୍ଥନରେ ହିଁ ଓଡ଼ିଶାରୁ ବିଜେପି ଗୋଟିଏ ରାଜ୍ୟସଭା ଆସନ ଜିତିଛି। ସରକାରରେ ବିଜେଡି ସାମିଲ ନାହିଁ, ଅଥଚ ମିଳିତ ଦଳର ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବ ମୋଦୀ କ୍ୟାବିନେଟରେ ରେଳ ବିଭାଗ ଦାୟିତ୍ବରେ ଅଛନ୍ତି।

ସାଧାରଣ ନିର୍ବାଚନ ପୂର୍ବରୁ ପାଠକେ ଆଉ ଗୋଟିଏ କଥାକୁ ସ୍ମରଣକୁ ଆଣିବା ଦରକାର। ବିଜେପି ଗୋଟିଏ ସାଂପ୍ରଦାୟିକ ଦଳ ବୋଲି ଅଭିଯୋଗ ହୁଏ। ଅନ୍ୟପକ୍ଷରେ, ନିଜକୁ ଧର୍ମନିରପେକ୍ଷ ବୋଲି ଦାବି କରି ବିଜେଡି ସବୁବେଳେ କହିଆସିଛି ଯେ ରାଜ୍ୟ ସ୍ବାର୍ଥର ସୁରକ୍ଷା ତା’ର ପ୍ରାଥମିକତା। ଓଡ଼ିଶା ଭୋଟରଙ୍କ ମନକୁ ମଧ୍ୟ ଏହି କଥାଟି ଛୁଇଁଛି ଏବଂ ନବୀନ ବାରମ୍ବାର ନିର୍ବାଚିତ ହେବା ପଛର ଏହା ଅନ୍ୟତମ କାରଣ। ହେଲେ ଦଳର ନିର୍ବାଚନ ପରବର୍ତ୍ତୀ ରାଜନୈତିକ ନିଷ୍ପତ୍ତି ଏହାର ପରିପନ୍ଥୀ। ଆହୁରି ସରଳ ଭାବେ କହିଲେ, ବିଜେପି ବିରୋଧୀ ମନୋଭାବକୁ ପାଥେୟ କରି ନିର୍ବାଚନ ଜିତୁଥିବା ବିଜେଡି ଥରେ କ୍ଷମତାକୁ ଆସିବା ପରେ ଜାତୀୟ ଏବଂ ରାଜ୍ୟ ସ୍ବାର୍ଥର ଦ୍ବାହି ଦେଇ ବାରମ୍ବାର ବିଜେପି ପକ୍ଷ ନେଉଥିବା ଲକ୍ଷ୍ୟ କରାଯାଇଛି।

ଏ ସଂପର୍କରେ ଗୋଟିଏ ଉଦାହରଣ ନିଆଯାଉ। ବିଶ୍ବରେ ଓଡ଼ିଶାକୁ ନିନ୍ଦିତ କରିଥିବା ଦୁଇ ପ୍ରମୁଖ ସାଂପ୍ରଦାୟିକ ଘଟଣା ହେଲା ଗ୍ରାହାମ୍ ଷ୍ଟେନ୍ସ ପୋଡ଼ି ଏବଂ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ପରବର୍ତ୍ତୀ ଦଙ୍ଗା। ଉଭୟ ଘଟଣାରେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ମନ୍ତବ୍ୟ ବିତର୍କକୁ ଆସିଥିଲା। ହେଲେ ମୋଦୀ ଯେବେ ଶ୍ରୀ ଷଡ଼ଙ୍ଗୀଙ୍କୁ କେନ୍ଦ୍ରମନ୍ତ୍ରୀ ଭାବେ ଅଭିଷିକ୍ତ କଲେ, ବିଜେଡି ତା’ ପରେ ମଧ୍ୟ ବିଜେପିକୁ ସଂସଦର ପଟଳରେ ଖୋଲା ସମର୍ଥନ ଦେବାକୁ କୁଣ୍ଠାବୋଧ କରିନାହିଁ।

ସେହିଭଳି ଜାତୀୟ ରାଜନୀତିରେ ପକ୍ଷଭୁକ୍ତ ହେବା ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ବାମ ଦଳ ନେତା ସୀତାରାମ ୟେଚୁରୀ ପ୍ରମୁଖଙ୍କୁ ଧରାଛୁଆଁ ଦେଇନଥିବା ନବୀନ ମଣିପୁର ହିଂସା ପ୍ରସଙ୍ଗରେ ଏଯାଏ ମୁହଁ ଖୋଲିନାହାନ୍ତି କିମ୍ବା ସେଠାରେ ଚର୍ଚ୍ଚ ପୋଡ଼ି ପ୍ରସଙ୍ଗକୁ ନିନ୍ଦା କରିନାହାନ୍ତି। ଏସବୁକୁ ଲକ୍ଷ୍ୟ ରଖି ସାଂସଦ ଡେରେକ୍ ଓ’ ବ୍ରାଇନ୍ ନବୀନଙ୍କୁ ଫାସିବାଦ ସପକ୍ଷବାଦୀ ବୋଲି ଆରୋପ ଲଗାଇବା ପରେ ବି ବିଜେଡିର ଅସମ୍ଭବ ନିରବତା ଓଡ଼ିଶାର ଭୋଟରଙ୍କୁ ଚିନ୍ତାରେ ପକାଇଛି।

କେବଳ ସେତିକି ନୁହେଁ, ରାଜ୍ୟ ଅର୍ଥନୀତି ଏବଂ ସଂଘୀୟ ବ୍ୟବସ୍ଥା ଉପରେ କେନ୍ଦ୍ର ଅନେକ ବାର କୁଠାରାଘାତ କରିଛି। ସମବାୟ ବ୍ୟବସ୍ଥାରେ କେନ୍ଦ୍ର ସରକାର ଓଡ଼ିଶା ଚାଷୀଙ୍କ ଅର୍ଥନୀତିକୁ ନିଜ ନିୟନ୍ତ୍ରଣକୁ ନେବା ଲାଗି କରିଥିବା ଷଡ଼ଯନ୍ତ୍ରକୁ ପ୍ରତିହତ କରିବା ବଦଳରେ ଏ କ୍ଷେତ୍ରରେ ହତିଆର ସାଜିଛନ୍ତି ରାଜ୍ୟ ସରକାର।

ସେପଟେ ସଂସଦରେ ଯେବେ ଅବିଶ୍ବାସ ମତ ପ୍ରସ୍ତାବ ଭଳି ସଙ୍ଗିନ୍ ପ୍ରସଙ୍ଗ ଉଠିଛି, କକ୍ଷତ୍ୟାଗ କରି କେନ୍ଦ୍ର ସରକାରର ରକ୍ଷାକବଚ ପାଲଟିଛି ବିଜେଡି। କେନ୍ଦ୍ର ସରକାରଙ୍କ ସବୁ ବିବାଦୀୟ ବିଲ୍ ଓ ଏନ୍‌ଡିଏକୁ ସୁହାଇବା ଭଳି ନିଆଯାଇଥିବା ନୀତିଗତ ନିଷ୍ପତ୍ତିକୁ ଆଖିବୁଜା ସମର୍ଥନ ଦେଇଥିବା ବିଜେଡି ଛାତିରେ ହାତ ରଖି ଦାବି କରିପାରିବ ନାହିଁ; ଏହାର ପ୍ରତିବଦଳରେ ଓଡ଼ିଶାର ସ୍ବାର୍ଥର ସୁରକ୍ଷା ପାଇଁ ଉପା ବା ମୋଦୀ ସରକାର ଅମୁକ କି ସମୁକ କରିଛନ୍ତି। ବରଂ ଜାତୀୟ ରାଜପଥ, ବ୍ୟାଙ୍କିଙ୍ଗ୍, ଡିଜିଟାଲ ସଂଯୋଗ, ପ୍ରଧାନମନ୍ତ୍ରୀ ଆବାସ, ରାଜ୍ୟ ସୀମା ବିବାଦ, ଜନଜାତିଙ୍କ ବୃତ୍ତି ଠାରୁ ବିଭିନ୍ନ ଜାତିକୁ ସ୍ବୀକୃତି ଆଦି କେନ୍ଦ୍ରୀୟ ଅବହେଳାର ଗୋଟିଏ ଗୋଟିଏ ନମୁନା। ସେହିପରି ବିଧାନ ପରିଷଦ ଗଠନ, ମହିଳା ସଂରକ୍ଷଣ ବିଲ୍, ମହାନଦୀ, ପୋଲାଭରମ୍ ଭଳି ଅନ୍ତଃ ରାଜ୍ୟ ନଦୀ ଜଳ ବିବାଦ, ଏମ୍‌ଏସ୍‌ପି ଓ କୋଇଲା ରୟାଲଟି ବୃଦ୍ଧି, ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଆଦି ପ୍ରସଙ୍ଗରେ କେନ୍ଦ୍ରର ଓଡ଼ିଶା ପ୍ରତି ଅବିଚାର ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଏକଥା ସାଂସଦମାନଙ୍କୁ ସଂସଦରେ ଉଠାଇବା ଲାଗି ନିର୍ଦ୍ଦେଶ ଦେଇ ନିଜେ ନବୀନ ଜଣାଇ ଦେଇଛନ୍ତି ଯେ ତାଙ୍କ ସମର୍ଥନ ସତ୍ତ୍ବେ କେନ୍ଦ୍ରର ବିଜେପି ସରକାର ଓଡ଼ିଶାର କୌଣସି ଦାବିକୁ ସର୍ବନିମ୍ନ ସମ୍ମାନ ଜଣାଇନାହାନ୍ତି।

ଓଡ଼ିଶା ବିରୋଧରେ କେନ୍ଦ୍ରୀୟ ଅବହେଳାର ଅଭିଯୋଗ ଆଜିର ନୁହେଁ। ଏ କ୍ଷେତ୍ରରେ ଉପା ଯେଉଁ ରାସ୍ତାରେ ଯାଉଥିଲା, ଏନ୍‌ଡିଏ ଅନୁରୂପ ରାସ୍ତା ଆପଣାଇଛି। ଟିକିଏ କମ୍ ବେଶୀ ହୋଇପାରେ। ଓଡ଼ିଶାର ସ୍ବାର୍ଥ, ଅସ୍ମିତା ବାରମ୍ବାର କେନ୍ଦ୍ରରେ ପଦଦଳିତ ହେଉଥିଲେ ହେଁ ବିଜେଡି କିନ୍ତୁ ସହଯୋଗ ଦେବା ବେଳେ କେବେ ବି ଥରେ ଏସବୁ ପ୍ରସଙ୍ଗକୁ ସାମ୍ନାରେ ରଖି ପ୍ରଧାନମନ୍ତ୍ରୀମାନଙ୍କୁ ସର୍ତ୍ତମୂଳକ ସମର୍ଥନ ଦେଇନି।
ନିନ୍ଦୁକମାନେ ଏସବୁ ଦେଖି ଯେଉଁ ଅଭିଯୋଗଟି ବିଜେଡି ବିରୋଧରେ ଆଣନ୍ତି, ତାହାକୁ ଅପ୍ରାସଙ୍ଗିକ କୁହାଯାଇପାରିବ ନାହିଁ। ସେମାନଙ୍କ ମତରେ ଉପା ଏବଂ ଏନ୍‌ଡିଏ କ୍ଷେତ୍ରରେ ସମଦୂରତ୍ବ ଉପାୟ ପଛର ଗୂଢ଼ ତତ୍ତ୍ବଟି ହେଉଛି ‘କେନ୍ଦ୍ର ଠାରୁ ସୁରକ୍ଷା’। ବିଜେଡି ଆଜି ଦିନରେ ଅନ୍ୟ ବିରୋଧୀଙ୍କ ଭଳି କେନ୍ଦ୍ର ଦ୍ବାରା ହଇରାଣ ହେଉନାହିଁ କିମ୍ବା ରାଜ୍ୟର ବିବାଦୀୟ କାର୍ଯ୍ୟକୁ ମଧ୍ୟ କେନ୍ଦ୍ରର ବାଧା ନାହିଁ। ଦ୍ବିତୀୟତଃ, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍‌(ଇଡି) ଅସ୍ତ୍ରାଘାତରେ ରାଜ୍ୟ ସରକାର ଓ ବିଜେଡି ନେତାମାନେ ଯେଭଳି ଆଦୌ କ୍ଷତାକ୍ତ ହେବେନାହିଁ, ତାହା ସୁନିଶ୍ଚିତ କରିବା।
ଏକଥା ସ୍ପଷ୍ଟ କହିବାରେ ଅସୁବିଧା ନାହିଁ ଯେ ନବୀନ ବ୍ୟକ୍ତିଗତ ଭାବେ ସ୍ବଚ୍ଛ। ଏଯାଏ ବିରୋଧୀ କିମ୍ବା ଗଣମାଧ୍ୟମ ତାଙ୍କ ଉପରକୁ ସିଧାସଳଖ ଆଙ୍ଗୁଠି ଉଠାଇ ପାରିନାହାନ୍ତି। ହେଲେ ତାଙ୍କ ପାରିଷଦବର୍ଗ, ସହଯୋଗୀଙ୍କ ପାପକୁ ଘୋଡ଼ାଇବା ଲାଗି ସମ୍ଭବତଃ ନବୀନ କେନ୍ଦ୍ର ସୁରକ୍ଷାର ଢାଲ ଧରିବାକୁ ବାଧ୍ୟ ହେଉଥାଇପାରନ୍ତି। ପାଦେ ଆଗକୁ ଯାଇ କହିଲେ, ନିର୍ବାଚନକୁ ଅତ୍ୟଧିକ ବ୍ୟୟ ବହୁଳ କରି କ୍ଷମତା ହାସଲ ସୂତ୍ର ନବୀନଙ୍କୁ ଅନେକାଂଶରେ ମଧ୍ୟ କେନ୍ଦ୍ର ନିକଟରେ ଦୁର୍ବଳ କରିଦେଉଛି।

ଅନ୍ୟପକ୍ଷରେ, ବିଜେଡି ବା ନବୀନଙ୍କ ପାଖରେ ଏହି ପ୍ରସଙ୍ଗକୁ ଅଟକାଇ ଦେଇ ହେବ ନାହିଁ। କେନ୍ଦ୍ର ସରକାରଙ୍କ ଓଡ଼ିଶା ରଣନୀତି ବି ଆଚମ୍ବିତ କଲା ଭଳି। ୨୦୦୯ରେ ଅଧାରାସ୍ତାରେ ବିଜେପିର ହାତଛାଡ଼ି ଦେଇଥିଲା ବିଜେଡି। ସେବେଠାରୁ ବିଜେଡିକୁ କଡ଼ା ଟକ୍କର ଦେବାର ସାମର୍ଥ୍ୟ ଗେରୁଆ ଦଳ ଏଯାବତ୍‌ ଜୁଟାଇ ପାରିନାହିଁ। ସେପଟେ ଦୁର୍ବଳ ବିରୋଧୀଙ୍କ କାରଣରୁ ନବୀନ ୨୦୨୩ ଜୁଲାଇ ୨୨ ତାରିଖରେ ଜ୍ୟୋତିବସୁଙ୍କ ଦୀର୍ଘତମ ସମୟ ମୁଖ୍ୟମନ୍ତ୍ରୀ ରହିବାର ରେକର୍ଡକୁ ଭାଙ୍ଗିଦେଲେ। ଏସବୁ ଘଟଣା ରାଜ୍ୟ ବିଜେପି ନେତାଙ୍କୁ ଭାରାକ୍ରାନ୍ତ କରି ରଖିଛି।

କେନ୍ଦ୍ରୀୟ ନେତାଙ୍କ ରଣନୀତି ନେଇ ସେମାନେ ବିସ୍ମିତ। କେନ୍ଦ୍ରର ସୁରକ୍ଷାର ବଳୟ ଭିତରେ ବିଜେଡି ଏତେ ନିରାପଦ ରହିଛି ଯେ ରାଜ୍ୟ ବିଜେପି ଯେତେବେଳେ ଯେଉଁ ଅସ୍ତ୍ର ତୁଣୀରରୁ ନିକ୍ଷେପ କରୁଛି, ସେସବୁ ତଳକୁ ଖସିପଡ଼ୁଛି। ବହୁ ଚର୍ଚ୍ଚିତ ଚିଟ୍‌ଫଣ୍ଡ୍‌ ଦୁର୍ନୀତିରେ ସିବିଆଇ ଆକସ୍ମିକ ଭାବେ ନିଷ୍ପ୍ରଭ ହୋଇପଡ଼ିବା, ଖଣି ଦୁର୍ନୀତିରେ ଶାହା କମିସନଙ୍କ ସିବିଆଇ ତଦନ୍ତ ସୁପାରିସକୁ କେନ୍ଦ୍ର ସରକାର ଗିଳି ଦେବା, ନିକଟରେ ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍‌ଙ୍କ ବିରୋଧରେ ରାଜ୍ୟ ବିଜେପିର ଗର୍ଜନ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଔପଚାରିକତା ପୂର୍ବକ ଚିଠିଟିଏ ଫିଙ୍ଗି କେନ୍ଦ୍ର ନିରବ ରହିବା ନମୁନା ମାତ୍ର।
ଏହା ପଛର ଯେଉଁ ଯୁକ୍ତି ରହିଛି, ତାହା ହେଲା- ବିଜେପିର କେନ୍ଦ୍ରୀୟ ନେତା ବୁଝିପାରୁଛନ୍ତି ଯେ ନବୀନଙ୍କୁ ଦୁର୍ବଳ କଲେ କଂଗ୍ରେସମୁକ୍ତ ଭାରତ ସ୍ବପ୍ନ ଓଡ଼ିଶାରେ ବାଧା ପାଇବ। ଏମିତିରେ ବି ବିଜେଡି ସହ ନିର୍ବାଚନ ଲଢ଼ିବା ସାମର୍ଥ୍ୟ ଓଡ଼ିଶା ବିଜେପିର ନାହିଁ। ବରଂ ସୁରକ୍ଷା ଦେଇ ମୋଦୀ ନିଜ ଦଳ ଭଳି ବିଭିନ୍ନ କ୍ଷେତ୍ରରେ ବିଜେଡିଠାରୁ ନିଜ ହକ ମାଗିନେଇପାରୁଛନ୍ତି ଏବଂ ବିରୋଧୀ ଶିବିରରୁ ନବୀନଙ୍କୁ ଦୂରେଇ ରଖିବାରେ ବି ସେ ସକ୍ଷମ ହୋଇଛନ୍ତି।

ଆଜି ବିଜେପି ଯେଉଁ ରାସ୍ତାରେ ଯାଉଛି, ଗତକାଲି କଂଗ୍ରେସ ବି ସମାନ ରାସ୍ତାରେ ଯାଇଥିଲା। ରାଜ୍ୟରେ କଂଗ୍ରେସ ବିରୋଧୀ ଦଳରେ ଥିବା ବେଳେ ଉପା ସରକାରର ଜଣେ ପରେ ଜଣେ କେନ୍ଦ୍ରମନ୍ତ୍ରୀ ନବୀନଙ୍କୁ ଓଡ଼ିଶାରେ ଖୋଲା ପ୍ରଶଂସା କରିବା ପ୍ରସଙ୍ଗଟି ବର୍ଷ ବର୍ଷ ଧରି ଚର୍ଚ୍ଚାରେ ଥିଲା। ଆଜି ମଧ୍ୟ କଂଗ୍ରେସ ନେତାମାନଙ୍କ ମନରୁ ଦ୍ବନ୍ଦ୍ବ ହଟିନାହିଁ ଯେ ଓଡ଼ିଶାରେ ସେମାନଙ୍କର ପ୍ରଥମ ରାଜନୈତିକ ଶତ୍ରୁ ବିଜେଡି ନା ବିଜେପି।
ଏସବୁ ଗୋଟିଚାଳନାରୁ ଓଡ଼ିଶାର ଭୋଟର ଏତିକି ତ ବୁଝିପାରୁଥିବେ ଯେ ରାଜନୈତିକ ନେତାଙ୍କ ସାମ୍ନାରେ ପାର୍ଟି ନା ମାଟି, କିଏ ଆଗରେ?
ମୋ: ୯୯୩୭୪୭୪୨୭୪

ସମ୍ବନ୍ଧିତ ଖବର