ବିଜୟ ମର୍ଚ୍ଚାଣ୍ଟ ଟ୍ରଫି: ଓଡ଼ିଶାର ତୃତୀୟ ବିଜୟ, ତାରିଣୀଙ୍କୁ ୯ ଵିକେଟ୍‌

କଟକ: ଗୌହାଟୀରେ ଶେଷ ହୋଇଥିବା ୧୬ ବର୍ଷରୁ କମ୍‌ ବିଜୟ ମର୍ଚ୍ଚାଣ୍ଟ ଟ୍ରଫିରେ ଓଡ଼ିଶା ତୃତୀୟ ବିଜୟ ପାଇଛି। ଏହି ମ୍ୟାଚ୍‌ରେ ଓଡ଼ିଶା ଏକ ପାଳି ଓ ୨୭ ରନ୍‌ରେ ଆସାମକୁ ହରାଇଛି। ଫଳରେ ଓଡ଼ିଶା ଦ୍ବିତୀୟ ଦିନରେ ଖେଳ ଶେଷ କରିଦେଇଥିବାରୁ ଦଳକୁ ବୋନସ ପଏଣ୍ଟ ମଧ୍ୟ ମିଳିଯାଇଛି। ଏଥିପୂର୍ବରୁ ପ୍ରଥମ ମ୍ୟାଚ୍‌ରେ ବିହାରକୁ ୪୫ ରନ୍‌ରେ ଓ ଦ୍ବିତୀୟ ମ୍ୟାଚ୍‌ରେ ତ୍ରିପୁରାକୁ ୭୯ ରନ୍‌ରେ ଓଡ଼ିଶା ହରାଇଥିଲା। ଏବେ ଓଡ଼ିଶା ଶେଷ ଲିଗ୍‌ ମ୍ୟାଚ୍‌ ୬ ତାରିଖରୁ ବେଙ୍ଗଲ ବିପକ୍ଷରେ ବାରବାଟୀ ଷ୍ଟାଡିୟମରେ ଖେଳିବ।

ଗୌହାଟୀ ମ୍ୟାଚ୍‌ର ପ୍ରଥମ ଦିନ ଅସମାପ୍ତ ସ୍କୋର ୧୦୧/୩ରୁ ଓଡ଼ିଶା ଖେଳିବା ଆରମ୍ଭ କରିଥିଲା। ଦୁଇ ଅପରାଜିତ ଖେଳାଳି ସାଇଦୀପ ମହାପାତ୍ର ଓ ଶୁଭମ ନାଏକ ଯଥାକ୍ରମେ ୨୮ ଓ ୬ ରନ୍‌ କରି ଆଉଟ ହୋଇଥିଲେ। ନିମ୍ନକ୍ରମରେ ଛୋଟଛୋଟ ଭାଗୀଦାରି ଯୋଗୁଁ ଓଡ଼ିଶା ୭୮.୧ ଓଭରରେ ସମସ୍ତ ଵିକେଟ ହରାଇ ୧୮୭ ରନ୍‌ କରିଥିଲା। ଏଥିସହ ପ୍ରଥମ ପାଳିରେ ଓଡ଼ିଶାକୁ ୯୪ ରନ୍‌ର ଅଗ୍ରଣୀ ମିଳିଥିଲା। ତେବେ ଦ୍ବିତୀୟ ପାଳି ଆରମ୍ଭ କରିଥିବା ଆସାମ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ମାତ୍ର ୬୭ ରନ୍‌ରେ ସମସ୍ତ ଵିକେଟ ହରାଇଥିଲା। ପ୍ରଥମ ପାଳିରେ ୫ ଵିକେଟ ଅକ୍ତିଆର କରିଥିବା ତାରିଣୀ ପ୍ରସାଦ ନାୟକ ଦ୍ବିତୀୟ ପାଳିରେ ୪ ଵିକେଟ ଦଖଲ କରିଥିଲେ। ତାଙ୍କ ବ୍ୟତୀତ ଶ୍ରେଷ୍ଠ ସି˚ହ ୪ ଵିକେଟ ନେଇଥିଲେ। ଆସାମ ପ୍ରଥମ ପାଳି ୯୩ ରନ୍‌ରେ ସୀମିତ ରହିଥିଲା।

ସମ୍ବନ୍ଧିତ ଖବର