ରାଜ୍ୟ ଉପକନିଷ୍ଠ ମହିଳା ହକିରେ ଢେଙ୍କାନାଳ ବିଜେତା

ଭୁବନେଶ୍ବର: କିଟ୍‌ ହକି ଷ୍ଟାଡିୟମ‌୍‌ରେ ଶେଷ ହୋଇଥିବା ହକି ଆସୋସିଏସ୍‌ ଅଫ୍‌ ଓଡ଼ିଶା (ହାଓ) ଦ୍ବାରା ଆୟୋଜିତ ଉପ କନିଷ୍ଠ ମହିଳା ହକି ପ୍ରତିଯୋଗିତାରେ ଢେଙ୍କାନାଳ ବିଜେତା ହୋଇଛି। ଫାଇନାଲ୍‌ରେ ଢେଙ୍କାନାଳ ୬-୦ ଗୋଲ୍‌ରେ ସୁନ୍ଦରଗଡ଼କୁ ହରାଇ ଏହି ସଫଳତା ପାଇଛି। ତେବେ ତୃତୀୟ ସ୍ଥାନ ପାଇଁ‌ ହୋଇଥିବା ମ୍ୟାଚ୍‌ରେ କିଟ୍‌/କିସ୍‌ ପେନାଲ୍‌ଟି ସୁଟ୍ଆଉଟ୍‌ରେ ଦେଓଗଡ଼କୁ ହରାଇ ପ୍ରଥମ ଥର କାଂସ୍ୟ ପଦକ ଜିତିଛି। ନିର୍ଧାରିତ ସମୟ ମ୍ୟାଚ୍‌ ୧-୧ ଗୋଲ୍‌ରେ ଅମୀମାଂସିତ ରହିବା ପରେ ପେନାଲ୍‌ଟି ସୁଟ୍‌ଆଉଟ୍‌ରେ କିଟ୍‌/କିସ୍‌ ୩-୨ରେ ବିଜୟୀ ହୋଇଥିଲା।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଯୁଗ୍ମ ସଚିବ ଶୁଭ୍ରାଂଶୁ ମିଶ୍ର, କୈଳାସ ଚନ୍ଦ୍ର ଦାସ, ଶୈଳେନ୍ଦ୍ର କୁମାର ଜେନା, ଅଲିମ୍ପିଆନ୍‌ ଲିଲିମା ମିଞ୍ଜ୍‌, ସୁନିତା ଲାକ୍ରା, କିଟ୍‌ ଓ କିସ୍‌ର କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ବିଜେତା ଦଳର ତନୁଜା ଟୋପ୍ପୋଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା। ଏଥିସହିତ ଅଞ୍ଜଳି ମୁଣ୍ଡାଙ୍କୁ ଶ୍ରେଷ୍ଠ ଗୋଲରକ୍ଷକ, ସଲିମା ଲାକ୍ରାଙ୍କୁ ଶ୍ରେଷ୍ଠ ଡିଫେଣ୍ଡର, ପ୍ରେମସିଲା ବାଗେଙ୍କୁ ଶ୍ରେଷ୍ଠ ମିଡ୍‌ଫିଲ୍ଡର, କରୁଣା ମିଞ୍ଜଙ୍କୁ ଶ୍ରେଷ୍ଠ ଫରୱାର୍ଡ ପୁରସ୍କାର ଦିଆଯାଇଥିଲା। ଏହି ପ୍ରତିଯୋଗିତାରୁ ମ‌େନାନୀତ ଖେଳାଳିମାନେ ରାଜ୍ୟ ଶିବିରରେ ଯୋଗଦେବେ। ଆୟୋଜକଙ୍କ ପକ୍ଷରୁ ସମସ୍ତ ସହଯୋଗ ପାଇଁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଯାଇଥିଲା ବେଳେ ଶ୍ରୀ ସାମନ୍ତ ବିଜେତା ଓ ଅନ୍ୟ ଦଳମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର