ଇଞ୍ଜେକ୍ସନ କି ଔଷଧ, ଯାହା ଦେଉଛ ଦିଅ, କିନ୍ତୁ ମୋତେ ସୁସ୍ଥ କର; ଜାଣନ୍ତୁ ଏଭଳି କାହିଁକି କହିଲେ ସୂର୍ଯ୍ୟକୁମାର ଯାବଦ

ହାଇଦ୍ରାବାଦ : ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୨-୧ରେ ଜିତି ବିଶ୍ବକପ୍‌ ପୂର୍ବରୁ ଆତ୍ମବିଶ୍ବାସ ଅର୍ଜନ କରିଛି। ରବିବାର ତୃତୀୟ ମ୍ୟାଚ୍‌ରେ ଅକ୍ଷର ପଟେଲଙ୍କ ଚମତ୍କାର ବୋଲିଂ (୩/୩୩) ପରେ ବିରାଟ କୋହଲି (୬୩), ସୂର୍ଯ୍ୟକୁମାର ଯାଦବ (୬୯)ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ଭାରତ ବିଜୟୀ ହୋଇଥିଲା। କିନ୍ତୁ ଏହି ଇନିଂସ ସୂର୍ଯ୍ୟକୁମାର ପାଇଁ ସହଜ ନଥିଲା ବୋଲି ଜଣାପଡ଼ିଛି। କାରଣ ସେ ମ୍ୟାଚ୍ ପୂର୍ବରୁ ଭୀଷଣ ଜ୍ୱରରେ ପୀଡ଼ିତ ଥିଲେ।

ବିସିସିଆଇ ମ୍ୟାଚ ପରେ ସୁର୍ଯ୍ୟକୁମାର ଯାଦବ ଏବଂ ଅକ୍ଷର ପଟେଲଙ୍କ ସାକ୍ଷାତକାର ପୋଷ୍ଟ କରିଛି। ଏହି ସାକ୍ଷାତକାରରେ ସୂର୍ଯ୍ୟକୁମାର ଯାଦବ କହିଛନ୍ତି ଯେ, ମ୍ୟାଚ ପୂର୍ବରୁ ମୋର ସ୍ବାସ୍ଥ୍ୟାବସ୍ଥା ବହୁତ ଖରାପ ଥିଲା ଏବଂ ଇଞ୍ଜେକ୍ସନ ନେବା ପରେ ମ୍ୟାଚ ଖେଳିବାକୁ ମୁଁ ପଡ଼ିଆକୁ ଓହ୍ଲାଇଥିଲି। ବିସିସିଆଇ ସେୟାର କରିଥିବା ଭିଡିଓରେ ଦେଖାଯାଇଛି ଯେ, ସାକ୍ଷାତକାର ସମୟରେ ଅକ୍ଷର ପଟେଲ ସୂର୍ଯ୍ୟକୁମାର ଯାଦବଙ୍କୁ ପ୍ରଶ୍ନ ପଚାରୁଛନ୍ତି। ସକାଳେ ଉଠିବା ପରେ ଫିଜିଓ ରୁମରେ ବହୁତ ପାଟି ଶୁଭୁଥିଲା ଏବଂ ସମସ୍ତେ ଆପଣଙ୍କ ବିଷୟରେ କଥା ହେଉଥିଲେ। କ’ଣ ହୋଇଥିଲା କହିବେ କି? ଉତ୍ତରରେ ସୂର୍ଯ୍ୟକୁମାର ଯାଦବ କହୁଛନ୍ତି ଯେ, ପାଗ ବଦଳୁଛି ଏବଂ ଆମେ ବିଭିନ୍ନ ସ୍ଥାନକୁ ମଧ୍ୟ ଯାତ୍ରା କରୁଛୁ। ଏଥିପାଇଁ ମୋ ପେଟରେ ଯନ୍ତ୍ରଣା ହେବା ସହ ମୋତେ ଜ୍ୱର ହୋଇଥିଲା। ରବିବାର ମ୍ୟାଚ ଥିବାରୁ ମୁଁ ଡାକ୍ତରଙ୍କୁ କହିଥିଲି, ମୋତେ ଔଷଧ ଦିଅ କି ଇଞ୍ଜେକ୍ସନ ଦିଅ, କିନ୍ତୁ ମୋତେ ସୁସ୍ଥ କରିଦିଅ।

ସମ୍ବନ୍ଧିତ ଖବର