୧୬ରୁ ଯୁକ୍ତ୨ ଇଣ୍ଟରନାଲ ପରୀକ୍ଷା

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ୨୦୨୪ରେ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଟି ଇଣ୍ଟରନାଲ୍‌ ପରୀକ୍ଷା କରାଯିବ। ଅଗଷ୍ଟ ୧୬ରୁ ୨୯ ତାରିଖ ମଧ୍ୟରେ ପ୍ରଥମ ଏବଂ ନଭେମ୍ବର ୧ରୁ ୧୧ ମଧ୍ୟରେ ଦ୍ବିତୀୟ ଇଣ୍ଟରନାଲ୍‌ ପରୀକ୍ଷା କରାଯିବ। ପ୍ରାକ୍ଟିକାଲ ଥିବା ବିଷୟଗୁଡ଼ିକ ପାଇଁ ୨୦ ମାର୍କର ଥିଓର ଓ ୧୦ ମାର୍କର ପ୍ରାକ୍ଟିକାଲ ପରୀକ୍ଷା ହେବ। ଥିଓରି ପ୍ରଶ୍ନପତ୍ରର ୨୦ ମାର୍କ ମଧ୍ୟରେ ୬ଟି ଅତି ସଂକ୍ଷିପ୍ତ ପ୍ରଶ୍ନ(୧ ମାର୍କ ଲେଖାଏ), ଦୁଇ ମାର୍କ ବିଶିଷ୍ଟ ୩ଟି ପ୍ରଶ୍ନ ଓ ୪ ମାର୍କ ଲେଖାଏ ଦୁଇଟି ପ୍ରଶ୍ନ ଆସିବ। ପ୍ରାକ୍ଟିକାଲ ପରୀକ୍ଷାରେ ୧୦ ମାର୍କ ବିଶିଷ୍ଟ ଗୋଟିଏ ଏକ୍ସପେରିମେଣ୍ଟ ସିଲାବସ୍‌ରୁ ଆସିବ। ଉଭୟ ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ୪୫ ମିନିଟ୍‌ ଲେଖାଏ ସମୟ ଧାର୍ଯ୍ୟ ହୋଇଛି।

ପ୍ରାକ୍ଟିକାଲ ନ ଥିବା ବିଷୟଗୁଡ଼ିକରେ ୨୦ ମାର୍କର ଥିଓରି ପରୀକ୍ଷା କରାଯିବ। ଇଣ୍ଟରନାଲ ଟେଷ୍ଟରୁ ୨୦% ୱେଟେଜ୍‌ ଓ ବାର୍ଷିକ ପରୀକ୍ଷାରୁ ୮୦% ୱେଟେଜ୍‌କୁ ହିସାବକୁ ନିଆଯାଇ ବୋର୍ଡ ପରୀକ୍ଷାରେ ମୂଲ୍ୟାୟନ କରାଯିବ। ଯଦି କୌଣସି ପରୀକ୍ଷାର୍ଥୀ ଗୋଟିଏ ଇଣ୍ଟରନାଲ୍‌ରେ ଅଂଶଗ୍ରହଣ କରନ୍ତି ତେବେ ସେଥିରେ ପାଇବାକୁ ଥିବା ନମ୍ବର ହିଁ ତାଙ୍କର ୱେଟେଜ୍‌ ଭାବେ ଧରାଯିବ। ସେହିପରି ଉଭୟ ଇଣ୍ଟରନାଲ ପରୀକ୍ଷାରେ ଅନୁପସ୍ଥିତ ରହିଥିବା ପରୀକ୍ଷାର୍ଥୀଙ୍କର ମୂଲ୍ୟାୟନ କେବଳ ବୋର୍ଡ ପରୀକ୍ଷା ମାର୍କ ଆଧାରରେ ହେବ। ଇଣ୍ଟରନାଲ ପରୀକ୍ଷା ସରିବା କ୍ଷଣି ଶିକ୍ଷାନୁଷ୍ଠାନଗୁଡ଼ିକ ପରିଷଦ ପୋର୍ଟାଲରେ ମାର୍କ ଅପଲୋଡ୍‌ କରିବାକୁ ପରିଷଦ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର