କଟକ ଦଶହରାରେ ବିରଳ ଭାଇଚାରା ଓ ଏକତାର ନିଦର୍ଶନ: ୫୦ରୁ ଅଧିକ ମଣ୍ଡପ କମିଟିରେ ମୁସଲିମ୍ କର୍ମକର୍ତ୍ତା

ମେଢ଼ ପ୍ରସ୍ତୁତିରୁ ଆରମ୍ଭ କରି ବିଭିନ୍ନ ଆୟୋଜନରେ ସଂପୃକ୍ତ ରୁହନ୍ତି ମୁସଲିମ୍ ସଂପ୍ରଦାୟ

ସୁଶାନ୍ତ କୁମାର ସ୍ବାଇଁ

କଟକ: ବିଭିନ୍ନ ଦୃଷ୍ଟିରୁ କଟକର ଗଣପର୍ବ ଦଶହରାକୁ ବିଶ୍ବରେ ଅନନ୍ୟ ବୋଲି କୁହାଯାଏ। କଟକର ଭାଇଚାର ପରଂପରା ଓ ଏକତା ବି ସାରା ଦେଶରେ ଉଦାହରଣ ସୃଷ୍ଟି କରିଛି। କଟକର ଦଶହରା ଆୟୋଜନରେ ମୁସଲମାନ ସଂପ୍ରଦାୟ ବ୍ୟକ୍ତିବିଶେଷଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ସବୁ ବେଳେ ଅନନ୍ୟ ପରଂପରାର ପ୍ରତୀକ ହୋଇ ରହି ଆସିଛି। ମା ଦୁର୍ଗାଙ୍କ ମେଢ ପ୍ରସ୍ତୁତି ଠାରୁ ଆରମ୍ଭ କରି ପୂଜା ଆୟୋଜନ ସମୟରେ ସେମାନଙ୍କର ସହଯୋଗ କଟକ ଭାଇଚାରାର ବିଶେଷତା ବୋଲି ବିବେଚନା କରାଯାଏ। କଟକର ମହାନଗର ଶାନ୍ତି କମିଟି ଅନ୍ତର୍ଭୁକ୍ତ ୧୭୦ ମଣ୍ଡପ ମଧ୍ୟରୁ ୫୦ରୁ ଅଧିକ ମଣ୍ଡପର କାର୍ଯ୍ୟକର୍ତ୍ତା ଓ ସଦସ୍ୟଙ୍କ ମଧ୍ୟରେ ଅଛନ୍ତି ମୁସଲମାନ ସଂପ୍ରଦାୟର ବ୍ୟକ୍ତିବିଶେଷ। କୁହାଯାଏ ଦଶହରା ବନ୍ଧୁମିଳନ କାର୍ଯ୍ୟକ୍ରମ କଟକରେ ପ୍ରଥମେ ଆରମ୍ଭ କରିଥିଲେ ପୂର୍ବତନ ମନ୍ତ୍ରୀ, ମୃତ୍ୟୁ ପର୍ଯ୍ୟନ୍ତ ମାଲଗୋଦାମ ପୂଜା କମିଟିର ସଭାପତି ରହିଥିବା ସ୍ବର୍ଗତ ମୁସ୍ତାଫିଜ୍ ଅହମ୍ମଦ। ସେହି ବନ୍ଧୁମିଳନ କାର୍ଯ୍ୟକ୍ରମ ଏଯାଏ କଟକ ଦଶହରାର ଅନ୍ୟତମ ଆକର୍ଷଣ ହୋଇ ରହି ଆସିଛି।

ବର୍ତ୍ତମାନ ସ୍ଥିତିରେ କଟକର ଅନେକ ପୂଜା ମଣ୍ଡପର ସଭାପତି, ସଂପାଦକ ତଥା ଅନ୍ୟ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ମୁସଲମାନ ବ୍ୟକ୍ତିବିଶେଷ ରହିବା ଭଳି ନିଆରା ଘଟଣା ହୁଏତ ଦେଶର ଅନ୍ୟ କେଉଁଠି କମ୍ ଦେଖିବାକୁ ମିଳେ। ତଥ୍ୟ ଅନୁଯାୟୀ କଟକର ସର୍ବପୁରାତନ ପୂଜା ମଣ୍ଡପ କୁହାଯାଉଥିବା ବିନୋଦ ବିହାରୀ-ବାଲୁ ବଜାର ପୂଜା ମଣ୍ଡପର ଯୁଗ୍ମ ସଂପାଦକ ଅଛନ୍ତି ଅବଦୁଲ୍ ର‌ହେମାନ୍। ପୂଜା କମିଟିର ଯୁବ କର୍ମକର୍ତ୍ତା ଭାବେ ରହିଛନ୍ତି ରିଜୁଆନ୍ ଅଲ୍ଲୀ ବେଗ୍‌। ବିନୋଦ ବିହାରୀ-ବାଲୁ ବଜାର ପୂଜା ମଣ୍ଡପରେ ଶ୍ରୀଚୈତନ୍ୟ ନିଜ ହାତରେ ମୂର୍ତ୍ତି ନିର୍ମାଣ କରି ପୂଜା କରିଥିଲେ। ସେହି ପରଂପରା ଅନୁଯାୟୀ ଏଠାରେ ବି ପୂଜକମାନେ ମୂର୍ତ୍ତି ଗଢି ପୂଜା କରନ୍ତି।

କଟକର ଅନ୍ୟତମ ପ୍ରମୁଖ ପୂଜା ମଣ୍ଡପ ଭାବେ ପରିଗଣିତ ଅଲିଶା ବଜାର ପୂଜା କମିଟିର ସଭାପତି ଭାବେ ସେଖ୍ ଗୋରା ଦୀର୍ଘ ଦିନ ଧରି କାର୍ଯ୍ୟ କରିଥିବା ବେଳେ ବର୍ତ୍ତମାନ ସେଖ୍ ଅସରଫ୍‌ ସହ ସଂପାଦକ ଭାବେ କାର୍ଯ୍ୟ କରୁଛନ୍ତି। ପୂଜା କମିଟିର ଅନେକ ସଦସ୍ୟ ମୁସଲମାନ ସଂପ୍ରଦାୟରୁ ରହିଛନ୍ତି।
ସେହିଭଳି ମାଲଗୋଦାମ ପୂଜା କମିଟିର ସାଧାରଣ ସଂପାଦକ ଭାବେ କାର୍ଯ୍ୟ କରୁଛନ୍ତି ନିଜାମୁଦ୍ଦିନ ଅହମ୍ମଦ। ଏହି ପୂଜା କମିଟିରେ ବି ଅନେକ ମୁସଲମାନ ସଂପ୍ରଦାୟ ସଦସ୍ୟ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ରହିଛନ୍ତି। ଜଗନ୍ନାଥ ବଲ୍ଲଭ ପୂଜା କମିଟିର ସଂପାଦକ ରହିଛନ୍ତି ମଇମୁଦ୍ଦିନ ଖାଁ। ତିନିକୋଣିଆ ବଗିଚାର ସଭାପତି ରହିଛନ୍ତି ମହମ୍ମଦ ଗୋରା। ସୂତାହାଟ ପୂଜା କମିଟିର ମୁଖ୍ୟ ଉପଦେଷ୍ଟା ଭାବେ କାର୍ଯ୍ୟ କରୁଛନ୍ତି ଲିଆକୁଦ୍ଦିନ ଅହମ୍ମଦ ରହିଥିବା ବେଳେ ପୂଜା କମିଟିର ସଦସ୍ୟ ଓ କର୍ମକର୍ତ୍ତା ଭାବେ ଅଛନ୍ତି ପ୍ରାୟ ୧୭ ଜଣ ମୁସଲିମ ସଂପ୍ରଦାୟର ବ୍ୟକ୍ତିବିଶେଷ। ଦୁର୍ଗାଙ୍କ ଗହଣା ବନ୍ଧା ପଡିଥିବା ବେଳେ ଲିଆକୁଦ୍ଦିନ ଅହମ୍ମଦ ନିଜ ହାତରୁ ଟଙ୍କା ଦେଇ ତାହାକୁ ମୁକୁଳାଇବା ଭଳି ବିରଳ ଉଦାହରଣ ସୃଷ୍ଟି କରିଥିଲେ।

ଯୋବ୍ରା ଭଳି ଗୁରୁତ୍ବପୂର୍ଣ୍ଣ ପୂଜା କମିଟିରେ ସିକନ୍ଦର ଅଲ୍ଲୀ ପୂର୍ବରୁ ଉପସଭାପତି ରହିଥିବା ବେଳେ ନୂଆ କମିଟିରେ ପ୍ରାୟ ୮ ଜଣ ମୁସଲିମ ସଂପ୍ରଦାୟର ସଦସ୍ୟ ରହିଛନ୍ତି। ମଙ୍ଗଳାବାଗ ପୂଜା କମିଟିରେ ଉପଦେଷ୍ଟା ମଣ୍ଡଳୀରେ ସମସେର ମହମ୍ମଦଙ୍କ ସମେତ ଅନ୍ୟ ମୁସଲିମ୍ ବ୍ୟକ୍ତିବିଶେଷ ରହିଛନ୍ତି। ତୁଳସୀପୁର ପଞ୍ଚମୁଖୀ ମହାଦେବ ପୂଜା କମିଟିର ଉପଦେଷ୍ଟା ରହିଛନ୍ତି ରମଜାନ୍‌ ଖାଁ। ଏଭଳି ତାଲିକା ଖୁବ୍ ଲମ୍ବା ହୋଇଥିବା ବେଳେ କଟକର ଏହି ଭାଇଚାରା ପରଂପରା କିନ୍ତୁ ସାରା ବିଶ୍ବ ପାଇଁ ଉଦାହରଣ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର