ବିଜେଡିରେ ମିଶିଲେ ଅଧିରାଜ

ଭୁବନେଶ୍ୱର: ଖରିଆର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଆଜି ସେ ବିଜେଡିରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ତାଙ୍କୁ ଦଳକୁ ସ୍ବାଗତ କରିଥିଲେ। ଶ୍ରୀ ପାଣିଗ୍ରାହୀଙ୍କ ସହ ଖରିଆର ବ୍ଲକ୍ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ବୋଡ଼େନ ବ୍ଲକ୍ ଅଧ୍ୟକ୍ଷା ପ୍ରେମଶିଳା ନାଗ ଓ ଶିନାପଲ୍ଲୀ ଅଧ୍ୟକ୍ଷା ମାଧୁରୀ ମାଝୀ ବିଜେଡିରେ ସାମିଲ ହୋଇଥିଲେ। ଏହା ବାଦ୍ ୪୦ ଜଣ ସରପଞ୍ଚ, ୩୪ ସମିତି ସଭ୍ୟ ଓ ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ମିଶିଥିଲେ। ବିଧାୟିକା ତଥା ନୂଆପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ସ୍ନେହାଙ୍ଗିନୀ ଛୁରିଆ ଉପସ୍ଥିତ ଥିଲେ। ଏହି ଯୋଗଦାନ ଫଳରେ ନୂଆପଡ଼ା ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ଦାସ ଓ ଶ୍ରୀ ମଙ୍ଗରାଜ କହିଥିଲେ। ଶ୍ରୀ ପାଣିଗ୍ରାହୀ ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ବଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଲି। ନୂଆ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ବ ଦେବେ, ତାହାକୁ ସୁଚାରୁରୂପେ ତୁଲାଇବି। ଏହି ମିଶ୍ରଣ ପର୍ବରେ ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା ଓ ଅମିତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର