ଅଷ୍ଟମ ଦିନରେ ରଥଯାତ୍ରା: ମା’ ବିରଜାଙ୍କ ଷୋଡ଼ଶୋପଚାର ପୂଜା ଶେଷ

୩୦ ହଜାରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଯାଜପୁରଟାଉନ: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଷୋଡ଼ଶୋପଚାର ପୂଜା ଓ ଯଜ୍ଞ କାର୍ଯ୍ୟ ଆଜି ଶେଷ ହୋଇଛି। ଗତକାଲିର ପୂଜା ଓ ଯଜ୍ଞ ସକାଳ ୫ଟାରେ ସରିବା ପରେ ମନ୍ଦିର ପହଡ଼ ପଡ଼ିଥିଲା। ୭ଟାରେ ସ୍ନାନନୀତି ପରେ ଭକ୍ତମାନେ ଗର୍ଭଗୃହକୁ ପ୍ରବେଶ କରି ପାଦ ସ୍ପର୍ଶ କରିଥିଲେ। ପରେପରେ ନାନାଦି ବେଶ କାର୍ଯ୍ୟ କରାଯାଇ ଦିନ ପୂଜା କରାଯାଇଥିଲା। ଅପରାହ୍‌ଣ ୪ଟା ୪୫ ମିନିଟରେ ଆଜିର ରଥଯାତ୍ରା ଆୟୋଜନ କରାଯାଇ ରଥକୁ ୧ ବେଢ଼ାରୁ ଅଧିକ ଚାଳନା କରାଯାଇ ଆଦ୍ୟଦୁର୍ଗା ମଣ୍ଡପ ନିକଟରେ ରଖାଯାଇଥିଲା। ରଥରୁ ଅବତରଣ ପରେ ସନ୍ଧ୍ୟା ଆଳତି, ୭ଟା ୧୫ ମିନିଟ ପରେ ଅଷ୍ଟମୀ ତିଥି ଆସିବାରୁ ମା’ ବିରଜାଙ୍କ ମହାଷ୍ଟମୀ ମହାସ୍ନାନ କରାଯାଇଥିଲା। ମହାସ୍ନାନ ପରେ ୮ଟା ୧୫ ରେ ପୁନରାୟ ବେଶ ଆରମ୍ଭ କରାଯାଇଥିଲା। ରାତ୍ରି ବେଶ କାର୍ଯ୍ୟ ୯ଟା ୩୦ ରେ ଶେଷ ହେବା ପରେ ଗର୍ଭ ଗୃହ ଧୁଆଯାଇ ରାତିପୂଜାର ଆୟୋଜନ କରାଯାଇଥିଲା। ଷୋଡ଼ଶୋପଚାର ପୂଜାର ଆଜି ଶେଷରାତ୍ରି। ମହାପଞ୍ଚମୀଠାରୁ ଚାଲି ଆସୁଥବା ଯଜ୍ଞ କାର୍ଯ୍ୟ ଆସନ୍ତାକାଲି ସକାଳ ସୁଦ୍ଧା ସଂପୂର୍ଣ୍ଣ କରାଯାଇ ପୂର୍ଣ୍ଣାହୁତି ଦିଆଯିବ।

ଆଜି ରଥଯାତ୍ରାରେ ପ୍ରାୟ ୩୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ​ ହୋଇଥିବା ଆକଳନ କରାଯାଇଛି। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯାଜପୁର ଉପଜିଲ୍ଲାପାଳ ଗୋପୀନାଥ କୁଅଁର ଉପସ୍ଥିତ ରହି ପରିଚାଳନା କରିଥିଲେ। ମାଜିଷ୍ଟ୍ରେଟ ଭାବେ ସହକାରୀ ଜିଲ୍ଲାପାଳ ରଂଜନ କୁମାର ସିଂ ଓ ଯାଜପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ଉପସ୍ଥିତ ଥିଲେ। ଆଜି ମହାଷ୍ଟମୀ ତିଥି ଥିବାରୁ ସକାଳୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଭକ୍ତମାନଙ୍କ ଗହଳି ଦେଖିବାକୁ ମିଳିଥିଲା। ଆସନ୍ତାକାଲି ଚଳିତ ବର୍ଷର ଶେଷଦିନର ରଥଯାତ୍ରା ଆୟୋଜନ କରାଯିବ। ଯାଜପୁର ଟାଉନ ଥାନା ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା।

ସମ୍ବନ୍ଧିତ ଖବର