୩୦ ଜଣ କର୍ମଚାରୀଙ୍କୁ ବହିଷ୍କାର କରିବା ପରେ ଅନ୍ୟମାନଙ୍କୁ ୪ଟା ସୁଦ୍ଧା ଯୋଗଦେବାକୁ ନିର୍ଦ୍ଦେଶ ଦେଲା ଏୟାର ଇଣ୍ଡିଆ ଏକ୍ସପ୍ରେସ

ନୂଆଦିଲ୍ଲୀ: ଟାଟା ଗ୍ରୁପ୍ ମାଲିକାନା ଏୟାର ଇଣ୍ଡିଆ ଏକ୍ସପ୍ରେସ ଗତକାଲିର ସମସ୍ୟା ପରେ ୩୦ ଜଣ କ୍ରୁ ସଦସ୍ୟ ସଦସ୍ୟଙ୍କ ସେବାକୁ ତୁରନ୍ତ ବନ୍ଦ କରିଦେଇଛି କମ୍ପାନି। ପୂର୍ବରୁ ନଜଣାଇ ଅଚାନକ ଗଣ ଛୁଟିରେ ଯିବା ହେତୁ ଏୟାର ଇଣ୍ଡିଆ ଏକ୍ସପ୍ରେସକୁ ମଙ୍ଗଳବାର ୧୦୦ରୁ ଅଧିକ ବିମାନ ବାତିଲ କରିବାକୁ ପଡ଼ିଥିଲା। ଯାହାଫଳରେ ୧୫ ହଜାର ଯାତ୍ରୀ ପ୍ରଭାବିତ ହୋଇଥିଲେ।

ସେହି ୩୦ ଜଣଙ୍କୁ ଛାଡ଼ି ବାକିମାନଙ୍କୁ ଗୁରୁବାର (ଆଜି) ଅପରାହ୍ନ ୪ଟା ସୁଦ୍ଧା ଡ୍ୟୁଟିରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛି କମ୍ପାନି। ଯଦି ସେମାନେ ‌ସେପରି ନକରନ୍ତି ତ ବହିଷ୍କୃତର ସମ୍ମୁଖୀନ ହେବେ ବୋଲି କମ୍ପାନି ସୂଚାଇ ଦେଇଛି।  ବିମାନ ସେବା ପକ୍ଷରୁ ଆହୁରି ବି କୁହାଯାଇଛି ‌ଯେ ୨୯୨ଟି ବିମାନ ଚଳାଚଳ କରିବ।

‌କୌଣସି ଯଥାର୍ଥ କାରଣ ନଥାଇ ଏପରି ଅଚାନକ ସମୂହ ଛୁଟିରେ ଯିବା ଏୟାର ଇଣ୍ଡିଆ ଏକ୍ସପ୍ରେସ କର୍ମଚାରୀଙ୍କ ନିୟମକୁ ଉଲ୍ଲଂଘନ କରିଛି। ଉଡ଼ାଣ ପାଇଁ କ୍ରୁମାନଙ୍କ ନାମ ତାଲିକାଭୁକ୍ତ ହୋଇ ସାରିଥିବା ବେଳେ ଶେଷ ମୁହୂର୍ତ୍ତରେ ଏପରି ଗଣ ଛୁଟିରେ ଯିବା କାରଣରୁ କମ୍ପାନି ପୂର୍ବରୁ ୩୦ଜଣଙ୍କୁ ବହିଷ୍କୃତ କରିସାରିଛି।

‘‘ଆପଣ ଆଉ କର୍ମଚାରୀ ଭବେ ବିବେଚିତ ହେବେ ନାହିଁ। ଅଫିସିଆଲ୍‌ ମେଲ୍‌, ସର୍ଭର ଏବଂ ଅନ୍ୟାନ୍ୟ ଯୋଗାଯୋଗକୁ ଆଉ ଆପଣ ଆଜିଠାରୁ ବ୍ୟବହାର କରିପାରିବେ ନାହିଁ’’ ବୋଲି ମେଲ୍‌ରେ କର୍ମଚାରୀମାନଙ୍କୁ କୁହାଯାଇଛି।

ଅନ୍ୟପକ୍ଷରେ ବିମାନ ବିଳମ୍ବ ଏବଂ ବାତିଲ ନେଇ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଣାଳୟ ମଧ୍ୟ ବିମାନ ସେବା ପକ୍ଷରୁ ବିସ୍ତୃତ ରିପୋର୍ଟ ମାଗିଛି। ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଏୟାର ଇଣ୍ଡିଆ ଏକ୍ସପ୍ରେସକୁ ଶୀଘ୍ର ପଦକ୍ଷେପ ନେବାକୁ କହିଛି।

 

 

ସମ୍ବନ୍ଧିତ ଖବର