ଅଟୋ ଓଲଟି ୭ବର୍ଷର ଝିଅ ମୃତ, ୫ ଆହତ

ଜୟପୁର: ପେପରମିଲ୍ ଛକରେ ସଂଧ୍ୟା ୬ଟା ବେଳେ ଗୋଟିଏ ଅଟୋ ଓଲଟି ୭ବର୍ଷର ଝିଅର ମୃତ୍ୟୁ ହୋଇଥିବା ବେଳେ ଏଥିରେ ୫ଜଣ ଆହତ ହୋଇ ଜୟପୁର ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ରହିଛନ୍ତି। ମୃତକ ଜଣକା ହେଲେ ସ୍ଥାନୀୟ ହାନାଗୁଡାର ଯୁଗୋଳ ଦୁର୍ଗାଙ୍କ ୭ବର୍ଷର ଝିଅ ସାଇନ୍ ଦୁର୍ଗା ବୋଲି କହିଛନ୍ତି ଜୟପୁର ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି।

କଙ୍ଗା ନିକଟସ୍ଥ ଡମ୍ବଗୁଡା ଗାଁରେ ଜଣେ ସଂପର୍କୀୟଙ୍କ ମୃତ୍ୟୁ ପରେ ତିନି ଦିନିଆ କାର୍ଯ୍ୟକ୍ରମରେ ଯୋଗ ଦେଇ  ଯୁଗୋଳ ଓ ତାଙ୍କ ଭାଇଙ୍କ ପରିବାର ଜୟପୁର ନିକଟସ୍ଥ ହାନାଗୁଡା ଗାଁକୁ ଫେରୁଥିଲେ। ଅଟୋଟି ଦ୍ରୁତଗତିରେ ଆସୁଥିବା ବେଳେ ପେପରମିଲ୍ ଛକ ନିକଟରେ ରାସ୍ତା ଉପରେ ଓଲଟିପଡ଼ିଥିଲା। ଏଥିରେ ଗୁରୁତର ମାଡ଼ ବାଜି ଯୁଗୋଳଙ୍କ ଝିଅ ସାଇନ୍ ଗୁରୁତର ଆହତ ହୋଇ ମୃତ୍ୟୁ ବରଣ କରିଥିଲେ। ଏଥିରେ ତାଙ୍କ ସ୍ତ୍ରୀ ସୁନିତା ଦୁର୍ଗା, ପୁଅ ସାହିଲ ଦୁର୍ଗା, ଭାଉଜ୍ କୁନି ଦୁର୍ଗା, ସଂପର୍କୀୟା ଗେଲ୍ଲୀ ସାହୁ ଆଦି ଆହତ ହୋଇ ଜୟପୁର ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିା ହୋଇଛନ୍ତି। ସମସ୍ତଙ୍କୁ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଅଣାଯାଇଥିଲା। ଚିକିତ୍ସାଧୀନ ଥିବା ବେଳେ ସାଇନର ମୃତ୍ୟୁ ହୋଇଯାଇଥିଲା। ଝିଅର ମୃତ୍ୟୁ ପରେ କାନ୍ଦବୋବାଲିରେ ଡାକ୍ତରଖାନାରେ ପାଟି ପଢ଼ିଛି।  ଦୁର୍ଘଟଣା ପରେ ଅଟୋ ଚାଳକ ଫେରାର ହୋଇ ଯାଇଥିବା କହିଛନ୍ତି ସଦରଥାନା ଅଧିକାରୀ।

ସମ୍ବନ୍ଧିତ ଖବର