ଚେନ୍ନାଇକୁ ହରାଇଲା ମୁମ୍ବାଇ

ଚେନ୍ନାଇ: ଆଇପିଏଲ୍‌ର ୪୪ତମ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ଅର୍ଧଶତକ ପରେ ବୋଲରଙ୍କ ଚମତ୍କାର ପ୍ରଦର୍ଶନକୁ ସାଥି କରି ମୁମ୍ବାଇ ଇଣ୍ଡିଆନ୍ସ ୪୬ ରନ୍‌ରେ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ପରାସ୍ତ କରିଛି। ଚେନ୍ନାଇ ୧୨ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ବରଣ କରିଥିଲେ ମଧ୍ୟ ଶୀର୍ଷ ସ୍ଥାନରେ ଅତୁଟ ରହିଛି। ମୁମ୍ବା‌ଇ ୧୧ ମ୍ୟାଚ୍‌ରୁ ସପ୍ତମ ବିଜୟ ସହ ଦ୍ବିତୀୟକୁ ଉଠିଛି। ପୁଣି ଥରେ ଧୋନିଙ୍କ ବିନା ଖେଳିଥିବା ଚେନ୍ନାଇ ମଧ୍ୟ ନିଜର ସବଠୁ ବଡ଼ ପରାଜୟ ବରଣ କରିଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏଥର କ୍ବିଣ୍ଟନ୍‌ ଡି’କକ୍‌ (୧୫, ୯ ବଲ୍‌) ଭଲ ଆରମ୍ଭ କରିନଥିଲେ। ତେବେ ଅଧିନାୟକ ରୋହିତ ଶର୍ମା ଏବଂ ଏଭିନ୍ ଲୁଇସ୍‌ ଦ୍ବିତୀୟ ୱିକେଟ୍ ପାଇଁ ୯.୩ ଓଭର୍‌ରେ ୭୫ ରନ୍ ଯୋଡ଼ି ମୂଳଦୁଆ ପକାଇଥିଲେ। ଲୁଇସ୍‌ (୩୨, ୩୦ ବଲ୍‌, ୩ ଚୌକା, ୧ ଛକା)ଙ୍କୁ ଦୀପକ ଚହର ଆଉଟ୍ କରିଦେବା ପରେ ମୁମ୍ବାଇ ବ୍ୟାଟିଂ ଏକପ୍ରକାର ଦିଗହରା ‌ହୋଇଯାଇଥିଲା। ବି‌ଶେଷ କରି ନ୍ୟୁଜିଲାଣ୍ଡ୍ ସ୍ପିନର୍ ମିଚେଲ୍ ସାଣ୍ଟନର୍‌ (୪-୦-୧୩-୨)ଙ୍କ ମିତ୍ତବ୍ୟୟୀ ବୋଲିଂ ମୁମ୍ବାଇକୁ ଅଡୁଆରେ ପକାଇଥିଲା। ହରଭଜନ ସିଂହ (୪-୦-୨୩-୦) ମଧ୍ୟ ପ୍ରଭାବୀ ବୋଲିଂ କରିଥିଲେ। ୧୩ ଓଭରରେ ୧୦୦ ଟପିଥିବା ମୁମ୍ବାଇ ଶେଷ ୬ ଓଭରରେ ମାତ୍ର ୫୨ ରନ୍ ଯୋଡ଼ି ପାରିଥିଲା। ରୋହିତ ଶର୍ମା (୬୭, ୪୮ ବଲ୍‌, ୬‌ ଚୌକା, ୩ ଛକା)ଙ୍କ ବିଦାୟ ପରେ ହାର୍ଦିକ ପାଣ୍ଡ୍ୟା (୨୩*, ୧୮ ବଲ୍‌, ୧ ଚୌକା, ୧ ଛକା) ଏବଂ କିରଣ ପୋଲାର୍ଡ (୧୩*, ୧୨ ବଲ୍‌, ୨ ଚୌକା) ଦଳକୁ ୧୫୫ରେ ପହଞ୍ଚାଇଥିଲେ।

ଜବାବରେ ଚେନ୍ନାଇ କିନ୍ତୁ ପ୍ରଥମରୁ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇ ଗଭୀର ସଙ୍କଟରେ ପଡ଼ିଥିଲା। ୬୬ ରନ୍‌ ଭିତରେ ଦଳ ୬ ୱିକେଟ୍ ହରାଇ ଦେଇଥିଲା। ମୁରଲୀ ବିଜୟ (୩୮, ୩୫ ବଲ୍‌, ୩ ଚୌକା, ୧ ଛକା)ଙ୍କ ଛଡ଼ା ଅନ୍ୟ କେହି ଲଢ଼ି ନଥିଲେ। ସୁରେଶ ରାଇନାଙ୍କୁ ହାର୍ଦିକ ପାଣ୍ଡ୍ୟା, ଅମ୍ବାତି ରାୟୁଡୁ ଓ କେଦାର ଯାଦବଙ୍କୁ କୃନାଲ ପାଣ୍ଡ୍ୟା ଆଉଟ୍ କରିଥିଲେ। ସେନ୍ ୱାଟସନ୍‌ଙ୍କୁ ଲସିଥ୍ ମାଲିଙ୍ଗା, ମୁରଲୀ ବିଜୟଙ୍କୁ ଯଶପ୍ରୀତ୍ ବୁମରା, ଧୃବ ସୋରେଙ୍କୁ ଅନୁକୂଳ ରୟ ବିଦାୟ ରାସ୍ତା ଦେଖାଇଥିଲେ। ଏହି ୬ ଜଣଙ୍କ ମଧ୍ୟରୁ ବିଜୟ କେବଳ ଦୁଇ ଅଙ୍କ ସ୍କୋର୍ କରିଥିଲେ। ଡାରେନ୍ ବ୍ରାଭୋ (୨୦, ୧୭ ବଲ୍‌)ଙ୍କ ଏବଂ ମିଚେଲ ସାଣ୍ଟନର୍ (୨୨, ୨୦ ବଲ୍‌, ୨ ଛକା)ଙ୍କ ପ୍ରୟାସକୁ ମାଲିଙ୍ଗା ଶେଷ କରି‌ ଦେଇଥିଲେ। ୧୪ ବଲ୍ ପୂର୍ବରୁ ଚେନ୍ନାଇ ୧୦୯ ରନ୍‌ରେ ସମସ୍ତ ୱିକେଟ୍‌ ହରାଇ ଦେଇଥିଲା। ଏହ‌ି ଦୁଇ ଜଣଙ୍କ ୱିକେଟ୍ ନେବା ସହିତ ମାଲିଙ୍ଗା ପ୍ରଶଂସନୀୟ ବୋଲିଂ ଚିତ୍ର (୩.୪-୦୩୭-୪) ପାଇଥିଲେ। ରୋହିତ ଶର୍ମା କିନ୍ତୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସଂକ୍ଷିପ୍ତ‌ ସ୍କୋର୍‌: ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୫୫/୪ (ରୋହିତ ଶର୍ମା-୬୭, ଏଭିନ୍ ଲୁଇସ୍‌-୩୨, ହାର୍ଦିକ ପାଣ୍ଡ୍ୟା-୨୩*, କିରଣ ପୋଲାର୍ଡ-୧୩*, ମିଚେଲ ସାଣ୍ଟନର୍‌-୨/୧୩, ଇମ୍ରାନ୍ ତାହିର୍‌-୧/୩୭, ଦୀପକ ଚହର-୧/୪୬)। ଚେନ୍ନାଇ ସୁପର୍ କିଙ୍ଗ୍ସ ୧୭.୪ ଓଭରରେ ୧୦୯ (ମୁରଲୀ ବିଜୟ-୩୮, ମିଚେଲ୍ ସାଣ୍ଟନର୍‌-୨୨, ଡ୍ବାନ ବ୍ରାଭୋ-୨୦, ଲସିଥ୍ ମାଲିଙ୍ଗା-୪/୩୭, କୃନାଲ ପାଣ୍ଡ୍ୟା-୨/୭, ଯଶପ୍ରୀତ୍ ବୁମରା-୨/୧୦, ଅନୁକୂଳ ରୟ-୧/୧୧, ହାର୍ଦିକ ପାଣ୍ଡ୍ୟା-୧/୨୨)।

ଧୋନି, ଜାଦେଜାଙ୍କୁ ଜ୍ବର
ଚେନ୍ନାଇ: ଭାରତୀୟ ବିଶ୍ବକପ୍‌ ଦଳର ଦୁଇ ସଦସ୍ୟ ମହେନ୍ଦ୍ର ସିଂହ ଧୋନି ଏବଂ ରବୀନ୍ଦ୍ର ଜାଦେଜାଙ୍କୁ ଜ୍ବର ହୋଇଛି। ଏହି କାରଣରୁ ଉଭୟ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚ୍‌ରେ ଖେଳିନଥିଲେ। ଦକ୍ଷିଣ ଆଫ୍ରିକୀୟ ତାରକା ଫାପ ଡୁ ପ୍ଲେସିସ୍ ମଧ୍ୟ ଖେଳିନଥିଲେ।‌ ସେମାନଙ୍କ ବଦଳରେ ଧୃବ ସୋରେ, ମୁରଲୀ ବିଜୟ ଏବଂ ମିଚେଲ୍ ସାଣ୍ଟନର୍ ଖେଳିଥିଲେ। ପୂର୍ବରୁ ଚଳିତ ଋତୁରେ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ପିଠି ଯନ୍ତ୍ରଣା ପାଇଁ ଖେଳିନଥିବା ମହେନ୍ଦ୍ର ସିଂହ ଧୋନି ଦ୍ବିତୀୟ ଥର ପାଇଁ ଚେନ୍ନାଇ ସୁପର୍ କିଙ୍ଗସ ମ୍ୟାଚ୍‌ରୁ ବଞ୍ଚିତ ହୋଇଛନ୍ତି। ବିଶ୍ବକପ୍‌ ଦୃଷ୍ଟିରୁ ଧୋନିଙ୍କ ଆହତ ଏବଂ ଅସୁସ୍ଥତା ସମସ୍ୟା ଚିନ୍ତାର କାରଣ ‌ହୋଇଥିବାବେଳେ ଜାଜେଦା ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି। ୨ ଥର ବିଶ୍ବକପ୍‌ ବିଜେତା ଅଧିନାୟକ ଧୋନି ନିଜ ଖେଳ ଜୀବନରେ ଚତୁର୍ଥ ଥର ପାଇଁ ଏକ ଚେନ୍ନାଇ ମ୍ୟାଚ୍‌ ଖେଳିପାରିନାହାନ୍ତି। ଚେନ୍ନାଇକୁ ୩ ଥର ବିଜେତା କରାଇ ସାରିଛନ୍ତି ଧୋନି।

ସମ୍ବନ୍ଧିତ ଖବର