ରାଜ୍ୟ ଯୁବ ଚେସ୍‌: ୟାଶିତା, ପ୍ରିୟାଂଶ ବିଜେତା

ଭୁବନେଶ୍ବର: ପଟିଆସ୍ଥିତ ମଧୁସୂଦନ ଦେବ ଡିଗ୍ରି କଲେଜ୍‌ ପରିସରରେ ଚାଲିଥିବା ରାଜ୍ୟ ଯୁବ ଚେସ୍‌ (୧୫ ବର୍ଷରୁ କମ୍‌ ଓପନ୍ ଓ ବାଳିକା) ପ୍ରତ‌ିଯୋଗିତା ଶନିବାର ଶେଷ ହୋଇଛି। ବାଳିକାରେ ଖୋର୍ଦ୍ଧା ଜିଲ୍ଲାର ୟାଶିତା ରାଉତ (୫.୫), କଟକର ଜୟଲକ୍ଷ୍ମୀ (୫), ଖୋର୍ଦ୍ଧାର କ୍ରିଷ୍ଣା ଅର୍ପିତା (୪.୫), କଟକର ଶ୍ରଦ୍ଧା ସ୍ମରଣିକା ନନ୍ଦ (୪) ପ୍ରଥମ ୪ ସ୍ଥାନରେ ରହି ଜାତୀୟ ଯୋଗ୍ୟତା ଅର୍ଜନ କରିଛନ୍ତି। ବିଜୟିନୀ ୟାଶିତା ରାଉତଙ୍କ ପାଇଁ ଖୁସି ଦ୍ବିଗୁଣିତ ହୋଇଛି। ଅକ୍ଟୋବର ୩୦ ତାରିଖରେ ୟାଶିତା ଅମୃତସରଠାରେ ଏଏସ୍‌ଆଇଏସ୍‌ସି ଜାତୀୟ ୧୭ ବର୍ଷରୁ କମ୍‌ ବାଳିକାରେ ଟ୍ରଫି ବିଜୟିନୀ ହୋଇ ଖେଲୋ ଇଣ୍ଡିଆ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି।

ଓପନ୍ ବର୍ଗରେ ଯାଜପୁରର ପ୍ରିୟାଂଶ ଦାସ, ଖୋର୍ଦ୍ଧାର ଅରିନ୍ ଅନ୍ବେଷ ସ୍ବାଇଁ (ଉଭୟ ୫ ପଏଣ୍ଟ), କୌସ୍ତୁଭ ଦାଶ, ଓମ୍ ଆଦିତ୍ୟ ଖାଡ଼ଙ୍ଗା (ଉଭୟ ୪.୫) ଶୀର୍ଷ ୪ରେ ରହି ମଧ୍ୟ ଜାତୀୟ ଯୋଗ୍ୟତା ଅର୍ଜନ କରିଛନ୍ତି। ନଭେମ୍ବର ୨୭ରୁ ଡିସେମ୍ବର ୬ ତାରିଖ ଯାଏ ନୂଆଦିଲ୍ଲୀରେ ଜାତୀୟ ସବ୍ ଜୁନିୟର୍ (ଓପନ୍ ଓ ବାଳିକା) ପ୍ରତିଯୋଗିତାରେ ଏହି ୮ ଜଣ ଓଡ଼ିଶାର ପ୍ରତିନିଧିତ୍ବ କରିବେ। ଶନିବାର ଉଦ୍‌ଯାପନୀ ଉତ୍ସବରେ ଓଡ଼ିଏମ୍‌ ପବ୍ଲିକ ସ୍କୁଲ୍‌ ପ୍ରତିଷ୍ଠତା ତଥା ଅଧ୍ୟକ୍ଷ ସତ୍ୟବ୍ରତ ମୀନକେତନ, ମଧୁସୂଦନ ଦେବ ଡିଗ୍ରି କଲେଜ୍ ଅଧ୍ୟକ୍ଷ ପ୍ରଶାନ୍ତ ରାଉତ, ଏଓସିଏ କୋଷାଧ୍ୟକ୍ଷ ଭବେଶ ମହାନ୍ତି, ଏମ୍‌ସିଏଫ୍‌ ପ୍ରତିଷ୍ଠାତା ବିକ୍ରମ କେଶରୀ ବିଶ୍ବାଳ, ଖୋର୍ଦ୍ଧା ଜିଲ୍ଲା‌ ଚେସ୍‌ ସଂଘ ସମ୍ପାଦକ ଶୁଭାଶିଷ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ସରୋଜ କୁମାର ବେହେରା, ଚିଫ୍‌ ଆର୍ବିଟର୍‌ ସୁରେଶ ଚନ୍ଦ୍ର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର