ଭୁବନେଶ୍ୱର: ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରଛାତ୍ରୀମାନଙ୍କୁ ବିଦେଶ ଅନୁଭୂତି ଦେବା ଲାଗି ପ୍ରତିବର୍ଷ ୪୦ ଜଣଙ୍କୁ ‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମ ଜରିଆରେ ସିଙ୍ଗାପୁର ପଠାଯାଉଛି। ୨୦୨୩-୨୪ ବ୍ୟାଚର ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ମଙ୍ଗଳବାର ଦିନ ସିଙ୍ଗାପୁର ଯାଇଛନ୍ତି। ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀମାନେ ଭୁବନେଶ୍ୱର-ସିଙ୍ଗାପୁର ସିଧାସଳଖ ବିମାନ ଯୋଗେ ଯାତ୍ରା କରିଛନ୍ତି। ପ୍ରଥମଥର ପାଇଁ ବିମାନରେ ବସି ବିଦେଶ ଯାଉଥିବାରୁ ସେମାନଙ୍କ ଭିତରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମ ଲାଗି ସିଙ୍ଗାପୁର ଯାଇଥିବା ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅନୁଭୂତି ସେମାନଙ୍କ ଶିକ୍ଷା ଓ ତାଲିମକୁ ଏକ ନୂଆ ଦିଗ ଦେବା ସହ ସେମାନଙ୍କ ମନରେ ନୂଆ ସାହସ ଆଣିଦେବ ବୋଲି ସେ କହିଛନ୍ତି। “ସିଙ୍ଗାପୁର ଯିବି ବୋଲି କେବେ ଭାବି ନଥିଲି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ତାଲିମ ନେବା ଫଳରେ ମତେ ଏହି ସୁଯୋଗ ମିଳିଛି। ସିଙ୍ଗାପୁରକୁ ଯାଇ ସେଠାରେ ମୁଁ ନୂଆ ନୂଆ କଥା ଶିଖିବି। ‘ଷ୍ଟେଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମ ମୋ’ କ୍ୟାରିଅରକୁ ନୂଆ ରାସ୍ତା ଦେଖାଇବ। ଏଥିପାଇଁ ମୁଁ ବହୁତ ଉତ୍ସାହିତ’’, କହିଛନ୍ତି ଇଲେକ୍ଟ୍ରିକାଲ ଟେକ୍ନୋଲାଜିର ଛାତ୍ରୀ ଇତିଶ୍ରୀ ରାଉତ।
“ସିଙ୍ଗାପୁରରେ ରୋବୋଟିକ୍ସ ଏବଂ ଡ୍ରୋନ୍ ଟେକ୍ନୋଲୋଜି ବିଷୟରେ ନୂଆ କଥା ଶିଖିବାକୁ ମିଳିବ। ସିଙ୍ଗାପୁରକୁ ଅତି ପାଖରୁ ଦେଖିବାକୁ ମିଳିବ। ମତେ ଏହି ସୁଯୋଗ ମିଳିଥିବାରୁ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଧନ୍ୟବାଦ’’, କହିଛନ୍ତି ଏୟାର କଣ୍ଡିସନିଂ ଆଣ୍ଡ ରେଫ୍ରିଜରେସନର ଛାତ୍ର ବିଶ୍ୱଜିତ ପରିଡ଼ା।
ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ ଏବଂ ସିଙ୍ଗାପୁର ସରକାରଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ପ୍ରତିବର୍ଷ ଏହି ‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମ କରାଯାଉଛି। ବିଶ୍ୱ ଦକ୍ଷତା କେନ୍ଦ୍ରର ୪୦ ଜଣ ଛାତ୍ରଛାତ୍ରୀଙ୍କୁ ବଛାଯାଇ ୨ ସପ୍ତାହ ପାଇଁ ସିଙ୍ଗାପୁରର ଇନଷ୍ଟିଚ୍ୟୁଟ ଅଫ୍ ଟେକନିକାଲ ଏଜୁକେସନକୁ (ଆଇଟିଇ) ପଠାଯାଉଛି। ଏହି ସମୟ ମଧ୍ୟରେ ବିଶ୍ୱ ଦକ୍ଷତା କେନ୍ଦ୍ରରୁ ଯାଇଥିବା ଛାତ୍ରଛାତ୍ରୀମାନେ ‘ଆଇଟିଇ’ରେ ଡ୍ରୋନ୍ ଟେକ୍ନୋଲୋଜି ଏବଂ ରୋବୋଟିକ୍ ଅଟୋମେସନ ବିଷୟରେ ଅତିରିକ୍ତ ତାଲିମ ନେବା ସହ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ସହ ମିଶିବାର ସୁଯୋଗ ପାଇବେ। ତା’ଛଡ଼ା ସେମାନେ ସିଙ୍ଗାପୁର ଭଳି ଅତ୍ୟାଧୁନିକ ସହରର ବିଭିନ୍ନ ସ୍ଥାନ ବୁଲି ଦେଖିବେ।