ଦିଲ୍ଲୀରେ ସ୍ବାସ୍ଥ୍ୟ ଏମର୍ଜେନ୍ସି: ପଡ଼ୋଶୀ ରାଜ୍ୟକୁ ଦାୟୀ କଲେ କେଜ୍ରିୱାଲ୍‌

ପ୍ରଦୂଷଣ ସ୍ଥିତି ସାଂଘାତିକ, ନଭେମ୍ବର ୫ ପର୍ଯ୍ୟନ୍ତ ସ୍କୁଲ୍‌ ବନ୍ଦ

ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍‌ସିଆର୍‌ରେ ବାୟୁ ପ୍ରଦୂଷଣ ସ୍ତର ଅତି ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସୁପ୍ରିମ୍‌ କୋର୍ଟ ଦ୍ବାରା ଗଠିତ କମିଟି ସ୍ବାସ୍ଥ୍ୟ ଏମର୍ଜେନ୍ସି ଘୋଷଣା କରିଛନ୍ତି। ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ପ୍ରାଧିକରଣ (ଇପିସିଏ) ପ୍ରଦୂଷଣ ରୋକିବା ପାଇଁ ୫ ନଭେମ୍ବର ପର୍ଯ୍ୟନ୍ତ ଦିଲ୍ଲୀ ଏନ୍‌ସିଆର୍‌ରେ ନିର୍ମାଣ କାର୍ଯ୍ୟ ଉପରେ କଟକଣା ଲଗାଇଛନ୍ତି। ଦିଲ୍ଲୀର ସମସ୍ତ ବିଦ୍ୟାଳୟ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ଭାରତର ସବୁଠାରୁ ପ୍ରଦୂଷିତ ସହର ତାଲିକାରେ ଥିବା ଦିଲ୍ଲୀ ଏବେ ବିଶ୍ବର ସର୍ବାଧିକ ପ୍ରଦୂଷିତ ସହର ପାଲଟିଯାଇଛି।

ଦିଲ୍ଲୀ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ହରିୟାଣା, ପଂଜାବ ଏବଂ ଉତ୍ତରପ୍ରଦେଶ ସରକାର ସହଯୋଗ କରିବାକୁ କୁହାଯାଇଛି। ଏହି ତିନି ରାଜ୍ୟର ମୁଖ୍ୟ ସଚିବଙ୍କୁ ପତ୍ର ଲେଖି ତୁରନ୍ତ ଜରୁରୀ ପଦକ୍ଷେପ ଗ୍ରହଣ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏସବୁ ରାଜ୍ୟର କୃଷକମାନେ ବ୍ୟାପକ ଭାବେ ନଡ଼ାପାଳ ଜାଳୁଥିବାରୁ ଏଥିପାଇଁ ଦିଲ୍ଲୀରେ ବାୟୁର ମାନ ଖରାପ ହେଉଛି। ଦିଲ୍ଲୀ ଏନ୍‌ସିଆର୍‌ରେ ବାୟୁର ଗୁଣବତ୍ତାରେ ବିଗତ ୩ ଦିନ ମଧ୍ୟରେ ଯଥେଷ୍ଟ ହ୍ରାସ ହୋଇଥିବା ବେଳେ ପିଏମ୍‌ ୨.୫ (ସୂକ୍ଷ୍ମ ଧୂଳିକଣା) ସ୍ତର ୬୫୬ରେ ପହଞ୍ଚି ଯାଇଛି। ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଏହା ପ୍ରତିକୂଳ ପ୍ରଭାବ ପକାଉଥିବାରୁ ଲୋକଙ୍କୁ ଘରୁ ଯଥାସମ୍ଭବ କମ୍‌ ବାହାରିବା ପାଇଁ କୁହାଯାଇଛି । ଅସୁସ୍ଥ ବ୍ୟକ୍ତି, ଶିଶୁ ଏବଂ ବରିଷ୍ଠ ନାଗରିକମାନେ ଅଧିକ ସମୟ ବାହାରେ ବୁଲାବୁଲି ନକରିବାକୁ କୁହାଯାଇଛି। ଆଜିଠାରୁ ସମସ୍ତ ସ୍କୁଲ୍ ୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଥିବା ବେଳେ ୫ ତାରିଖରେ ପରିସ୍ଥିତିକୁ ଦେଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ଦିଲ୍ଲୀ ଏନ୍‌ସିଆର୍‌ , ଫରିଦାବାଦ, ଗୁରୁଗ୍ରାମ ଏବଂ ନୋଏଡ଼ାରେ ନିର୍ମାଣ କାର୍ଯ୍ୟ ଉପରେ କଟକଣା ଲାଗୁ ହୋଇଛି । ୫ ନଭେମ୍ବର ପର୍ଯ୍ୟନ୍ତ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି । ସମସ୍ତ ହଟ୍‌ ମିକ୍ସ ପ୍ଲାଣ୍ଟ, ଷ୍ଟୋନ୍‌ କ୍ରସର ୫ ନଭେମ୍ବର ପର୍ଯ୍ୟନ୍ତ ବନ୍ଦ ରହିବ। କୋଇଲା ଏବଂ ଅନ୍ୟ ଜାଳେଣି ଦ୍ବାରା ଚାଲୁଥିବା ଉଦ୍ୟୋଗଗୁଡ଼ିକୁ ମଧ୍ୟ ସଂପୂର୍ଣ୍ଣ ବନ୍ଦ ରଖାଯିବା ଦିଗରେ ପଦକ୍ଷେପ ନିଆଯାଇଛି।

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ପ୍ରଦୂଷଣ ପାଇଁ ପଡ଼ୋଶୀ ରାଜ୍ୟମାନଙ୍କୁ ଦାୟୀ କରିଛନ୍ତି। ପଡ଼ୋଶୀ ରାଜ୍ୟରେ ନଡ଼ାପାଳ ବ୍ୟାପକ ଭାବେ ଜଳାଇ ଦିଆଯାଉଥିବାରୁ ଏହି ଧୂଆ ଦିଲ୍ଲୀକୁ ଆସୁଛି ଏବଂ ଦିଲ୍ଲୀ ଗ୍ୟାସ୍‌ ଚ୍ୟାମ୍ବରରେ ପରିଣତ ହୋଇଛି। କେଜ୍ରିୱାଲ୍‌ ଆଜି ସ୍କୁଲ୍‌ ଛାତ୍ରଛାତ୍ରୀଙ୍କୁ ମାସ୍କ ବ୍ୟବହାର କରିବା ପାଇଁ କହିଛନ୍ତି। ନଭେମ୍ବର ୫ ପରେ ସ୍ଥିତି ସୁଧୁରିଲେ ହିଁ ସ୍କୁଲ୍‌ ଖୋଲିବ ବୋଲି ସେ କହିଛନ୍ତି। ପଂଜାବ, ହରିୟାଣା ସରକାର ନଡ଼ାପାଳ ଜାଳିବାକୁ ରୋକିବା ଦିଗରେ ବିଶେଷ ପଦକ୍ଷେପ ଗ୍ରହଣ କରୁନଥିବାରୁ ଦିଲ୍ଲୀ ଅବସ୍ଥା ଦିନକୁ ଦିନ ଖରାପ ହେଉଛି ବୋଲି ସେ କହିଛନ୍ତି। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପ‌ଟେନ୍‌ ଅମରିନ୍ଦରଙ୍କୁ ଛାତ୍ରଛାତ୍ରୀମାନେ ଏ ବାବଦରେ ଚିଠି ଲେଖିବାପାଇଁ ସେ ଅନୁରୋଧ କରିଛନ୍ତି। ସେ ନିଜେ ମଧ୍ୟ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପିଲାମାନଙ୍କ ସ୍ବାସ୍ଥ୍ୟ ସଂକ୍ରାନ୍ତରେ ସଚେତନ ହୋଇ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।

ଛାତ୍ରଛାତ୍ରୀଙ୍କୁ ବଣ୍ଟାଯିବ ୫୦ ଲକ୍ଷ ମାସ୍କ
ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ବିପଜ୍ଜନକ ସ୍ତରରେ ପହଞ୍ଚିବା ବରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ୫୦ ଲକ୍ଷ ମାସ୍କ ବାଣ୍ଟିବାକୁ ସରକାର ଯୋଜନା କରିଛନ୍ତି। ଆଜି ସୁଦ୍ଧା ୫ ଲକ୍ଷ ମାସ୍କ ବଣ୍ଟନ ହୋଇସାରିଥିବା ଜଣାପଡ଼ିଛି। ପ୍ରତି ଛାତ୍ରଛାତ୍ରୀଙ୍କୁ ଦୁଇଟି ମାସ୍କ ଥିବା ଏକ କିଟ୍‌ ପ୍ରଦାନ କରାଯାଉଛି। ଦିଲ୍ଲୀ ବିଶ୍ବ ବିଦ୍ୟାଳୟରେ ଆଜି ପିଏମ୍‌ ୨.୫ ସ୍ତର ୫୨୫କୁ ଅତିକ୍ରମ କରିଯାଇଥିବା ବେଳେ ଚାନ୍ଦିନୀ ଚୌକ୍‌ରେ ୬୩୨ରେ ପହଞ୍ଚିଛି। ଦିଲ୍ଲୀରେ ବାୟୁର ମାନ ଲଗାତାର ଖରାପ ହୋଇ ଚାଲିଥିବାରୁ ଆଗକୁ ଯାନ ଚଳାଚଳ ଉପରେ ମଧ୍ୟ କେତେକ କଟକଣା ଲାଗିବ ବୋଲି ଜଣାପଡ଼ିଛି।

ମାସ୍କ ପିନ୍ଧିଲେନି ମର୍କେଲ
ଭାରତ ଗସ୍ତରେ ଆସିଥିବା ଜର୍ମାନୀ ଚାନ୍ସଲର୍‌ ଆଂଜେଲା ମର୍କେଲ ଆଜି ଦିଲ୍ଲୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ବେଳେ ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ କୌଣସି ମାସ୍କ ପିନ୍ଧି ନଥିଲେ। ଜର୍ମାନୀ ଦୂତାବାସ ପକ୍ଷରୁ ଆଗୁଆ ମାସ୍କ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସେ ଏହାକୁ ଗ୍ରହଣ କରିନଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ମର୍କେଲଙ୍କ ସମସ୍ତ ବାହ୍ୟ କାର୍ଯ୍ୟକ୍ରମ ବିନା ମାସ୍କରେ ସଂପାଦିତ ହୋଇଥିଲା।

ସମ୍ବନ୍ଧିତ ଖବର