ସରକାରଙ୍କ ଭତ୍ତା ଦୟାରେ ଜିଲ୍ଲାର ୮୯ ପ୍ରତିଶତ ବରିଷ୍ଠ ନାଗରିକ

ଖୋର୍ଦ୍ଧା: ପରିପକ୍ବ ନାଗରିକ ସମାଜର ମାର୍ଗ ଦର୍ଶକ ଅଟନ୍ତି। ସେମାନଙ୍କ ଆର୍ଥିକ ଓ ସାମାଜିକ ସୁରକ୍ଷାର ସ୍ଥିତିରୁ ସମାଜର ନୈତିକ ମୂଲ୍ୟବୋଧ କଳନା କରାଯାଇପାରିବ। ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧାରେ ମୋଟ ବରିଷ୍ଠ ନାଗରିକଙ୍କ ମଧ୍ୟରୁ ଆଶ୍ଚର୍ଯ୍ୟଜନକ ଭାବେ ୮୯ ପ୍ରତିଶତ ସରକାରଙ୍କ ଭତ୍ତା ସହାୟତାରେ ନିଜର ବୃଦ୍ଧାବସ୍ଥା ଅତିବାହିତ କରୁଛନ୍ତି। ଅପରପକ୍ଷରେ କହିବାକୁ ଗଲେ କେବଳ ୧୧ ପ୍ରତିଶତ ବରିଷ୍ଠ ନାଗରିକ ହିଁ ଆର୍ଥିକ ଭାବେ ସ୍ବାବଲମ୍ବ ଅଟନ୍ତି।

୨୦୧୧ ଜନଗଣନା ଅନୁସାରେ ଜିଲ୍ଲାରେ ୨ଲକ୍ଷ ୪୮ ହଜାର ୪୩ଜଣ ବରିଷ୍ଠ ନାଗରିକ ଅର୍ଥାତ୍‌ ୬୦ ବର୍ଷରୁ ଊର୍ଧ୍ବ ବ୍ୟକ୍ତି ଅଛନ୍ତି। କେନ୍ଦ୍ର ସରକାରଙ୍କ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା (ଆଇଜିଏନ୍‌ଓଏପି) ଏବଂ ରାଜ୍ୟ ସରକାରଙ୍କ ମଧୁବାବୁ ପେନ୍‌ସନ ଯୋଜନାରେ ୧ଲକ୍ଷ ୮୨ହଜାର ୩୧୦ଜଣ ହିତାଧିକାରୀ ଅଛନ୍ତି। ଅର୍ଥାତ୍‌ ଜିଲ୍ଲାରେ ଯେତିକି ବରିଷ୍ଠ ନାଗରିକ ଅଛନ୍ତି ସେମାନଙ୍କ ମଧ୍ୟରୁ ୮୯ ପ୍ରତିଶତ ନିଜର ବାର୍ଦ୍ଧକ୍ୟ ଜୀବନରେ ବଞ୍ଚିବା ପାଇଁ ସରକାରଙ୍କ ସହାୟତା ଉପରେ ନିର୍ଭର କରିଛନ୍ତି।

ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ କଲ୍ୟାଣ ବିଭାଗର ୨୦୨୦-୨୧ ଆର୍ଥିକ ବର୍ଷର ତଥ୍ୟାନୁସାରେ, ସେମାନଙ୍କ ମଧ୍ୟରୁ, କେନ୍ଦ୍ର ସରକାରଙ୍କ ଇନ୍ଦିରାଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା (୮୦ବର୍ଷରୁ ଉର୍ଦ୍ଧ୍’ବ) ହିତାଧିକାରୀଙ୍କ ସଂଖ୍ୟା ୪୨୪୪। ଏହି ଭତ୍ତା ପାଉଥିବା ୬୦ରୁ ୭୯ ବର୍ଷ ବୟସ୍କ ହିତାଧିକାରୀଙ୍କ ସଂଖ୍ୟା ୪୭ହଜାର ୮୪୪। ଅର୍ଥାତ୍‌ କେନ୍ଦ୍ର ସରକାରଙ୍କ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ଜିଲ୍ଲାର ୫୨ହଜାର ୮୮ଜଣ ହିତାଧିକାରୀ ଅଛନ୍ତି। ୨୦୧୮-୧୯ରେ ଏହି  ସଂଖ୍ୟା ୫୧ହଜାର ୫୮୮ ଥିଲା। ୨ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୫ଶହ ବୃଦ୍ଧି ପାଇଥିବା ବେଳେ ରାଜ୍ୟ ସରକାରଙ୍କ ଯୋଜନାରେ ପ୍ରତିବର୍ଷ ୧୦ ପ୍ରତିଶତ ବୃଦ୍ଧି ପାଉଛି।

ରାଜ୍ୟ ସରକାର ମଧ୍ୟ ରାଜ୍ୟର ଅସହାୟ ବୃଦ୍ଧବୃଦ୍ଧାଙ୍କ ଆର୍ଥିକ ସହାୟତା ନିମନ୍ତେ ମଧୁବାବୁ ପେନ୍‌ସନ ଯୋଜନା (ଏମ୍‌ବିପିୱାଇ) ଲାଗୁ କରିଛନ୍ତି। ଏହି ମଧୁବାବୁ ପେନ୍‌ସନ ଯୋଜନାରେ, ୨୦୧୮-୧୯ରେ ୧ଲକ୍ଷ ୨୫୦୭ଜଣ ହିତାଧିକାରୀ (୬୦ରୁ ଉର୍ଦ୍ଧ୍ବ ବୟସ୍କ)ଥିଲେ।  ୨୦୨୦-୨୧ରେ ଏହା ବୃଦ୍ଧି ପାଇ ୧ଲକ୍ଷ ୫ହଜାର ୩୪୭ଜଣ ହିତାଧିକାରୀ ରେ ପହଞ୍ଚିଥିଲା। । ୨୦୨୧-୨୨ରେ ଏହି ସଂଖ୍ୟା ବୃଦ୍ଧି ପାଇ ୧ଲକ୍ଷ ୮ହଜାର ୧୮୩କୁ ପହଞ୍ଚିଛି। ଅର୍ଥାତ୍‌ ୨୦୨୦-୨୧ ଓ ୨୦୨୧-୨୨, ଗୋଟିଏ ବର୍ଷ ମଧ୍ୟରେ ପ୍ରାୟ ୩ହଜାର ଅସହାୟ  ବୃଦ୍ଧବୃଦ୍ଧା ସରକାରଙ୍କ ଠାରୁ ନିଜର ଜୀବନ ଧାରଣ ପାଇଁ ସହାୟତା ମାଗିଛନ୍ତି।

ସମ୍ବନ୍ଧିତ ଖବର