ମହୁଲପୋଚ ଖାଇ ୨୪ ହାତୀ ମାତାଲ ଅବସ୍ଥାରେ ଶୋଇଲେ

କେନ୍ଦୁଝର/ପାଟଣା: ମହୁଲପୋଚ ଖାଇ ମାତାଲା ହୋଇଗଲେ ୨୪ ହାତୀ। ନିଶାରେ କେଉଁଆଡ଼େ ଯାଇନପାରି ରାତିରେ କାଜୁ ଜଙ୍ଗଲରେ ଶୋଇଲେ। ଏଭଳି ରୋଚକ ଖବର ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଶିଲିପଦା କାଜୁ ଜଙ୍ଗଲରେ।

କିଛିଦିନ ହେଲା ୨୪ ଟିକିଆ ହାତୀପଲ ପାଟଣା ରେଞ୍ଜରେ ପଶି ଉପଦ୍ରବ ଚଳାଇଛନ୍ତି। ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଆଜି ସକାଳୁ ଏହି ହାତୀପଲ ପାଟଣା ରେଞ୍ଜ ଶିଲିପଦା ଗ୍ରାମ ଜଙ୍ଗଲରେ ଥିବା ଲୋକେ ଦେଖିଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସ୍ଥାନୀୟ ଜଙ୍ଗଲରେ ଲୋକେ ମଦ ପ୍ରସ୍ତୁତ କରିବା ପାଇଁ ମହୁଲପୋଚ ରଖିଥିଲେ। ହାତୀପଲ ଉକ୍ତ ମହୁଲ ପୋଚକୁ ଖାଇବା ପରେ ନିଶାରେ ମାତାଲା ହୋଇ ଶୋଇପଡ଼ିଥିଲେ। ଆଜି ସକାଳେ ୬ଟାବେଳେ ଲୋକେ କାଜୁ ଜଙ୍ଗଲରେ ହାତୀଗୁଡ଼ିକ ଏଣେତେଣେ ଶୋଇଥିବା ଦେଖିବାକୁ ପାଇଥିଲେ। ଏପରିକି ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ସେମାନଙ୍କ ନିଶା ଭାଙ୍ଗି ନଥିଲା। ପରେ ଲୋକମାନେ ଏକାଠି ହୋଇ ‌ହୋହଲ୍ଲା କରିବାରୁ ହାତୀପଲ ସେଠାରୁ ଉଠି ଚାଲି ଯାଇଥିଲେ। ତେବେ ଲୋକଙ୍କ ଏହି ଅଭିଯୋଗକୁ ରେଞ୍ଜର ଘାସିରାମ ପାତ୍ର ଅସ୍ବୀକାର କରିଛନ୍ତି। ହାତୀ ଗୁଡ଼ିକ ରାତିରେ ଜଙ୍ଗଲରେ ବିଶ୍ରାମ ନେଇଥିଲେ ବୋଲି କହିଛନ୍ତି। ‌ହାତୀ ମହୁଲପୋଚ ଖାଇବା ନେଇ ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର