ନିମ୍ନ ସୁକତେଲ ପ୍ରକଳ୍ପ ଦେଖିଲେ ୫-ଟି ସଚିବ: ଗସ୍ତକୁ କଂଗ୍ରେସ ଓ ବିଜେପିର ବିରୋଧ

ବଲାଙ୍ଗୀର: ବଲାଙ୍ଗୀର ଗସ୍ତର ଦ୍ବିତୀୟ ଦିନରେ ୫-ଟି ସଚିବ ଭି. କେ ପାଣ୍ଡିଆନ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହିତ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସକାଳୁ ବଲଙ୍ଗୀର ସମଲେଇ ମନ୍ଦିରରେ ଦର୍ଶନ ପରେ ପୂଜକ ଓ ଭକ୍ତଙ୍କ ସହ ଆଲୋଚନା କରି ମନ୍ଦିରର ଉନ୍ନତି ପାଇଁ ଜିଲ୍ଲାପାଳଙ୍କୁ ଏକ ଡିପିଆର୍‌ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ କୋଶଳ କଳାମଣ୍ଡଳ ପଡ଼ିଆ ପରିଦର୍ଶନ କରିବା ସହିତ ଏହି ପଡ଼ିଆର ବିକାଶ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ପାଣ୍ଡିଆନ ନିମ୍ନ ସୁକତେଲ ଜଳସେଚନ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିବା ସହ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ।

ଏହା ସହ ସେ ଡ୍ୟାମ୍‌ ଓ ସ୍ପିଲ୍‌ ୱେ ବୁଲି ଦେଖିଥିଲେ। ୨୦୨୩ ଶେଷ ସୁଦ୍ଧା ବଲାଙ୍ଗୀର ସମେତ ଅନ୍ୟ ବ୍ଲକଗୁଡ଼ିକୁ କିପରି ଜଳଯୋଗାଣ ହେଇପାରିବ ସେଥିପାଇଁ ଧ୍ୟାନ ଦେବାକୁ କହିଥିଲେ। ପ୍ରାୟ ୫୨୬୦ କୋଟି ଟଙ୍କାରେ ନିର୍ମିତ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୪୬ ଗ୍ରାମ ପଞ୍ଚାୟତ ତଥା ୭୦ ହଜାର ଲୋକ ସିଧାସଳଖ ଉପକୃତ ହେବେ ବୋଲି ସେ କହିଛନ୍ତି। ଏହା ପରେ ସେ ଲୋଇସିଂହା ନିକଟ ଯୋଗୀସର୍ଡା ମନ୍ଦିର ଓ ପ୍ରଥମ ପର୍ଯ୍ୟାୟରେ ୫-ଟି ଯୋଜନାରେ ରୂପାନ୍ତରିତ ଯୋଗୀସର୍ଡା ହାଇସ୍କୁଲ ବୁଲି ଦେଖିବା ପରେ ଲୋଇସିଂହାରେ ଜନଶୁଣାଣି ଶିବିରରେ ଅଂଶଗ୍ରହଣ କରିଥିଲେ। ସେଠାରୁ ରାଣୀପୁର ଝରିଆଲ ଚଉଷଠି ଯୋଗୀନୀ ମନ୍ଦିର ପରିଦର୍ଶନ ପରେ  ମୁରିବାହାଲର ଗୁରୁଣ୍ଡା ଗ୍ରାମରେ ଏକ ଜନ ଶୁଣାଣି ସଭାରେ ଯୋଗଦେଇଥିଲେ। ଶେଷରେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ମିସନ ଶକ୍ତି କର୍ମକମର୍ତ୍ତାମାନଙ୍କୁ ଉଦ୍‌ବୋଧନ ଦେବା ସହିତ ଆପତ୍ତି ଅଭିଯୋଗ ଗ୍ରହଣ କରି ଖୁବ୍‌ ଶୀଘ୍ର ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍‌. ଭିନିଲ କ୍ରିଷ୍ଣା, ଆଇଜି ଦୀପକ କୁମାର, ଜିଲ୍ଲାପାଳ ଚଞ୍ଚଳ ରାଣା, ଏସ୍‌ପି ଖିଲାରୀ ଋଷିକେଶ ତଥା ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

ଆଜି ଲୋଇସିଂହାରେ ବିଜେପି ଓ ବଲାଙ୍ଗୀର ସହରରେ ଟାଉନ୍‌ କଂଗ୍ରେସ କର୍ମୀମାନେ ଶ୍ରୀ ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରିଥିଲେ। କୌଣସି ପ୍ରକଳ୍ପ ଅଥବା ଯୋଜନାକୁ ବିଭାଗୀୟ ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ଘୋଷଣା କରିବାର ବ୍ୟବସ୍ଥା ରହିଛି। କିନ୍ତୁ ଓଡ଼ିଶା ଏକ ମାତ୍ର ରାଜ୍ୟ ଯେଉଁଠି ମୁଖ୍ୟମନ୍ତ୍ରୀଙ୍କ ସଚିବ ରାଜ୍ୟ ସାରା ଗସ୍ତ କରି ଯୋଜନା ଘୋଷଣା କରୁଛନ୍ତି ବୋଲି ଉଭୟ ଦଳ ଅଭିଯୋଗ କରିଛନ୍ତି। ବଲାଙ୍ଗୀର ପାଟଣା ହୋଟେଲ ଛକରେ କଂଗ୍ରେସ କର୍ମୀମାନଙ୍କ ବିକ୍ଷୋଭ ଫଳରେ ଶ୍ରୀ ପାଣ୍ଡିଆନଙ୍କ ସମଲେଶ୍ବରୀ ମନ୍ଦିର ପରିଦର୍ଶନ ବିଳମ୍ବ ହୋଇଥିଲା ଓ ତାଙ୍କ ଗସ୍ତ ରାସ୍ତାକୁ ପୁଲିସ ପରିବର୍ତ୍ତନ କରିଥିଲା। ବିଜେପିର ବରି‌ଷ୍ଠ କର୍ମକର୍ତ୍ତା ଭୂତନାଥ ନାଏକ ବିକ୍ଷୋଭର ନେତୃତ୍ବ ନେଇଥିବା ବେଳେ କଂଗ୍ରେସ ବିକ୍ଷୋଭରେ ସଭାପତି ଦିଲୀପ ବେହେରାଙ୍କ ସହ ଅନ୍ୟ ନେତା ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର