ମୁମ୍ବାଇ : ମେ’ ୨୬ ତାରିଖ ଥିଲା ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ବିବାହ ବାର୍ଷିକୀ। ଚଳିତ ବର୍ଷ ସଚିନ୍ଙ୍କର ଏହା ୨୫ତମ ବିବାହ ବାର୍ଷିକୀ। ଏହି ରୌପ୍ୟ ବାର୍ଷିକୀରେ ସଚିନ୍ଙ୍କୁ ତାଙ୍କ ପିଲାଦିନର ସାଥୀ ବିନୋଦ କାମ୍ବଲି ଅଭିନନ୍ଦନ ଜଣାଇଛନ୍ତି। ବିଶେଷକରି ଏଭଳି ଦିନରେ କାମ୍ବଲି ସଂଗୀତ ଜରିଆରେ ସ୍ବତନ୍ତ୍ର ଉପହାର ସହ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ କାମ୍ବଲି ହିନ୍ଦି ଚଳଚିତ୍ରର କିଛି ରୋମାଣ୍ଟିକ୍ ଗୀତ ଗାଇ ତାକୁ ସଚିନ୍ ଓ ତାଙ୍କ ପତ୍ନୀ ଅଞ୍ଜଳିଙ୍କ ସମର୍ପିତ କରିଛନ୍ତି। ବିବାହ ବାର୍ଷିକୀର ଶୁଭ କାମନା ଉଭୟ ସଚିନ୍ ଓ ଅଞ୍ଜଳିଙ୍କୁ। ଅପରାଜିତ ୨୫ ବର୍ଷର ସଂପର୍କ ପାଇଁ କିଛି ରୋମାଣ୍ଟିକ୍ ଗୀତ ସମର୍ପଣ କରୁଛି ବୋଲି ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରିଥିବା ଏକ ଭିଡିଓରେ କାମ୍ବଲି କହିଛନ୍ତି। ଅଭିନନ୍ଦନ ଓ ଏତେ ସୁନ୍ଦର ଉପହାରର ଜବାବରେ ସଚିନ୍ ମଧ୍ୟ କାମ୍ବଲିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅଞ୍ଜଳି ଓ ମୁଁ ତୁମ ସଂଗୀତ ଉପହାରକୁ ଭୂରିଭୂରି ଉପଭୋଗ କଲୁ ବୋଲି ସଚିନ୍ ଟ୍ବିଟରରେ ଉତ୍ତର ରଖିଛନ୍ତି। ସଚିନ୍ ମଧ୍ୟ ସୋମବାର ତାଙ୍କ ୨୫ତମ ବିବାହ ବାର୍ଷିକୀକୁ ନିଜ ପରିବାର ପାଇଁ ଆଶ୍ଚର୍ଯ୍ୟ କରିଦେଲା ଭଳି ମିଷ୍ଠାନ୍ନ ଖାଦ୍ୟ ପ୍ରସ୍ତୁତ କରି ପାଳନ କରିଥିଲେ। ସେହି ଆଶ୍ଚର୍ଯ୍ୟଜନ ମିଷ୍ଟାନ୍ନ ଖାଦ୍ୟ ଥିଲା ଆମ୍ବ କୁଲ୍ଫି ବୋଲି ସଚିନ୍ ଇନ୍ଷ୍ଟାଗ୍ରାମ୍ରେ ଭିଡିଓ ପୋଷ୍ଟ କରିଥିଲେ।