ବିମାନରେ ଫେରିଲେ ୩୧୦ ପ୍ରବାସୀ ଓଡ଼ିଆ

ଜମ୍ମୁ, କଶ୍ମୀର, ହିମାଚଳ ପ୍ରଦେଶରୁ ଆସିଲେ, ଆଜି ଆଣ୍ଡାମାନ ଓ ନିକୋବରରୁ ଫେରିବେ

ଭୁବନେଶ୍ବର : ଯେଉଁଠିକୁ ରେଳ ଚଳାଚଳ କରୁନି କି ବସ୍‌ରେ ଆସିବା ସମ୍ଭବ ନୁହେଁ ସେଠାରୁ ବିମାନରେ ପ୍ରବାସୀ ଓଡ଼ିଆଙ୍କୁ ଆଣିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନାରେ ଆଜି ତିନିଟି ସ୍ବତନ୍ତ୍ର ବିମାନରେ ଜମ୍ମୁ, କଶ୍ମୀର ଓ ହିମାଚଳ ପ୍ରଦେଶରେ ଫସି ରହିଥିବା ୩୧୦ରୁ ଅଧିକ ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟ ସରକାର ଓଡ଼ିଶା ଫେରାଇ ଆଣିଛନ୍ତି।

ରାଜ୍ୟ ସରକାରଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଜମ୍ମୁ ଓ କଶ୍ମୀରର ଅନନ୍ତନାଗ, ରାଜୌରୀ, ପୁଞ୍ଚ, ଜମ୍ମୁ, ସାମ୍ବା ଜିଲ୍ଲାରେ ଏବଂ ହିମାଚଳ ପ୍ରଦେଶର କଙ୍ଗରା ଓ ଉନା ଜିଲ୍ଲାରେ ଫସି ରହିଥିବା ୩୫୦ରୁ ଅଧିକ ଶ୍ରମିକଙ୍କୁ ରାଜ୍ୟ ସରକାର ଏୟାର ଏସିଆ ବିମାନରେ ଓଡ଼ିଶା ଫେରାଇ ଆଣିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ-୧୯ କଟକଣା ଅନୁଯାୟୀ ପ୍ରବାସୀ ଓଡ଼ିଆ ମୁଖ୍ୟତଃ ଶ୍ରମିକମାନଙ୍କୁ ଆଜି ଅଣାଯାଇଥିଲା। ଏୟାର ଏସିଆର ପ୍ରଥମ ବିମାନ ଅପରାହ୍ନ ୧ଟା ୩୦, ଦ୍ବିତୀୟ ବିମାନ ଅପରାହ୍ନ ୨ଟା ୩୦ ଓ ତୃତୀୟ ବିମାନ ଅପରାହ୍ନ ୩ଟା ୩୦ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲା। ଏଠାରେ ବିଏମ୍‌ସି, କମିସନରେଟ୍‌ ପୁଲିସ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗଠନ ହୋଇଥିବା ଟିମ୍‌ ସେମାନଙ୍କର ଥର୍ମାଲ୍‌ ସ୍କ୍ରିନିଂ କରିବା ସହ, ନାମ ପଞ୍ଜୀକରଣ କରିଥିଲା। ଏହାପରେ ହାତରେ ସଙ୍ଗରୋଧ ଷ୍ଟାମ୍ପ ଲଗାଇ ସେମାନଙ୍କ ଜିଲ୍ଲାକୁ ପଠାଇଥିଲା। ବିଭିନ୍ନ ଜିଲ୍ଲାକୁ ଯିବାକୁ ଥିବା ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ବସ୍‌ର ଆୟୋଜନ କରାଯାଇଥିଲା।

ସେହିପରି ଆସନ୍ତାକାଲି (ସୋମବାର) ଏୟାର ଏସିଆ ବିମାନରେ ଆଣ୍ଡାମାନ ଓ ନିକୋବରରୁ ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ବିମାନଟି ମଧ୍ୟାହ୍ନରେ ଭୁବନେଶ୍ବରରେ ପହଞ୍ଚିବାର ଅଛି।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ରାଜ୍ୟ ସରକାର ଗତ ତିନି ତାରିଖରେ ମଣିପୁର, ନାଗାଲାଣ୍ଡ, ତ୍ରିପୁରା, ମେଘାଳୟ, ଆସାମରେ ଫସି ରହିଥିବା ୨୮୦ରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟ ସରକାର ଦୁଇଟି ବିମାନରେ ‌ଓଡ଼ିଶା ଫେରାଇ ଆଣିଥିଲେ।

ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ସମସ୍ତ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିବା ପର୍ଯ୍ୟନ୍ତ ରାଜ୍ୟ ସରକାର ଏହି ମିସନ୍‌ ଜାରି ରଖିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର