ଉଦ୍‌ଯାପନୀ ଝଲକ୍‌, ବାସ୍କେଟବଲ୍‌ରେ ଆମେରିକୀୟ ମହିଳାଙ୍କୁ ଲଗାତାର ସପ୍ତମ ସ୍ବର୍ଣ୍ଣ

ଟୋକିଓ: ସାଇତାମା ସୁପର ଏରିନାରେ ଆୟୋଜିତ ଟୋକିଓ ଅଲିମ୍ପିକ୍ସ ମହିଳା ବାସ୍କେଟବଲ୍‌ ଫାଇନାଲ୍‌ରେ ଆମେରିକା ଦଳ ୯୦-୭୫ରେ ଆୟୋଜକ ଜାପାନକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ କରାୟତ୍ତ କରିଛି। ଏହି ସ୍ବର୍ଣ୍ଣ ସହ ଆମେରିକା ମହିଳା ବା‌ସ୍କେଟବଲ୍‌ ଦଳ ଲଗା‌ତାର ସପ୍ତମ ଥର ଲାଗି ଅଲିମ୍ପିକ୍ସ ବିଜେତା ହେବାର ଗୌରବ ଅର୍ଜନ କରିଛି। ଏଥିସହ ଆମେରିକାର ଏହା ଲଗାତାର ୫୫ତମ ଅଲିମ୍ପିକ୍‌ କ୍ରୀଡ଼ା ମ୍ୟାଚ୍‌ ବିଜୟ। ୧୯୭୬ ପରଠୁ ଆମେରିକାର ଏହା ନବମ ସ୍ବର୍ଣ୍ଣ। ଅନ୍ୟପକ୍ଷରେ ଜାପାନ ପ୍ରଥମ ଥର ଲାଗି ପଦକ ଲଢ଼େଇରେ ଭାଗନେଇ ରୌପ୍ୟରେ ସନ୍ତୁଷ୍ଟ ରହିଥିଲା। ଶନିବାର ଖେଳାଯାଇଥିବା ତୃତୀୟ ସ୍ଥାନ ମ୍ୟାଚ୍‌ରେ ସର୍ବିଆକୁ ହରାଇ ଫ୍ରାନ୍ସ କାଂସ୍ୟ ପଦକ ଜିତିିଥିଲା।

ମୁଷ୍ଟିଯୁଦ୍ଧ, କ୍ରୁଜ, ହାରିଙ୍ଗଟନ୍‌ ଜିିତି‌ଲେ ଲାଇଟ୍‌ୱେଟ୍‌ ସ୍ବର୍ଣ୍ଣ

ଟୋକିଓ: କ୍ୟୁବାର ଆଣ୍ଡି କ୍ରୁଜ୍‌ ଚଳିତ ଟୋକିଓ ଅଲିମ୍ପିକ୍ସ ପୁରୁଷ ଲାଇଟ୍‌ୱେଟ୍‌ ମୁଷ୍ଟିଯୁଦ୍ଧରେ ସ୍ବର୍ଣ୍ଣ ପଦକ କରାୟତ୍ତ କରିଛନ୍ତି। ରବିବାର ଫାଇନାଲ୍‌ରେ କ୍ରୁଜ୍‌ ଆମେରିକାର ‌କିସାୱନ ଡେଭିସଙ୍କୁ ହରାଇଥିଲେ। ଏହି ବର୍ଗରେ ଦୁଇ ପରାଜିତ ସେମିଫାଇନାଲିଷ୍ଟ ଆର୍ମେନିଆର ହୋଭାନେସ ବାକୋଭ ଓ ଅଷ୍ଟ୍ରେଲିଆରୀ ହାରି ଗାର୍ସିଡ୍‌ କାଂସ୍ୟ ପଦକ ପାଇଥିଲେ। ମହିଳା ଲାଇଟ୍‌ୱେଟ୍‌ ମୁଷ୍ଟିଯୁଦ୍ଧରେ ଆୟର୍ଲାଣ୍ଡର କେଲି ଆନେ ହାରିଙ୍ଗଟନ୍‌ ବ୍ରାଜିଲର ବିତ୍ରିଜ ଫେରେଇରାଙ୍କୁ ହରାଇ ସ୍ବର୍ଣ୍ଣ ପଦକ ଜିିତିଥିଲେ। ସେମିଫାଇନାଲ୍‌ରେ ହାରିଥିବା ଫିନ୍‌ଲାଣ୍ଡର ମିରା ପୋକୋନେନ ଓ ଥାଇଲାଣ୍ଡର ସୁଦାପର୍ନ ସିସୋନ୍ଦିଙ୍କୁ କାଂସ୍ୟ‌ ପଦକ ମିଳିଥିଲା।

ସାଇକ୍ଲିଂ: କାନାଡ଼ାର ମିଚେଲଙ୍କୁ ମହିଳା ସ୍ପ୍ରିଣ୍ଟ ‌ସ୍ବର୍ଣ୍ଣ

ଟୋକିଓ: କାନାଡ଼ାର କେଲସି ମିଚେଲ୍‌ ଅଲିମ୍ପିକ ମହିଳା ସ୍ପ୍ରିଣ୍ଟ୍‌ ଟ୍ରାକ୍‌ ସାଇକ୍ଲିଂରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ସେମିଫାଇନାଲ୍‌ରେ ବିଶ୍ବ ବିଜୟିନୀ ଜର୍ମାନିର ଈମା ‌ହିଞ୍ଜଙ୍କୁ ପଛରେ ପକାଇଥିଲେ। ଫାଇନାଲ୍‌ର ୨୭ ବର୍ଷୀୟା ମିଚେଲ ହେରେ ୟୁକ୍ରେନ୍‌ର ଓଲେନା ଷ୍ଟାରିକୋଭାଙ୍କୁ ହରାଇ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏଥିସହ ମିଚେଲ୍‌ ଅଲିମ୍ପିକ୍‌ ଟ୍ରାକ୍‌ ସାଇକ୍ଲିଂରେ ସ୍ବର୍ଣ୍ଣ ଜିତିବାରେ ଦ୍ବିତୀୟ କାନାଡା ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ୨୦୦୪ରେ ଲୋରି-ଆନ୍‌ ମୁଏଞ୍ଜର ମହିଳା ସ୍ପ୍ରିଣ୍ଟ୍‌ ମୁକୁଟ କରାୟତ୍ତ କରିଥିଲେ। ମିଚେଲ ପୂର୍ବରୁ ଫୁଟ୍‌ବଲର୍‌ ଥିଲେ। ୨୦୧୭ରେ ସେ ଟ୍ରାକ୍‌ ସାଇକ୍ଲିଂ ଆରମ୍ଭ କରିଥିଲେ। ୨୦୧୯ରେ ପାନ୍‌ ସ୍ପ୍ରିଣ୍ଟ୍‌ ମୁକୁଟ ଜିତିଥିଲେ ଏବଂ ୨୦୦ ମିଟର ଟ୍ରାଏଲ୍‌ରେ ବିଶ୍ବ କୀର୍ତ୍ତିମାନ କରିଥିଲେ। ଷ୍ଟାରିକୋଭା ରୌପ୍ୟ ପାଇଥିଲେ। ଯାହା ଅଲିମ୍ପିକ୍‌ ଟ୍ରାକ୍‌ ସାଇକ୍ଲିଂରେ ୟୁକ୍ରେନ୍‌ ମହିଳାଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ। ହଂକଂର ଲି ୱାଇ-ଏସ୍‌ଜି କାଂସ୍ୟ ଜିତିଥିଲେ।

ସମ୍ବନ୍ଧିତ ଖବର