ଆଇଓସିଏଲ ଡିପୋରେ ଅଗ୍ନିକାଣ୍ତ

ଜଟଣୀ: ଜଟଣୀ କୁସୁମାଟି ଠାରେ ଥିବା ଇଣ୍ତିଆନ୍ ଅଏଲ୍ କର୍ପୋରେସନ ଲିମିଟେଡ୍ (ଆଇଓସିଏଲ୍) ଡିପୋ ପରିସରରେ ଅଗ୍ନିକାଣ୍ଡ ଘଟିଛି। ଶୁକ୍ରବାର ଏଠାରେ ଥିବା ୩୩ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର ଫାଟି ନିଆଁ ଲାଗିଯାଇଥିଲା। ଏନେଇ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଥିଲେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ। ସୁଚନାନୁସାରେ, ଶୁକ୍ରବାର ଦିନ ସାଢ଼େ ୧ଟା ବେଳେ ଜଟଣୀଥାନା ଅନ୍ତର୍ଗତ ଛଣଘର କୁସୁମାଟି ଠାରେ ଥିବା ଆଇଓସିଏଲ୍ ଡିପୋରେ ଥିବା ୩୩ କେଭି ବିଦ୍ୟୁତ୍ ଟ୍ରାନ୍ସଫର୍ମରଟି ଫାଟିଯିବାରୁ ଏଥିରେ ନିଆଁ ଲାଗି ଯାଇଥିଲା। ଲକ୍ଷଲକ୍ଷ ଲିଟର କ୍ଷମତା ବିଶିଷ୍ଟ ତୈଳ ଡିପୋ ସହିତ ଏହାର ଅନତି ଦୂରରେ ରହିଛି ଏଚ୍.ପି ଗ୍ୟାସ ଡିପୋ। ଆଜି ଏହି ଟ୍ରାନ୍ସଫର୍ମର ଫାଟି ଅଗ୍ନିକାଣ୍ତ ହୋଇଥିବା ବେଳେ ଦୁଇ ଦୁଇଟି ଗୁରୁତ୍ବପୂର୍ଣ୍ଣ ଡିପୋ ମଧ୍ୟରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ଥିବା ହେତୁ କାର୍ଯ୍ୟରତ ଥିବା ସିକ୍ୟୁରିଟି କଣ କରିବେ ଜାଣିପାରି ନ ଥିଲେ। ତେବେ କୁସୁମାଟି ଅଞ୍ଚଳର କିଛି ବ୍ୟକ୍ତି ମୁଖ୍ୟଫାଟକ ଠାରୁ ଅଳ୍ପକିଛି ଦୂରରେ ଥିବା ଦୋକାନରେ ବସିଥିବା ବେଳେ ନିଆଁ ଦେଖି ଦମକଳକୁ ଖବର ଦେଇଥିଲେ। ଖବର ପାଇ ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଏହି ଘଟଣାକୁ ନେଇ ଜଟଣୀବାସୀ କ୍ଷୋଭ ପ୍ରକାଶ କରିବା ସହିତ ଏହି ଦୁଇଟି ଡିପୋ ପ୍ରତି ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର