ଶାନ୍ତନୁ-ଧୂପର ଦେଲେ ୩ ପଏଣ୍ଟ୍‌: ଓଡ଼ିଶା-ଗୋଆ ରଣଜୀ ମ୍ୟାଚ୍ ଅମୀମାଂସିତ

ଭୁବନେଶ୍ବର: ଯୁବ ପ୍ରାରମ୍ଭିକ ବ୍ୟାଟ୍‌ର ଶାନ୍ତନୁ ମିଶ୍ରଙ୍କ ଶତକ (୧୦୩) ଏବଂ ୱିକେଟରକ୍ଷକ ରାଜେଶ ଧୂପରଙ୍କ ଉଭୟ ପାଳି ଅର୍ଦ୍ଧଶତକ (୭୧* ଓ ୫୨) ବଳରେ ଓଡ଼ିଶା ଦଳ ୩ ପଏଣ୍ଟରୁ ରଣଜୀ ଟ୍ରଫି ଅଭିଯାନ ଆରମ୍ଭ କରିଛି। ପ୍ରଥମ ପାଳିରେ ନେଇଥିବା ୮ ରନ୍‌ର ଗୁରୁତ୍ବପୂର୍ଣ୍ଣ ଅଗ୍ରଣୀ ଶେଷରେ ଓଡ଼ିଶା ପାଇଁ ନିର୍ଣ୍ଣାୟକ ହୋଇଛି।ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ (ବି)ରେ ରବିବାର ଶେଷ ହୋଇଥିବା ରଣଜୀ ଲିଗ୍‌ର ଏହି‌ ଗୋଆ ବିପକ୍ଷ ପ୍ରଥମ ମ୍ୟାଚ୍‌କୁ ଓଡ଼ିଶା ଅମୀମାଂସିତ ରଖିବାରେ ସକ୍ଷମ ‌‌ହୋଇଥିଲା। ଶୁଭ୍ରାଂଶୁ ସେନାପତିଙ୍କ ଦଳ ସମ୍ମୁଖରେ ୩୮୭ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ରବିବାର ସକାଳେ ୨୨/୦ରୁ ଖେଳ ଆରମ୍ଭ କରିଥିବା ଓଡ଼ିଶା ପାଇଁ ପ୍ରାରମ୍ଭିକ ଖେଳାଳି ଶାନ୍ତନୁ ମିଶ୍ର ଅସୀମ ଧୈର୍ଯ୍ୟ ଦେଖାଇଥିଲେ। ପ୍ରଥମରୁ ୯୭ତମ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରି ଶାନ୍ତନୁ ୨୬୭ ବଲ୍‌ରୁ ୧୦୩ ରନ୍‌ କରି ରନ୍‌ ଆଉଟ୍‌‌ ‌ହୋଇଯାଇଥିଲେ। ତେବେ ସପ୍ତମ ‌‌ଖେଳାଳି ଭାବେ ଆଉଟ୍ ହେବା ବେଳକୁ ଓଡ଼ିଶା ସୁରକ୍ଷିତ ସ୍ଥିତିରେ ପହଞ୍ଚିଯାଇଥିଲା। ସକାଳେ ଓଡ଼ିଶା ୧୦୪ ରନ୍‌ରେ ୪ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ଅନୁରାଗ ଷଡ଼ଙ୍ଗୀ, ଗୋବିନ୍ଦ ପୋଦ୍ଦାର, ଶୁଭ୍ରାଂଶୁ ସେନାପତି ଏବଂ ସନ୍ଦୀପ ପଟ୍ଟନାୟକ ପ୍ୟାଭିଲିଅନ୍‌ ଫେରି ଯାଇଥିଲେ।

ଏହି ସମୟରେ ଶାନ୍ତନୁ ମିଶ୍ର ଏବଂ ପ୍ରଥମ ପାଳିର ନାୟକ ରାଜେଶ ଧୂପର ପଞ୍ଚମ ୱିକେଟ୍ ପାଇଁ ୧୧୯ ରନ୍‌ ଯୋଡ଼ି ଓଡ଼ିଶାକୁ ସୁରକ୍ଷିତ ଦିଗକୁ ନେଇଥିଲେ। ‌ପ୍ରଥମ ପାଳିରେ ମୂଲ୍ୟବାନ ୭୧* ରନ୍‌ କରି ପାଳି ଅଗ୍ରଣୀ ଦେଇଥିବା ରାଜେଶ ରବିବାର ମଧ୍ୟ ଦୃଢ଼ଭାବେ ଖେଳି ୧୭୭ ବଲ୍‌ରୁ ୫୨ ରନ୍‌ କରିଥିଲେ। ଧୂପର ଅର୍ଦ୍ଧଶତକ ହାସଲ ପରେ ଆଉଟ୍‌ ହୋଇଯାଇଥିଲେ ମଧ୍ୟ ଶାନ୍ତନୁ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ। ନିଜ ଦ୍ବିତୀୟ ରଣଜୀ ଶତକ ହାସଲ କରି ନେଇଥିଲେ। ଓଡ଼ିଶାର ସପ୍ତମ ତଥା ଶେଷ ୱିକେଟ୍ ଭାବେ ଶାନ୍ତନୁ ରନ୍‌ଆଉଟ୍ ହେବା ପରେ ଦେବବ୍ରତ ପ୍ରଧାନ (୫*, ୨୧ ବଲ୍‌) ଓ ବସନ୍ତ ମହାନ୍ତି (୦*, ୧୨ ବଲ୍‌) ଶେଷ ୨୧ ବଲ୍‌କୁ ଖେଳି ରୋମାଞ୍ଚକ ଡ୍ର’ ସହ ୩ ପଏଣ୍ଟ ପ୍ରଦାନ କରିଥିଲେ। ଗୋଆକୁ ଗୋଟିଏ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଉଭୟ ପାଳିରେ ଅର୍ଦ୍ଧଶତକ ହାସଲ କରି ଉଲ୍ଲେଖନୀୟ ସଫଳତା ପାଇଥିବା ରାଜେଶ ଧୂପର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏଲିଟ୍‌ ଗ୍ରୁପ୍‌ ‘ଡି’ରେ ଓଡ଼ିଶା ନିଜ ଦ୍ବିତୀୟ ମ୍ୟାଚ୍‌ ୨୪ ତାରିଖରୁ ସୌରାଷ୍ଟ୍ର ବିପକ୍ଷରେ‌ ଖେଳିବ।

ସଂକ୍ଷିପ୍ତ ସ୍କୋର୍‌: ଗୋଆ ପ୍ରଥମ ପାଳି: ୧୮୧ (ଏକନାଥ କେର୍କର-୭୬, ବସନ୍ତ ମହାନ୍ତି-୩/୨୭, ଅଭିଷେକ ରାଉତ-୨/୨୦)। ଓଡ଼ିଶା ପ୍ରଥମ ପାଳି: ୧୮୯ (ରାଜେଶ ଧୂପର-୭୧*, ଶୁଭମ ରଂଜନେ-୫/୪୯)। ଗୋଆ ଦ୍ବିତୀୟ ପାଳି: ୩୯୪/୫, ଘୋଷିତ (ସ୍ନେହାଲ୍‌ କୌଠଙ୍କର-୧୬୫*, ଅଭିଷେକ ରାଉତ-୩/୧୦୬)। ଓଡ଼ିଶା ଦ୍ବିତୀୟ ପାଳି: ୧୦୦ ଓଭରରେ ୨୩୯/୭ (ଶାନ୍ତନୁ ମିଶ୍ର-୧୦୩, ରାଜେଶ ଧୂପର-୫୨, ସନ୍ଦୀପ ପଟ୍ଟନାୟକ-୩୨, ଅମିତ ଯାଦବ-୨/୨୪, ଦର୍ଶନ ମିଶାଲ-୨/୭୬, ଶ୍ରୀକାନ୍ତ ବାଗ-୧/୨୮, ଲକ୍ଷୟ ଗର୍ଗ-୧/୪୭)।

ଭୁବନେଶ୍ବରରେ ହାଇଦ୍ରାବାଦ ବିଜୟୀ
ଭୁବନେଶ୍ବର ଉପକଣ୍ଠ ବିକାଶ କ୍ରିକେଟ୍ ପଡ଼ିଆରେ ଚାଲିଥିବା ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ହାଇଦ୍ରାବାଦ ୨୧୭ ରନ୍‌ର ବଡ଼ ବ୍ୟବଧାନରେ ଚଣ୍ଡିଗଡ଼କୁ ପରାସ୍ତ କରିଛି। ମଧ୍ୟମଗତି ଦ୍ରୁତ ବୋଲର ତେଲୁକୁପଲି ରବି ତେଜା (୩/୫୩ ଓ ୬/୪୧) ଏବଂ ଟେଷ୍ଟ ଖେଳାଳି ହନୁମା ବିହାରୀ (୫୯ ଓ ୧୦୬) ଉଭୟ ପାଳିରେ ଚମତ୍କାର ପ୍ରଦର୍ଶନ କରି ହାଇଦ୍ରାବାଦକୁ ଜିତାଇଥିଲେ। ହାଇଦ୍ରାବାଦ ୩୪୭ ଏବଂ ୨୬୯ ରନ୍ କରିଥିବା ବେ‌ଳେ ଚଣ୍ଡିଗଡ଼ ୨୧୬ ଓ ୧୮୩ ରନ୍ କରିଥିଲା। ରବି ତେଜା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ‌ ହୋଇଥିଲେ।

ବାରବାଟୀରେ ବେଙ୍ଗଲର ବିଖ୍ୟାତ ବିଜୟ
ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ରବିବାର ବେଙ୍ଗଲ ଅନ୍ୟତମ ବିଖ୍ୟାତ ବିଜୟ ଅର୍ଜନ କରିଛି। ବରୋଦା ବିପକ୍ଷ ଏହି ମ୍ୟାଚ୍‌ରେ ପ୍ରଥମ ପାଳିରେ ଲଜ୍ଜାଜନକ ୮୮ ରନ୍‌ କରିବା ସହ ୯୩ ରନ୍‌ ପଛରେ ପଡ଼ିଥିଲା ଗତଥରର ଉପବିଜେତା ବେଙ୍ଗଲ। କିନ୍ତୁ ଦ୍ବିତୀୟ ପାଳିରେ ୩୪୫ ରନ୍‌ ବିଜୟ ଲକ୍ଷକୁ ଶେଷ ଦିନର କଷ୍ଟକର ପିଚ୍‌ରେ ସମ୍ଭବ କରି ଦେଖାଇଥିଲା। ବଡ଼ ବିଜୟ ଲକ୍ଷ୍ୟକୁ ପଶ୍ଚାତଧାବନ କରିଥିବା ବେଙ୍ଗଲ୍ ପାଳିରେ ଅଭିମନ୍ୟୁ ଈଶ୍ବରନ (୭୯), ସାହାବାଜ ଅହମ୍ମଦ (୭୧*, ୧୦୦ ବଲ୍‌) ଏବଂ ଅଭିଷେକ ପରୋଲ୍‌ (୫୩*) ପ୍ରମୁଖ ଥିଲେ। କ୍ରୀଡ଼ାମନ୍ତ୍ରୀ ମନୋଜ ତିୱାରୀ (୩୭) ଆଉଟ୍ ହେବା ବେଳକୁ ବେଙ୍ଗଲ ୭୦ତମ ଓଭରରେ ୨୪୨/୬ରେ ସଂଘର୍ଷ କରୁଥିଲା। ସାହାବାଜ ଓ ପୋରେଲ୍‌ ଅତୁଟ ସପ୍ତମ ୱିକେଟ୍‌ରେ ୨୨ ଓଭରରୁ ୧୦୮ ରନ୍ ଉଠାଇ ବେରାଦାକୁ ଚକିତ କରି ଦେଇଥିଲେ। ବେଙ୍ଗଲ ୬ ପଏଣ୍ଟ ପାଇଥିବା ବେଳେ ସାହାବାଜ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବି‌ବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର