ମୋନାକୋ ଗ୍ରାଁ ପ୍ରି ଜିତିଲେ ଭର୍ସ୍ତାପେନ

ମୋନାକୋ: ରେଡ୍‌ ବୁଲ୍‌ ରେସିଂର ମ୍ୟାକ୍ସ ଭର୍ସ୍ତାପେନ ରବିବାର ଫର୍ମୁଲା ୱାନ୍‌ ରେସ୍‌ର ମୋନାକୋ ଗ୍ରାଁ ପ୍ରି ବିଜେତା ହୋଇଛନ୍ତି। ଏହି ବିଜୟ ତାଙ୍କୁ ପ୍ରଥମ ଥର ଲାଗି ବିଶ୍ବ ଚାମ୍ପିଅନ୍‌ସିପ୍‌ ତାଲିକାର ଶୀର୍ଷରେ ପହାଞ୍ଚାଇଛି। ୨୩ ବର୍ଷୀୟ ଏହି ନେଦରଲାଣ୍ଡ ଚାଳକ ରବିବାର ୭ ଥରର ବିଶ୍ବ ବିଜେତା ମର୍ସିଡିଜ୍‌ର ଲୁଇସ ହାମିଲଟନ୍‌ଙ୍କୁ ୧୪ ପଏଣ୍ଟ୍‌ ପଛ‌ରେ ରହି ରେସ୍‌ ଆରମ୍ଭ କରିଥିଲେ। ଭର୍ସ୍ତାପେନ୍‌ ଦ୍ରୁତ ରେସ୍‌ ଶେଷ କରିଥିବାରୁ ଅତିରିକ୍ତ ପଏଣ୍ଟ୍‌ ପାଇ ନିଜ ପଏଣ୍ଟ ସଂଖ୍ୟା ୧୦୫ରେ ପହଞ୍ଚାଇଥିଲେ।

‌ଅନ୍ୟପକ୍ଷରେ ସପ୍ତମ ସ୍ଥାନରେ ରେସ୍‌ ଶେଷ କରିଥିବା ହାମିଲଟନ୍‌ (୧୦୧ ପଏଣ୍ଟ୍‌) ଚାଳକ ତାଲିକାରେ ଦ୍ବିତୀୟ ସ୍ଥାନକୁ ଖସିଥିଲେ। ମୋନାକୋରେ ଭର୍ସ୍ତାପେନ ୧:୩୮:୫୬.୮୨୦ ସମୟ ନେଇ ଶୀର୍ଷ ସ୍ଥାନ ଦଖଲ କରିଥିଲା ବେଳେ ତାଙ୍କ ପଛକୁ ଫେରାରିର କାର୍ଲୋସ ସେଞ୍ଜ ଏବଂ ମ୍ୟାକ୍‌ଲରେନ୍‌ର ଲାଣ୍ଡୋ ନୋରେସ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହି ପୋଡିୟମ ଫିନିସ କରିଥିଲେ। ରେଡ୍‌ ବୁଲ୍‌ ରେସିଂର ସର୍ଜିଓ ପେରେଜ ଚତୁର୍ଥ ଏବଂ ଆଷ୍ଟନ ମାର୍ଟିନର ସେବସ୍ତିଆନ୍‌ ‌ଭେଟେଲ ପଞ୍ଚମ ସ୍ଥାନରେ ରହିଥିଲେ। ଚଳିତ ଋତୁରେ ଭର୍ସ୍ତାପେନ୍ ଦ୍ବିତୀୟ ରେସ, ମୋନାକୋରେ ପ୍ରଥମ ଏବଂ ଖେଳ ଜୀବନର ୧୨ତମ ବିଜୟ ପାଇଥିଲେ।

ସମ୍ବନ୍ଧିତ ଖବର