ଚାଲିଗଲେ ଅଭିନେତା ଚକ୍ରଧର

ଭୁବନେଶ୍ବର: ବର୍ଷୀୟାନ୍‌ ଅଭିନେତା ଓ ସଭିଙ୍କ ପ୍ରିୟ ଚକରା ଭାଇ ଓରଫ୍‌ ଚକ୍ରଧର ଜେନା ଆଉ ନାହାନ୍ତି। ସେ ବହୁଦିନ ଧରି ଫୁସ୍‌ଫୁସ୍‌ ଜନିତ ରୋଗରେ ପୀଡ଼ିତ ଥିଲେ। ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଛି। ଏହା ଜଣାପଡ଼ିବା ପରେ ଓଲିଉଡ୍‌ ସ୍ତବ୍ଧ ହୋଇଯାଇଛି। ଓଡ଼ିଆ ମଞ୍ଚ ନାଟକ, ଧାରାବାହିକ, ଚଳଚ୍ଚିତ୍ର ସହ ହିନ୍ଦୀ ଚଳଚ୍ଚିତ୍ର, ଧାରାବାହିକ, ଏପରିକି ଇଂରାଜୀ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ତାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ। ଗରିବ ପରିବାରରେ ଅଭାବ ଅନଟନ ଭିତରେ ମଧ୍ୟ କଳା ପ୍ରତି ସେ ଜୀବନକୁ ସମର୍ପି ଦେଇଥିଲେ। ଜଣେ ଭଲ କଳାକାର ଭାବେ ନିଜକୁ ଗଢ଼ି ତୋଳିବାକୁ ନୂଆଦିଲ୍ଲୀ ସ୍ଥିତ ଜାତୀୟ ନାଟ୍ୟ ବିଦ୍ୟାଳୟ (ଏନ୍‌ଏସ୍‌ଡି)ରେ ପଢ଼ିଥିଲେ।

ଗୋଟିଏ ସମୟରେ ଦିଲ୍ଲୀ ମଞ୍ଚ ଦୁନିଆରେ ତାଙ୍କର ଭଲ ସୁଖ୍ୟାତି ଥିଲା। ୧୯୮୩ ମସିହାରେ ଏନ୍‌ଏସ୍‌ଡିରୁ ପାସ୍‌ କରିବା ପରେ ହଲିଉଡ ସିନେମା ‘ସିଟି ଅଫ୍ ଜୟ’ ଓ ‘ଇଲେକ୍ଟ୍ରି ମୁନ୍’ରେ ଅଭିନୟ କରି ଓଡ଼ିଆଙ୍କ ପାଇଁ ଗର୍ବର କାରଣ ପାଲଟିଥିଲେ। ସେ ‘ସିଟି ଅଫ୍‌ ଜୟ’ରେ ମେହବୁବ୍‌ ନାମକ ଏକ ମୁସଲମାନ ଚରିତ୍ରରେ ଅଭିନୟ କରିଥିଲେ। ହିନ୍ଦୀ ଚଳଚ୍ଚିତ୍ର ‘ସର୍ଦ୍ଦାର୍‌ ପଟେଲ୍‌’, ହିନ୍ଦୀ ଧାରାବାହିକ ‘ଅନ୍ତର୍ଦାହ’ ଭଳି ଅନେକ ଚଳଚ୍ଚିତ୍ର ଧାରାବାହିକରେ ସେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି। ପରେ ସେ ଓଡ଼ିଶାକୁ ଫେରିଆସି ‘ପଥର ଖସୁଛି ବଡ଼ ଦେଉଳୁ’, ‘ରଣଭୂମି’, ‘ମାୟା’, ‘ଅର୍ଜୁନ’, ‘କଥାନ୍ତର, ‘ପ୍ରେମ୍ ୱେଡ୍ସ ପ୍ରିୟା’, ‘ରଙ୍ଗିଲା ବାବା’, ‘ଭଉଁରୀ’, ‘ଓମ୍ ନମଃ ଶିବାୟ’ ଭଳି ଅନେକ ସିନେମା ଓ ଟେଲି ଧାରାବାହିକ ‘ମହାଯଜ୍ଞ’ରେ ଅଭିନୟ କରିଥିଲେ। ବିଶେଷ କରି ଖଳନାୟକ ଭୂମିକାରେ ତାଙ୍କୁ ଅଧିକ ଦେଖିବାକୁ ମିଳୁଥିଲା। କେବଳ ଖଳନାୟକ ନୁହେଁ, ଚରିତ୍ର ଅଭିନୟ ସହ ଅନ୍ୟ ଭୂମିକାରେ ଅଭିନୟ କରି ସେ ଓଡ଼ିଆ ଦର୍ଶକଙ୍କର ପ୍ରିୟ ହୋଇଥିଲେ। ଜଣେ ଭଲ ଜଳାକାର ହେବା ସହିତ ସେ ଜଣେ ଭଲ ମଣିଷ ଭାବେ ସେ ସମସ୍ତଙ୍କ ପ୍ରିୟ ଥିଲେ।

ତେବେ ଓଡ଼ିଶାରେ ଯେଉଁ ଶୈଳୀରେ ଫିଲ୍ମ ତିଆରି ହେଉଥିଲା, ତା’କୁ ନେଇ ସେ ଭୀଷଣ ଅସନ୍ତୁଷ୍ଟ ଥିଲେ। ମତଭେଦ କାରଣରୁ ତାଙ୍କୁ ଅନେକ ଫିଲ୍ମ ଛାଡ଼ିବାକୁ ପଡ଼ିଥିଲା। ତାଙ୍କୁ ‘ହ୍ୟାଣ୍ଡେଲ୍’ କରିବା ସହଜ ନୁହେଁ ବୋଲି ଅନେକ ପ୍ରଯୋଜକ ଓ ନିର୍ଦ୍ଦେଶକ ମନେ କରୁଥିଲେ। ସେ କହୁଥିଲେ, ‘‘ଓଡ଼ିଶାର ମୌଳିକ କାହାଣୀରେ ଚଳଚ୍ଚିତ୍ର ହେଉ। ଖଣ୍ଡଗିରି ମାଙ୍କଡ଼ ଭଳି ଏଠୁ ସେଠିକି, ସେଠୁ ଏଠିକି ଡେଇଁଲେ ହେବନାହିଁ। ବଙ୍ଗଳା, ହିନ୍ଦୀ, ତେଲୁଗୁ ଧାରାବାହିକ ଓ ଫିଲ୍ମ କାହାଣୀ ଚୋରିକରି ଓଡ଼ିଆ ସିନେମା କଲେ ଚଳିବ ନାହିଁ। ନିଜକୁ ପ୍ରଥମେ ସ୍ଥିର କରି, ଓଡ଼ିଶାର ମୌଳିକ କାହାଣୀକୁ ନେଇ ଧାରାବାହିକ ଓ ଫିଲ୍ମ ତିଆରିକଲେ ଓଲିଉଡ୍‌ର ବିକାଶ ହେବ।’’

ସମ୍ବନ୍ଧିତ ଖବର