ଟେଷ୍ଟ୍‌ରେ ସେହବାଗଙ୍କ ଅତୁଳନୀୟ ପ୍ରଭାବର ସମକକ୍ଷ କେହି ହୋଇ ପାରିବେନି: ଗମ୍ଭୀର

ନୂଆଦିଲ୍ଲୀ: ନିଜ ପୁରୁଣା ସାଥୀ ତଥା ପୂର୍ବତନ ଭାରତୀୟ ବିସ୍ଫୋରକ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହବାଗଙ୍କୁ ଗୌତମ ଗମ୍ଭୀର ଭୂୟଶୀ ପ୍ରଶଂସା କରିଛନ୍ତି। ସେହବାଗ କ୍ରିକେଟ୍‌ର ସବୁ ଫର୍ମାଟ୍‌ରେ ଜଣେ ଉଚ୍ଚକୋଟୀର ବ୍ୟାଟ୍ସମ୍ୟାନ୍। ତେବେ ଟେଷ୍ଟ୍ କ୍ରିକେଟ୍‌ରେ ସେ ଛାଡ଼ିବା ପ୍ରଭାବ ଅତୁଳନୀୟ ଓ ଅନ୍ୟ କୌଣସି ଖେଳାଳି ତାଙ୍କ ସହ ଏହି କ୍ଷେତ୍ରରେ ସମକକ୍ଷ ହୋଇ ପାରିବ ନାହିଁ ବୋଲି ଗମ୍ଭୀର କହିଛନ୍ତି। କ୍ରିକେଟ୍ କନେକ୍ଟେଡ୍ ଚାଟ୍ ସୋ’ରେ ଯୋଗଦେଇ ଗମ୍ଭୀର କହିଛନ୍ତି ‘‘ ଟେଷ୍ଟ୍‌ରେ ସେହବାଗଙ୍କ ପ୍ରଭାବର ସମକକ୍ଷ କେହି ହୋଇ ପାରିବେନି। ସତ କହିବାକୁ ଗଲେ ଟେଷ୍ଟ୍ ଓପନର୍‌ ଭାବେ ସେ ଏତେ ସଫଳତା ପାଇବେ ବୋଲି କେହି ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ। ଲୋକମାନେ ସବୁବେଳେ ଭାବୁଥିଲେ ଯେ ସେ ଧଳା ବଲ୍ କ୍ରିକେଟ୍‌ରେ ଅଧିକ ସଫଳତା ପାଇବେ। ହେଲେ ଆପଣ ଯଦି ତାଙ୍କ କ୍ରିକେଟ୍ ପରିସଂଖ୍ୟାନକୁ ତର୍ଜମା କରିବେ, ତାହାଲେ ସ୍ପଷ୍ଟ ଭାବେ ଜାଣି ପାରିବେ, ସେ ଲାଲ୍‌ ବଲ୍‌ରେ ଅଧିକ ସଫଳ। ଏହା ହିଁ ବୀରେନ୍ଦ୍ର ସେହବାଗଙ୍କ ବିଶେଷତ୍ବ’’ ନିଜ କଥାକୁ ପ୍ରମାଣିତ କରିବାକୁ ଯା‌ଇ ଗମ୍ଭୀର ୨୦୦୮ ମସିହାରେ ଚେନ୍ନାଇରେ ଖେଳା ଯାଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌କୁ ଉଦାହରଣ ଭାବେ ଦର୍ଶାଇଥିଲେ।

ଏକ କଷ୍ଟକର ଓ ମନ୍ଥର ପିଚ୍‌ରେ ସେହବାଗ ଦ୍ବିତୀୟ ପାଳିରେ ଦ୍ରୁତ ୮୩ ରନ୍ କରିଥିଲେ। ଫଳରେ ଡ୍ର’ ହେବାର ଅଧିକ ସମ୍ଭାବନା ଥିବା ଏହି ମ୍ୟାଚ୍‌କୁ ଭାରତ ରୋମାଞ୍ଚକର ଢଙ୍ଗରେ ଜିତି ନେଇଥିଲା। ‘‘ସେହବାଗ ଖେଳିଥିବା ଗୋଟିଏ ପାଳି ‌ମୋର ଭଲ ଭାବେ ମନେ ଅଛି। ଯାହା ଚେନ୍ନାଇରେ ଖେଳା ଯାଇଥିଲା ଏବଂ ଆମେ ଏହାକୁ ଜିତି ନେଇଥିଲୁ। ଇଂଲଣ୍ଡ ବିପକ୍ଷ ଏହି ମୁକାବିଲାରେ ଆମେ ୩୫୦ରୁ ଅଧିକ ରନ୍‌ (ପ୍ରକୃତରେ ୩୮୭)କୁ ପିଛା କରୁଥିଲୁ। ସେମାନଙ୍କ ପାଖରେ ଗ୍ରେମ୍ ସ୍ବାନ୍, ମଣ୍ଟି ପାନେସାରଙ୍କ ଭଳି ବୋଲର ଥିଲେ। ସେହବାଗ ୮୩ ରନ୍‌ର ପାଳି ଖେଳିଥିଲେ। ଏହି ପାଳି ପାଇଁ ସେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏଥିରୁ ଆପଣ ଜାଣି ପାରୁଥିବେ ଯେ ‌ତାଙ୍କ ବ୍ୟାଟିଂର ପ୍ରଭାବ କେ‌ତେ ଥିଲା। ଯଦି ସେହବାଗ ମଧ୍ୟାହ୍ନ ଭୋଜନ ବିରତି ପର୍ଯ୍ୟନ୍ତ ବ୍ୟାଟିଂ କରନ୍ତି, ତାହାଲେ ସ୍କୋରବୋର୍ଡ ୧୦୦ ଟପିବା ଥୟ। ଅଧିକାଂଶ ଦଳ ଏଭଳି ଖେଳନ୍ତି ନାହିଁ। ପ୍ରଥମ ଦିନରେ ସେମାନେ ୱିକେଟ୍ ବଞ୍ଚାଇବା ଉପରେ ଅଧିକ ଧ୍ୟାନ ଦିଅନ୍ତି। ହେଲେ ସେହବାଗ ଅନ୍ୟ ସମସ୍ତଙ୍କଠାରୁ ଭିନ୍ନ ଥିଲେ। ସେଥିପାଇଁ ଟେଷ୍ଟ୍‌ରେ ସେ ଛାଡ଼ି ଯାଇଥିବା ଛାପର କେହି ସମକକ୍ଷ ହୋଇ ପାରିବେ ନାହିଁ’’ ବୋଲି ଗମ୍ଭୀର ଏହି ଅବସରରେ ମତ ରଖିଥିଲେ। ସୂଚନାଯୋଗ୍ୟ ଯେ ସଚିନ ତେନ୍ଦୁଲକରଙ୍କ ପରେ ସେହବାଗ ଦ୍ବିତୀୟ ଭାରତୀୟ ଭାବେ ଦିନିକିଆ କ୍ରିକେଟ୍‌ରେ ଦ୍ବିଶତକ ହାସଲ କରିଥିଲେ। ସେହିଭଳି ପ୍ରଥମ ଭାରତୀୟ ଭାବେ ସେ ଟେଷ୍ଟ୍‌ କ୍ରିକେଟ୍‌ରେ ତ୍ରି-ଶତକ ହାସଲ କରିଥିଲେ। ସେ ମଧ୍ୟ ଡନ୍ ବ୍ରାଡମ୍ୟାନ୍, ବ୍ରାଏନ ଲାରା ଓ କ୍ରିସ୍ ଗେଲ୍‌ଙ୍କ ଭଳି ଖେଳାଳି ସହ ଟେଷ୍ଟ୍ କ୍ରିକେଟ୍‌ରେ ଦୁଇଟି ତ୍ରି-ଶତକ ଅର୍ଜନ କରିଛନ୍ତି।

ସମ୍ବନ୍ଧିତ ଖବର