ଅନୁଗୁଳ: ୨୦୨୨ରେ ମରିଛନ୍ତି ୧୦ ହାତୀ

ଅନୁଗୁଳ: ଗତବର୍ଷ ଅର୍ଥାତ୍‌ ୨୦୨୨ ମସିହ‌ାରେ ଅନୁଗୁଳ ଜିଲ୍ଲାରେ ୨୨ଟି ହାତୀ ମରିଛନ୍ତି। ଏଥିସହିତ, ପ୍ରାୟତଃ ଜିଲ୍ଲାର ୮ଟି ଯାକ ବ୍ଲକ୍‌ରେ ହାତୀର ଉପଦ୍ରବ ରହିଛି। ମୃତ୍ୟୁ ହୋଇଥିବା ୧୦ଟି ହାତୀ ମଧ୍ୟରୁ ୫ଟି ଦନ୍ତା ଓ ୩ଟି ମାଈ ଅଛନ୍ତି। ବାକି ଦୁଇଟି ହାତୀର କଙ୍କାଳ ଓ ଦାନ୍ତ ଜବତ ହୋଇଛି। ଅଧିକ ହାତୀ ମରିଛନ୍ତି ବିଦ୍ୟୁତ୍‌ ଆଘାତରେ। ୫ଟି ହାତୀ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲାବେଳେ ଅସୁସ୍ଥହୋଇ ଦୁଇଟି ହାତୀ ମରିଛନ୍ତି। ଲଢ଼େଇ ପାଇଁ ଗୋଟିଏ ହାତୀର ପ୍ରାଣ ଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସା‌ରେ, ଫେବ୍ରୁଆରି ୨୧ ତାରିଖରେ ସାତକୋଶିଆ ବନଖଣ୍ଡର ହାତିବାରୀ ଜଙ୍ଗଲରେ ଏକ ମାଈ ହାତୀର ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଥିଲା। ମାର୍ଚ୍ଚ ୮ରେ ମାଧପୁରରେ ଏକ ଦନ୍ତାକୁ ବିଦ୍ୟୁତ୍‌ ଆଘାତ ଦେଇ ହତ୍ୟା କରାଯାଇଥିଲା। ଏହାପରେ ସାତକୋଶିଆ ବନଖଣ୍ଡର ହିଞ୍ଜାଡୋଲି ଓ ଜଗନ୍ନାଥପୁରରେ ଦୁଇଟି ହାତୀଙ୍କ ମୃତ୍ୟୁ ହୋଇଛି। ଏଥିରୁ ଗୋଟିଏ ଅସୁସ୍ଥ ହୋଇ ପ୍ରାଣ ହରାଇଥିଲାବେଳେ ଆଉ ଗୋ‌ଟିଏ ବିଦ୍ୟୁତ୍‌ ଆଘାତରେ ମରିଥିଲା। ଅକ୍ଟୋବର ମାସରେ ଆଠମଲ୍ଲିକ ବନଖଣ୍ଡରେ ଦୁଇଟି ହାତୀର ମୃତ୍ୟୁ ହୋଇଛି। ଦୁଇଟି ଯାକ ଦନ୍ତା। ଡିସେମ୍ବର ୧୦ ତାରିଖରେ ବିଦ୍ୟୁତ୍‌ ଆଘାତରେ ଅନୁଗୁଳ ବନଖଣ୍ଡ ପରାରେ ଗୋଟିଏ ହାତୀ ପ୍ରାଣ ହରାଇଛି। ଏମିତି ୮ଟି ହାତୀର ମୃତଦେହ ମିଳିଥିଲାବେଳେ ବନବିଭାଗ ଏହାର ତଦନ୍ତ କରୁଛି।

ବିଭିନ୍ନ ସମୟରେ ହାତୀ ମୃତ୍ୟୁ ପରେ ଏହାକୁ ଚପାଇବା ପାଇଁ ପୋତି ଦିଆଯାଉଛି। ଆଇନ ଜାଲରୁ ରକ୍ଷା ପାଇବା ପାଇଁ ଶିକାରୀ ବହୁ ସମୟରେ ହାତୀର ମୃତଦେହ ପୋତି ଦେଉଛନ୍ତି। ନ ହେଲେ ଘଞ୍ଚ ଜଙ୍ଗଲ ଭିତରେ ଫୋପାଡ଼ି ଦେଇ ଡାଳପତ୍ର ଘୋଡ଼ାଇ ଦିଆଯାଉଛି। ଜଙ୍ଗଲ ବିଭାଗ କର୍ମଚାରୀ ମଧ୍ୟ କମ୍‌ ନୁହନ୍ତି। ବଦନାମ ମୁଣ୍ଡାଇବା ଭୟରେ ସେମାନେ ହାତୀ ମୃତ୍ୟୁ ଜାଣିଲେ ମଧ୍ୟ ଏହାକୁ ଚପାଇବାକୁ ଉଦ୍ୟମ କରୁଛନ୍ତି। କିଛି ବର୍ଷ ହେଲା ବିଭିନ୍ନ ଜଙ୍ଗଲରୁ ହାତୀ କଙ୍କାଳ ଉଦ୍ଧାର ହେବା ଏହାର ପ୍ରମାଣ ଦେଉଛି।

ସମ୍ବନ୍ଧିତ ଖବର