କ୍ରିକେଟ୍ ବିଶ୍ବକପରେ ପାକିସ୍ତାନ ଖେଳିବା ନେଇ ସଂଦେହ ଜାରି

କରାଚୀ : ଭାରତରେ ହେବାକୁ ଥିବା ବିଶ୍ବକପ ପାଇଁ କାର୍ଯ୍ୟସୂଚୀ ଜାରି ହୋଇଯାଇଛି । କିନ୍ତୁ ଏଥିରେ ପାକିସ୍ତାନ ଖେଳିବା ନେଇ ଏବେ ବି ସଂଦେହ ଜାରି ରହିଛି । ପାକିସ୍ତାନର କେତେକ ଦାବିକୁ ଆଇସିସି ନ ମାନିବା ପରେ ପାକିସ୍ତାନ ପକ୍ଷରୁ ଏପରି ସଂକେତ ଦିଆଯାଇଛି ।

ବିଶ୍ୱକପ୍ କାର୍ଯ୍ୟସୂଚୀ ଘୋଷଣା ପରେ ପିସିବି ସ୍ପଷ୍ଟ ଭାବେ କହିଛି ଯେ ସରକାରଙ୍କ ଅନୁମୋଦନ ଉପରେ ଏହାର ଖେଳ ନିର୍ଭର କରେ। ପିସିବିର ଜଣେ ଅଧିକାରୀ କହିଛନ୍ତି ଯେ ବିଶ୍ୱକପ୍ ଏବଂ ଅକ୍ଟୋବର ୧୫ରେ ଭାରତ ବିପକ୍ଷରେ ଅହମ୍ମଦାବାଦରେ ଖେଳିବା କିମ୍ବା ମୁମ୍ବାଇରେ ସେମିଫାଇନାଲ ଖେଳିବା ସରକାରଙ୍କ ଅନୁମୋଦନ ଉପରେ ନିର୍ଭର କରେ।

ଗୋଟିଏ ପଟେ ପାକିସ୍ତାନ କ୍ରିକେଟ୍ ବୋର୍ଡ ନିଜେ ବିଶ୍ୱକପ୍ ରେ ନିଜ ଦଳର ଅଂଶଗ୍ରହଣକୁ ନେଇ ସନ୍ଦେହ ପ୍ରକଟ କରୁଥିବାବେଳେ ଆଇସିସି ମୁଖପାତ୍ର କହିଛନ୍ତି, ସମସ୍ତ ସଦସ୍ୟଙ୍କୁ ନିଜ ଦେଶର ଆଇନ ପାଳନ କରିବାକୁ ପଡ଼ିବ ଏବଂ ଆମେ ଏହାକୁ ସମ୍ମାନ ଦେଉଛୁ। କିନ୍ତୁ ଦିନିକିଆ ବିଶ୍ୱକପ୍ ଖେଳିବା ପାଇଁ ପାକିସ୍ତାନ ଟିମ୍ ଭାରତ ଆସିବ ବୋଲି ଆମର ବିଶ୍ୱାସ ରହିଛି ।

ଏହା ପୂର୍ବରୁ ପାକିସ୍ତାନ ଦଳ ଅହମ୍ମଦାବାଦ, ବେଙ୍ଗାଲୁରୁ ଓ ଚେନ୍ନାଇରେ ଖେଳିବାକୁ ନେଇ ଆପତ୍ତି ଉଠାଇଥିଲା ଓ ଏହାକୁ ପରିବର୍ତ୍ତନ ପାଇଁ ଦାବି କରିଥିଲା । କିନ୍ତୁ ଆଇସିସି ତାହାକୁ ଖାରଜ କରିଦେଇଥିଲା ।

 

ସମ୍ବନ୍ଧିତ ଖବର