ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସମବାୟ ସମିତି ଓ ରାଜ୍ୟ ପଣ୍ୟାଗାର ନିଗମ ଅଧୀନରେ ୧୮୪ଜଣ ଅଧିକାରୀ ଆଜି ଯୋଗ ଦେଇଛନ୍ତି। ତହିଁରେ ୧୧୪ଜଣ ସମବାୟ ସମିତିରେ ଇନ୍ସପେକ୍ଟର, ୫୫ଜଣ ଅଡିଟର ଥିବା ବେଳେ ପଣ୍ୟାଗାର ନିଗମରେ ଅଧୀକ୍ଷକ, ସହକାରୀ ଅଧୀକ୍ଷକ ଓ ସହ-ପ୍ରବନ୍ଧକଙ୍କୁ ମିଶାଇ ୧୫ଜଣ ଯୋଗ ଦେଇଛନ୍ତି। ନବନିଯୁକ୍ତ କର୍ମଚାରୀଙ୍କ ପାଇଁ ଲୋକସେବା ଭବନରେ ଏକ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଆଭାସୀ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବା ସହିତ ନବନିଯୁକ୍ତ ଅଧିକାରୀମାନଙ୍କୁ ୫-ଟି ନୀତି ଅନୁସରଣ କରିବା ଲାଗି ଆହ୍ବାନ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମବାୟ ସମିତିର ତଦାରଖ ଓ ତଦାରଖ ପ୍ରଣାଳୀକୁ ନବନିଯୁକ୍ତ ଇନ୍‌ସପେକ୍ଟର ଓ ଅଡିଟରମାନେ ସୁଦୃଢ଼ କରିବା ସହିତ ଲୋକମାନଙ୍କୁ ମିଳୁଥିବା ସେବାକୁ ସରଳ କରିବେ ବୋଲି ଆଶା। ପଣ୍ୟାଗାର ନିଗମରେ ଯୋଗ ଦେଇଥିବା ଅଧିକାରୀମାନେ ପଣ୍ୟାଗାରଗୁଡ଼ିକର ବୈଜ୍ଞାନିକ ପରିଚାଳନା ଓ ଉନ୍ନତ କାର୍ଯ୍ୟ ନିଶ୍ଚିତ କରିବେ। ରାଜ୍ୟ ବିକାଶରେ ସମବାୟଭିତ୍ତିକ ଅର୍ଥନୀତିର ଉଲ୍ଲେଖନୀୟ ଅବଦାନକୁ ସ୍ବୀକୃତି ମିଳିଛି। ଏବେ ବିଭିନ୍ନ କ୍ଷେତ୍ରରେ ୬ହଜାରରୁ ଅଧିକ ସକ୍ରିୟ ସମବାୟ ସମିତି କାର୍ଯ୍ୟ କରୁଛନ୍ତି। ୧୯୫୦ ମସିହାରେ ସମବାୟ କ୍ଷେତ୍ରରେ ରାଜ୍ୟର କୃଷକମାନଙ୍କ ୩ ପ୍ରତିଶତ ଋଣ ଆବଶ୍ୟକତାକୁ ପୂରଣ କରୁଥିବା ବେଳେ ବର୍ତ୍ତମାନ ତାହା ୬୦ ପ୍ରତିଶତ ଆବଶ୍ୟକତାକୁ ପୂରଣ କରିପାରୁଛି। ଯାହାକି ଦେଶରେ ସର୍ବାଧିକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Advertisment

ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ, ଖାଦ୍ୟ ଯୋଗାଣ ଓ କୃଷି ବିଭାଗ ଭିତରେ ସମବାୟ ବିଭାଗ ଏକ ସେତୁ ଭଳି କାର୍ଯ୍ୟ କରୁଛି। ଏକ ଖାଦ୍ୟ ନିଅଣ୍ଟିଆ ରାଜ୍ୟରୁ ଖାଦ୍ୟ ବଳକା ରାଜ୍ୟରେ ପରିଣତ କରିବାରେ ସମବାୟ ବିଭାଗର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ୫-ଟି ଯୋଗୁଁ ସମବାୟ ବିଭାଗରେ ବ୍ୟାପକ ପରିବର୍ତ୍ତନ ଆସିଥିବା ଶ୍ରୀ ନାୟକ କହିଥିଲେ। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଥିଲେ, ବ୍ୟାଙ୍କ ସୁବିଧା ନ ଥିବା ଅଞ୍ଚଳରେ କୃଷକମାନଙ୍କୁ ଋଣ ଯୋଗାଇବାରେ ସମବାୟ ବ୍ୟାଙ୍କ ଓ ପ୍ୟାକ୍ସ୍‌ମାନେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ ଯଥେଷ୍ଟ ପରିବର୍ତ୍ତନ ଆସିଥିବା ଶ୍ରୀ ଜେନା ମତବ୍ୟକ୍ତ କରିଥିଲେ। ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ ନବନିଯୁକ୍ତି ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ପ୍ରାରମ୍ଭରେ ସମବାୟ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚଢ଼ା ସ୍ବାଗତ ଭାଷଣ ଦେଇଥିବା ବେଳେ ରେଜିଷ୍ଟ୍ରାର ଧନ୍ୟବାଦ ଦେଇଥିଲେ।