ଉଦ୍‌ବେଗଜନକ ହେଉଛି ମହାନଦୀ ସ୍ଥିତି: ବିଜୟ

ନଦୀ ଶୁଖିଗଲାଣି, ଛତିଶଗଡ଼ରେ ପାଣି ଭର୍ତ୍ତି, ଅଣମୌସୁମୀ ସମୟରେ ପାଣି ବ୍ୟବସ୍ଥା ପାଇଁ ଦାବି

ଭୁବନେଶ୍ବର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଟ୍ରିବ୍ୟୁନାଲରୁ ଏଯାଏ ଓଡ଼ିଶାକୁ କୌଣସି ଆଶ୍ବସ୍ତି ମିଳିପାରିଲା ନାହିଁ। ରାଜ୍ୟ ସରକାର ତଥାପି ଯେଭଳି ଏହି ସଙ୍ଗିନ୍ ପ୍ରସଙ୍ଗରେ ତନାଘନା କରିବା କଥା ତାହା ଦେଖାଯାଉନାହିଁ। ଏପରିସ୍ଥଳେ ମହାନଦୀରେ ଜଳସ୍ରୋତ କମିଥିବା ଓ ଆଗକୁ ସ୍ଥିତି ଅଣାୟତ୍ତ ହେବ ବୋଲି ଅଭିଯୋଗ ଆଣିଛନ୍ତି ବିଜେପି ନେତା ତଥା ପୂର୍ବତନ ଜଳସଂପଦ ମନ୍ତ୍ରୀ ବିଜୟ ମହାପାତ୍ର। ଆଜି ଏଠାରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ମହାପାତ୍ର କହିଥିଲେ ଯେ ମହାନଦୀେର ପାଣି ସମସ୍ୟା ଭୟଙ୍କର ଅାଡ଼କୁ ଯିବା ଆରମ୍ଭ କରିଛି। ହୀରାକୁଦ ଜଳଭଣ୍ଡାର ସ୍ଥିତି ଉଦ୍‌ବେଗଜନକ। ଗତବର୍ଷ ଅର୍ଥାତ୍ ୨୦୨୦ମସିହା ଫେବ୍ରୁଆରିରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୨୬.୧୭ ଫୁଟ ଥିଲା। ଏବର୍ଷ ଏହି ଫେବ୍ରୁଆରି ମାସରେ ୫ଫୁଟ କମିଗଲାଣି। କେବଳ ସେତିକି ନୁହେଁ, ଜଳଭଣ୍ଡାର ଭିତରକୁ ମାତ୍ର ୧୫୦୦ କ୍ୟୁସେକ୍ ଜଳ ପ୍ରବେଶ କରୁଛି; ଯାହା ଭୁବନେଶ୍ୱର ସହରର ଗୋଟିଏ ଛୋଟ ଅଞ୍ଚଳକୁ ପାଣି ଯୋଗାଇବାକୁ ମଧ୍ୟ ଅସମର୍ଥ। ଇବ୍‌ ଓ ଭେଡେନ୍ ନଦୀରୁ ଏହି ଜଳ ଆସୁଛି। କାରଣ ଛତିଶଗଡ଼ ନିର୍ମାଣ କରିଥିବା ଡ୍ୟାମ୍ ଓ ବ୍ୟାରେଜରୁ ଗୋଟିଏ ବୁନ୍ଦା ପାଣି ଆସୁନାହିଁ। ଅଥଚ ସେଠାରେ ନିର୍ମାଣ କରାଯାଇଥିବା ପ୍ରତି ଡ୍ୟାମ୍ ଓ ବ୍ୟାେରଜରେ ପାଣି ଭର୍ତ୍ତି ହୋଇ ରହିଥିବା ସୂଚନା ମିଳିଛି।

ଏଭଳି ସ୍ଥିତି ଅତୀତରେ କେବେ ବି ହୋଇନଥିଲା ବୋଲି ସତର୍କ କରାଇ ଶ୍ରୀ ମହାପାତ୍ର କହିଛନ୍ତି ଯେ ଆଗକୁ ରାଜ୍ୟରେ ଜଳ ସ୍ଥିତି କେତେ ଉତ୍କଟ ରୂପ ଧାରଣ କରିବ, ତାହା ଏବେଠାରୁ ଜଳଜଳ ହୋଇ ଦିଶିଲାଣି। ଶ୍ରୀ ମହାପାତ୍ର କହିଥିଲେ ଯେ ମହାନଦୀର ଜଳପ୍ରବାହ ଆମ ରାଜ୍ୟରେ ଉପରମୁଣ୍ଡର ପ୍ରାୟତଃ ନାହିଁ। ନଦୀର ସବୁ ଶାଖା ପ୍ରାୟତଃ ଶୁଖିଗଲାଣି। କେନାଲରେ ଜଳଯୋଗାଣ, ବିଦ୍ୟୁତ ଉତ୍ପାଦନ, ପିଇବା ପାଣି ସମସ୍ୟା କ୍ଷେତ୍ରରେ ଅତ୍ୟନ୍ତ ଭୟାନକ ସ୍ଥିତି ସାମ୍ନା କରିବାକୁ ହେବ। ସବୁଠାରୁ ବଡ଼ କଥା ହେଲା, ୧୯ଥର ଟ୍ରିବ୍ୟୁନାଲରେ ଶୁଣାଣି ହେବା ପରେ ବି ଓଡ଼ିଶା ତାର ଦାବି ହାସଲ କରିପାରିଲା ନାହିଁ।

ରାଜ୍ୟ ସରକାର ତୁରନ୍ତ ଛତିଶଗଡ଼ ସହ ଆଲୋଚନା କରି ମହାନଦୀରେ ଅଣମୌସୁମୀ ସମୟରେ ଅର୍ଥାତ୍ ଆସନ୍ତା ୪ମାସ ପାଇଁ ପାଣି ଆଣିବାର ବ୍ୟବସ୍ଥା କରନ୍ତୁ ବୋଲି ସେ ଦାବି କରିଛନ୍ତି। ସମାନ୍ତରାଳ ଭାବେ ଟ୍ରିବ୍ୟୁନାଲରେ ବର୍ତ୍ତମାନର ଉଦ୍‌ବେଗଜନକ ଚିତ୍ର ରଖିବା ଲାଗି ମଧ୍ୟ ସେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମହାପାତ୍ର ରାଜ୍ୟ ସରକାରଙ୍କୁ ବି ଟାର୍ଗେଟ କରିଥିଲେ। ୨୦୧୬ ମସିହାରୁ ୫ବର୍ଷ ଭିତରେ ରାଜ୍ୟରେ ଗୋଟିଏ ବି ବ୍ୟାରେଜ୍ ନିର୍ମାଣ ନ କରିବା ଫଳରେ ଅବସ୍ଥା ଆଜି ନିୟନ୍ତ୍ରଣ ବାହାରକୁ ଚାଲିଗଲା ବୋଲି କହିଥିଲେ।

ସମ୍ବନ୍ଧିତ ଖବର