ଓଡ଼ିଶାରେ ବଢ଼ୁଛି ‘କ୍ରୀଡ଼ା ପର୍ଯ୍ୟଟନ’ ସୁ‌ଯୋଗ

ଦ୍ରୁତ ଅଭିବୃଦ୍ଧିଶୀଳ କ୍ଷେତ୍ର ମଧ୍ୟରୁ ଅନ୍ୟତମ

ଦେବାଶିଷ ସୁନ୍ଦରାୟ
ଭୁବନେଶ୍ବର: ଶୀତୁଆ ଅପରାହ୍ଣର କୋମଳ ଖରା। ନୂଆ ନୂଆ ବିଛାଯାଇଥିବା ନୀଳ ରଙ୍ଗର ସିନ୍ଥେଟିକ୍ ଟର୍ଫରେ କୁନିରୁ କିଶୋର, ଯୁବାରୁ ବୟସ୍କ ଓ ସୌଖୀନରୁ ପେସାଦାର ସମସ୍ତେ ହାତରେ ଷ୍ଟିକ୍ ଧରି ହକି ଖେଳୁଛନ୍ତି। ପାଖରେ ଲୋକଗୀତର ତାଳେ ତାଳେ ଉପସ୍ଥାପକ କୃଷ୍ଣା ଅଭି‌ଷେକ ଓ ତାଙ୍କ ଅଭିନେତ୍ରୀ ପତ୍ନୀ କାଶ୍ମୀରା ସାହା ଗାଁର ମହିଳାମାନଙ୍କ ସହ ପାରମ୍ପରିକ ଆଦିବାସୀ ନୃତ୍ୟ ପରିବେଷଣ କରୁଛନ୍ତି। ସମସ୍ତେ ଯେମିତି ହକି ରଙ୍ଗରେ ରଙ୍ଗେଇ ହୋଇଯାଇଛନ୍ତି। ୬୦ରୁ ଅଧିକ ଜାତୀୟ ଏବଂ ୧୫ରୁ ଅଧିକ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିଥିବା ସୁନ୍ଦରଗଡ଼ ଜିଲ୍ଲାର ‘ହକି ଗାଁ’ ସଉନାମରାର କୌଣସି ଏକ ହକି ପଡ଼ିଆର ଏଭଳି ମନ୍ତ୍ରମୁଗ୍ଧକର ଦୃଶ୍ୟକୁ ନେଇ ହିଷ୍ଟ୍ରି ଚ୍ୟାନେଲ୍‌ରେ ପ୍ରସାରିତ ‘ଓଏମ୍‌ଜି, ୟେ ମେରା ଇଣ୍ଡିଆ’ କାର୍ଯ୍ୟକ୍ରମ କେବଳ ଓଡ଼ିଶାର ବର୍ଦ୍ଧିତ କ୍ରୀଡ଼ା ଶକ୍ତିକୁ ଦର୍ଶାଉ ନାହିଁ। ବରଂ କ୍ରୀଡ଼ା ଭିତ୍ତିଭୂମିର ବିଶ୍ବସ୍ତରୀୟ ବିକାଶ ସହ ଓଡ଼ିଶାରେ ବଢ଼ି ଚାଲିଥିବା ‘କ୍ରୀଡ଼ା ପର୍ଯ୍ୟଟନ’ ବା ‘ସ୍ପୋର୍ଟ୍ସ ଟୁରିଜମ୍‌’ର ଅପାର ସୁଯୋଗକୁ ପ୍ରତିପାଦିତ କରୁଛି।

‘କ୍ରୀଡ଼ା ପର୍ଯ୍ୟଟନ’ କ’ଣ?
ସ୍ପୋର୍ଟସ୍‌ ଟୁରିଜିମ୍‌ ବା କ୍ରୀଡ଼ା‌ ପର୍ଯ୍ୟଟନ ହେଉଛି ପର୍ଯ୍ୟଟନର ଏମିତି ଏକ ରୂପ ‌ଯେଉଁଥିରେ ପର୍ଯ୍ୟଟକମାନେ କୌଣସି ପ୍ରତିଦ୍ବନ୍ଦ୍ବିତାମୂଳକ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା, ଦେଖିବା ଅଥବା ଏହାର ବିଭିନ୍ନ ବ୍ୟାବସାୟିକ ଓ ଅଣବ୍ୟାବସାୟିକ କାର୍ଯ୍ୟକଳାପରେ ସାମିଲ ହେବା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାତ୍ରା କରିଥା’ନ୍ତି। ଏହା ସାଧାରଣତଃ ଦୁଇଟି ଭାଗରେ ବିଭକ୍ତ। ହାର୍ଡ ସ୍ପୋର୍ଟସ୍‌ ଟୁରିଜିମ୍‌ ଓ ସଫ୍ଟ ସ୍ପୋର୍ଟସ ଟୁରିଜିମ୍‌। କୌଣସି ଏକ ନିର୍ଦ୍ଦିଷ୍ଟ ଜାତୀୟ କିମ୍ବା ଅନ୍ତର୍ଜାତୀୟ କ୍ରୀଡ଼ା ଯଥା ଅଲିମ୍ପିକ୍ସ, କ୍ରିକେଟ୍ ବିଶ୍ବକପ୍, ଫୁଟ୍‌ବଲ୍ ବିଶ୍ବକପ୍, ହକି ବିଶ୍ବକପ୍, ଫର୍ମୁଲା ୱାନ୍ ରେସ୍, ଖେଲୋ ଇଣ୍ଡିଆ କ୍ରୀଡ଼ା ଓ ଜାତୀୟ କ୍ରୀଡ଼ା ଆଦି ଲାଗି ଗୋଟିଏ ଦେଶରୁ ଅନ୍ୟ ଦେଶ କିମ୍ବା ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ପର୍ଯ୍ୟଟକମାନେ ଯାତ୍ରା କରିବାକୁ ହାର୍ଡ ସ୍ପୋର୍ଟସ ଟୁରିଜିମ୍‌ କୁହାଯାଇଥାଏ। ଅନ୍ୟପକ୍ଷରେ ଗଲ୍ଫ, ହାଇକିଂ, ସ୍କି, ଦୌଡ଼କୁଦ, କାନୋଇଂ ଭଳି ସୌଖୀନ ଶ୍ରେଣୀର ପ୍ରତିଯୋଗିତା ଲାଗି ଆସୁଥିବା ପର୍ଯ୍ୟଟକଙ୍କୁ ସଫ୍ଟ ସ୍ପୋର୍ଟସ୍‌ ଟୁରିଜିମ ଶ୍ରେଣୀଭୁକ୍ତ କରାଯାଇଥାଏ। ସେହିଭଳି ପାହାଡ଼ ଚଢ଼ା, କ୍ୟାମ୍ପିଂ ଆଦିକୁ ଅାଉ ଏକ ବର୍ଗ ‘ଦୁଃସାହାସିକ କ୍ରୀଡ଼ା’ ପର୍ଯ୍ୟଟନର ଆଖ୍ୟା ବି ମିଳିଥାଏ। ଓଡ଼ିଶାରେ ମଧ୍ୟ ଏହାର ପର୍ଯ୍ୟାପ୍ତ ସୁଯୋଗ ରହିଛି।

ଦ୍ରୁତ ଅଭିବୃଦ୍ଧିଶୀଳ କ୍ଷେତ୍ର ମଧ୍ୟରୁ ଅନ୍ୟତମ
ହକି, କ୍ରିକେଟ୍‌, ଫୁଟ୍‌ବଲ୍‌ରେ ସର୍ବାଧିକ ସମ୍ଭାବନା
୮,୦୦୦ କୋଟି ଟଙ୍କାର ଭାରତୀୟ ବଜାର
ରାଜ୍ୟରେ ୫୦୦ କୋଟି ଟପିବାର ଆଶା
କ୍ରୀଡ଼ା ଷ୍ଟାର୍ଟ ଅପ୍ ମହତ୍ତ୍ବପୂର୍ଣ୍ଣ ଭୂମିକା ନେବେ

‘କ୍ରୀଡ଼ା ପର୍ଯ୍ୟଟନ’ ଏକ ନୂଆ ଚିନ୍ତାଧାରା ହୋଇଥିଲେ ମଧ୍ୟ ଓଡ଼ିଶାରେ ଏହାର ଆକାର ବ୍ୟାପକ ହେବାର ସମସ୍ତ ଭିତ୍ତିଭୂମି ଅଛି। ବହୁମୁଖୀ ସୁବିଧା ପାଇଁ ଉଚ୍ଚ ପ୍ରଶଂସିତ କଳିଙ୍ଗ ହକି ଷ୍ଟାଡିୟମ୍‌, ରାଉରକେଲାରେ ବିଶ୍ବର ସର୍ବବୃହତ୍ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍, ଭୁବନେଶ୍ବରରେ ଭାରତର ପ୍ରଥମ ଓ ଦକ୍ଷିଣ ଏସିଆର ସର୍ବବୃହତ୍ ଇନ୍‌ଡୋର୍‌ ଷ୍ଟାଡିୟମ୍, କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ୍, କଳିଙ୍ଗ ଷ୍ଟାଡିୟମ୍‌ରେ ବିଶ୍ବସ୍ତରୀୟ ସନ୍ତରଣ ହଲ୍, ସବୁ ଜିଲ୍ଲାରେ ମିନି ଷ୍ଟାଡିୟମ୍, ୧୦ରୁ ଅଧିକ ଉଚ୍ଚଗୁଣବତ୍ତା କେନ୍ଦ୍ର, କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଆଦି ପାଇଁ ଓଡ଼ିଶା କ୍ରୀଡ଼ାବିତ୍ ଓ କ୍ରୀଡ଼ାକୁ ଭଲପାଉଥିବା ପ୍ରଶଂସକଙ୍କ ପାଇଁ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପାଲଟିବା ଦିଗରେ ଧୀରେଧୀରେ ଅଗ୍ରସର ହେଉଛି। ଦୁଇ ଦୁଇ ଥର ହକି ବିଶ୍ବକପ୍, ଏସୀୟ ଦୌଡ଼କୁଦ, ଏଫ୍‌ଆଇଏଚ୍ ପ୍ରୋ ଲିଗ୍, ଏଏଫ୍‌ସି କପ୍‌ ଫୁଟବଲ୍ ତଥା ଅଗଣିତ ଜାତୀୟ ପ୍ରତିଯୋଗିତା ଆୟୋଜନ କରି ସାରା ବିଶ୍ବରୁ ପ୍ରଶଂସା ସାଉଣ୍ଟିଥିବା ଓଡ଼ିଶାର ରାଜଧାନୀ ଭୁବନେଶ୍ବର ଆଜି ଦେଶର କ୍ରୀଡ଼ା କ୍ୟାପିଟାଲର ମାନ୍ୟତା ପାଇଛି। ନିକଟରେ କଳିଙ୍ଗ ଷ୍ଟାଡିୟମ୍ ଇନ୍‌ଡୋର୍‌ ଆଥଲେଟିକ୍ସ ଷ୍ଟାଡିୟମ୍‌ର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବା ଲାଗି ଭୁବନେଶ୍ବର ଆସିଥିବା ସର୍ବଭାରତୀୟ ଦୌଡ଼କୁଦ ସଂଘ (ଏଆଇଏଫ୍‌ଏଫ୍‌)ର ସଭାପତି ଆଦିଲ ସୁମେରିୱାଲା ଆଗାମୀ ସମୟରେ ଓଡ଼ିଶା ଦେଶର ପ୍ରମୁଖ କ୍ରୀଡ଼ା ପର୍ଯ୍ୟଟନ କେନ୍ଦ୍ର‌ରେ ପରିଣତ ହେବ ବୋଲି ଭବିଷ୍ୟବାଣୀ କରିସାରିଛନ୍ତି। ଏଥିଲାଗି ସେ ଓଡ଼ିଶାର ଭିତ୍ତିଭୂମି, ଭୌଗୋଳିକ ସ୍ଥିତି, ସରକାରୀ କଳର ଇଚ୍ଛାଶକ୍ତି ତଥା କ୍ରୀଡ଼ା ପାଇଁ ଅହେତୁକ ଭଲପାଇବାକୁ କାରଣ ଭାବେ ଦର୍ଶାଇଛନ୍ତି। ଏହା ଦ୍ବାରା ଓଡ଼ିଶାରେ କେବଳ କ୍ରୀଡ଼ା କିମ୍ବା ତତ୍‌ସଂପର୍କିତ ବ୍ୟବସାୟ ନୁହେଁ ହୋଟେଲ, ଟ୍ରାଭେଲ୍‌ ଆଣ୍ଡ ଟୁରିଜିମ, ଖାଦ୍ୟ, ହସ୍ତତନ୍ତ, ହସ୍ତଶିଳ୍ପ ସାମଗ୍ରୀ ଆଦିର ବ୍ୟବସାୟ ଆଶାତୀତ ଭାବେ ବୃଦ୍ଧି ପାଇବ ବୋଲି ଆକଳନ କରିଛନ୍ତି ସେ। ସେହିଭଳି ଓଡ଼ିଶାରେ କ୍ରୀଡ଼ା କ୍ଷେତ୍ର ଲାଗି ହେଉଥିବା ପୁଞ୍ଜିନିବେଶକୁ ପ୍ରଶଂସା କରିଛନ୍ତି ସେ। ଆଗାମୀ ସମୟରେ ଏହା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିର ଅନ୍ୟତମ କାରଣ ହେବ। ଏଥିଲାଗି ଓଡ଼ିଶାକୁ ଆସୁଥିବା ବିଦେଶୀ ଓ ଅଭ୍ୟନ୍ତରୀୟ ପର୍ଯ୍ୟଟକଙ୍କ ସଂଖ୍ୟା ଯଥେଷ୍ଟ ମାତ୍ରାରେ ବଢ଼ିବ। ଏପରିକି ଓଡ଼ିଶା ଏସିଆ ମହାଦେଶର ଅନ୍ୟତମ କ୍ରୀଡ଼ା ପର୍ଯ୍ୟଟନ ପେଣ୍ଠସ୍ଥଳୀ ଭାବେ ଉଭା ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ଜଣେ ବ୍ୟବସାୟୀ କହିଛନ୍ତି। କ୍ରୀଡ଼ା ପ୍ରଶଂସକମାନେ ଏହି କ୍ଷେତ୍ରରେ ମଧ୍ୟ ନିଜନିଜର ବଳିଷ୍ଠ ଯୋଗଦାନ ରଖିବେ। କ୍ରିକେଟ୍‌ରେ ଇଂଲଣ୍ଡର ‘ବାର୍ମି ଆର୍ମି’ ଭଳି ‘ଭାରତ ଆର୍ମି’ ଏବଂ ଫୁଟ୍‌ବଲ୍‌ରେ ‘ଜଗରନଟ୍ସ’ ଭଳି ପ୍ରଶଂସକ କ୍ଲବ୍ ଏହି କ୍ଷେତ୍ରରେ ମହତ୍ବପୂର୍ଣ୍ଣ ଭୂମିକା ତୁଲାଇବାକୁ ଯାଉଛନ୍ତି।

ଏକ ଆକଳନ ଅନୁଯାୟୀ ଭାରତୀୟ କ୍ରୀଡ଼ା ପର୍ଯ୍ୟଟନ ଶିଳ୍ପକୁ କ୍ରିକେଟ୍‌ ଅବଦାନ ହେଉଛି ସର୍ବାଧିକ। ଦେଶର କ୍ରୀଡ଼ା ପର୍ଯ୍ୟଟନ ରାଜସ୍ବର ୩୯ ପ୍ରତିଶତ କ୍ରିକେଟ୍, ୧୩ ପ୍ରତିଶତ ବାସ୍କେଟବଲ୍, ୧୦ ପ୍ରତିଶତ ଫୁଟବଲ୍, ୧୦ ପ୍ରତିଶତ ମୋଟର ସ୍ପୋର୍ଟସ, ୯ ପ୍ରତିଶତ ବ୍ୟାଡମିଣ୍ଟନ୍ ଏବଂ ୧୯ ପ୍ରତିଶତ ଅନ୍ୟାନ୍ୟ ଖେଳରୁ ଅସୁଥିବା ଜଣାପଡ଼ିଛି। ଏଣୁ ଓଡ଼ିଶା ସରକାର ବାରବାଟୀ ଷ୍ଟାଡିୟମ୍‌ର ପୁନଃନିର୍ମାଣ ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା ଅର୍ଥନୈତିକ ଦୃଷ୍ଟିରୁ ମଧ୍ୟ ଆଗାମୀ ସମୟରେ ଏକ ମାଖଲ୍‌ଖୁଣ୍ଟ ହେବାକୁ ଯାଉଛି। ଭାରତରେ କ୍ରୀଡ଼ା ଷ୍ଟାର୍ଟ ଅପ୍‌ର ସଂଖ୍ୟା ବଢ଼ିବଢ଼ି ଚାଲିଥିଲା ବେଳେ ଓଡ଼ିଶାରେ ଏହି ଧାରା ସାମାନ୍ୟ ପଛୁଆ ରହିଛି। ଏଣୁ ରାଜ୍ୟରେ କ୍ରୀଡ଼ା କ୍ଷେତ୍ରକୁ ମଧ୍ୟ ଷ୍ଟାର୍ଟଅପ୍‌ ଧାରାରେ ସାମିଲ କରିବା ଏହି ଦିଗରେ ଆଉ ଏକ ବଳିଷ୍ଠ ପଦକ୍ଷେପ ହୋଇପାରେ ବୋଲି ଅର୍ଥନୀତି ବିଶାରଦ ଅସୀମ ଭଟ୍ଟାଚାର୍ଯ୍ୟ କହିଛନ୍ତି। ତାଙ୍କ ଅନୁସାରେ ସବୁକିଛି ଠିକ୍ ରହିଲେ ୨୦୩୦ ବେଳକୁ ଓଡ଼ିଶାରେ କ୍ରୀଡ଼ା ପର୍ଯ୍ୟଟନ ୫୦୦ କୋଟି ଟଙ୍କା ଛୁଇଁବାର ପ୍ରତିଶ୍ରୁତି ରଖୁଛି। କାରଣ ଭାରତୀୟ ଅର୍ଥନୀତିକୁ ଘରୋଇ ପରିବେଶରେ ଆୟୋଜିତ ୨୦୨୩ ଦିନିକିଆ କ୍ରିକେଟ୍ ବିଶ୍ବକପ୍‌ର ଅବଦାନ ଥିଲା ପ୍ରାୟ ୨୧,୫୦୦ କୋଟି ଟଙ୍କା। ସୂଚନା ଅନୁସାରେ ସଂପ୍ରତି ବିଶ୍ବ ସ୍ପୋର୍ଟସ ଟୁରିଜିମର ଆକାର ହେଉଛି ପ୍ରାୟ ୬୩,୦୦୦ କୋଟି ଟଙ୍କା। ଭାରତରେ ଏହାର ଆକାର ହେଉଛି ୮,୦୦୦ କୋଟି ଟଙ୍କା ଯାହା ଆଗାମୀ ୧୦ ବର୍ଷ ମଧ୍ୟରେ ୪୦,୦୦୦ କୋଟି ଟଙ୍କା ଛୁଇଁବ।

ସମ୍ବନ୍ଧିତ ଖବର