ଜିଲ୍ଲାପାଳଙ୍କ ପାଖରେ ଦିବ୍ୟାଙ୍ଗ ଯୁବକଙ୍କ ଗୁହାରି: ‘ଝିଅ ରାଜି ହେଉନାହାନ୍ତି, ଆପଣ ଖୋଜିଦିଅନ୍ତୁ’

ଅନୁଗୁଳ: ‘‘ବାପା, ମା’ଙ୍କ ବୟସ ହୋଇଗଲାଣି। ଏପଟେ ମୁଁ ଦିବ୍ୟାଙ୍ଗ ହୋଇଥିବାରୁ ଘରେ ଚଳିବା ପାଇଁ ବହୁତ ଅସୁବିଧା। ଏଭଳି ସ୍ଥିତିରେ ମୋର ଜଣେ ଜୀବନସାଥୀ ଦରକାର। ମୁଁ ଖୋଜି ଖୋଜିପାରିଲିନି। ସରକାର ଚାହିଲେ ମୁଁ ବାହା ହୋଇପାରନ୍ତି।’’ ସିନେମାର ସଂଳାପ ପରି ଲାଗୁଥିବା ଏହି କଥା ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଶୁଣିବାକୁ ମିଳିଛି। ଜଣେ ଦିବ୍ୟାଙ୍ଗ ଯୁବକ ଅନୁଗୁଳ ଜିଲ୍ଲାପାଳଙ୍କ ପାଖରେ ତାଙ୍କ ଦୁଃଖ ଜଣାଇବା ସହ କୌଣସି ଆଶ୍ରମରୁ ଜଣେ ଝିଅ ସହ ତାଙ୍କର ବିବାହ କରିଦେବାକୁ ଅନୁରୋଧ କରିଛନ୍ତି। ଛେଣ୍ଡିପଦାରେ ଚାଲିଥିବା ଏହି ଅଭିଯୋଗ ଶୁଣାଣିରେ ବିବାହ ପାଇଁ ଯୁବକଙ୍କ ଅନୁରୋଧ ଅଧିକାରୀମ‌ାନଙ୍କୁ ତାଜୁବ୍‌ କରିଦେଇଥିଲା ବେଳେ ତାଙ୍କ ଚିକିତ୍ସା କରାଇବା ନେଇ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଛେଣ୍ଡିପଦା ବ୍ଲକ୍‌ କାର୍ଯ୍ୟାଳୟରେ ଆଜି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଏଥିରେ ଅନୁଗୁଳ ଏସ୍‌ପି ସୁଧାଂଶୁ ଶେଖର ମିଶ୍ରଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଆଜି ଦେଢ଼ଶହରୁ ଅଧିକ ଅଭିଯୋଗ ଆସିଥିଲା ବେଳେ ଏଥିରେ ଏକ ଅଜବ ଅଭିଯୋଗ ରହିଥିଲା। ଛେଣ୍ଡିପଦା ବ୍ଲକ୍‌ ଟାଙ୍ଗିରି ପଞ୍ଚାୟତ ନୂଆପଡ଼ା ଗାଁର ସଂଜୀବ ମହାପାତ୍ର(୩୫) ଅଭିଯୋଗ କରିଥିଲେ ଯେ ବିବାହ କରିବା ପାଇଁ ତାଙ୍କୁ ଝିଅ ମିଳୁନାହାନ୍ତି। ଏପଟେ ଘରର ଅବସ୍ଥା ଯାହା, ତାଙ୍କୁ ତୁରନ୍ତ ବିବ‌ାହ କରିବାକୁ ପଡ଼ିବ। କାରଣ ସେ ଦିବ୍ୟାଙ୍ଗ ହୋଇଥିଲା ବେଳେ ବାପା, ମା ବୁଢ଼ାବୁଢ଼ୀ ହୋଇଗଲେଣି। ବଡ଼ ଭାଇ ଓ ଭାଉଜ ଅଲଗା ରହୁଛନ୍ତି। ଘର ଚଳାଇବା ପାଇଁ ସେ ତୁରନ୍ତ ବିବାହ କରିବା ଆବଶ୍ୟକ। ଏଥିପାଇଁ ସେ ଝିଅ ଖୋଜୁଥିଲେ ମଧ୍ୟ ଦିବ୍ୟାଙ୍ଗ ହୋଇଥିବାରୁ କୌଣସି ଝିଅ ରାଜି ହେଉନାହାନ୍ତି। ଫଳରେ ଘରେ ସମସ୍ତେ ମାନସିକ ଅଶାନ୍ତିରେ ଅଛନ୍ତି। ଏଥିପାଇଁ ଅନୁଗୁଳ ଜିଲ୍ଲାରେ ଥିବା କୌଣସି ଆଶ୍ରମରୁ ଜଣେ ଝିଅଙ୍କ ସହ ତାଙ୍କର ବିବାହ କରାଇଦେବା ପାଇଁ ସେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ।

ସଂଜୀବଙ୍କ ଏହି କଥା ଶୁଣି ଅଧିକାରୀମାନେ ଚକିତ ହୋଇଯାଇଥିଲା ବେଳେ ତାଙ୍କ ଅଭାବ, ଅସୁବିଧା ବାବଦରେ ପଚାରି ବୁଝିଥିଲେ। ତାଙ୍କ ପରିବାର ଓ ଦିବ୍ୟାଙ୍ଗ ସଂପର୍କିତ କଥା ପଚାରିଥିଲେ। ତାଙ୍କ ସଂପର୍କରେ ସବୁ କିଛି ଜାଣିବା ପରେ ତାଙ୍କର ଚିକିତ୍ସା କରାଇବା ନେଇ ବ୍ୟବସ୍ଥା କରାଇବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ କୁହାଯାଇଛି। ଅପରପକ୍ଷରେ ସଂଜୀବ ‘ସମ୍ବାଦ’କୁ କହିଛନ୍ତି ଯେ ଘରେ ବୋହୂ ନ ଥିବାରୁ ତାଙ୍କ ପରିବାର ବହୁ କଷ୍ଟରେ ଚଳୁଛନ୍ତି। ରନ୍ଧାବଢ଼ା ମଧ୍ୟ ହୋଇପାରୁନି। ଏଥିପାଇଁ ସରକାରଙ୍କୁ ଗୁହାରି କରିବାକୁ ଯାଇଥିଲି। କେହି ନିଜ ଲୋକ ନ ଥିବାରୁ ସରକାର ହିଁ ମୋର ସବୁକିଛି। ଏହି ସରକାର ଯଦି ମୋ ଦୁଃଖ ବୁଝିବନି ଆଉ କାହାକୁ କହିବି ବୋଲି ସେ ପ୍ରଶ୍ନ କରିଛନ୍ତି। ଜିଲ୍ଲାପାଳଙ୍କୁ ଭେଟି ଦୁଃଖ ଜଣାଇବା ପରେ ତାଙ୍କ ବିବାହ ନେଇ କିଛି ବ୍ୟବସ୍ଥା ହେବ ବୋଲି ‌ଆଶା ରଖିଛନ୍ତି ସଂଜୀବ। ଏପଟେ ଏହି ଘଟଣା ଆଜି ଅନୁଗୁଳ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର