ଓଡ଼ିଆ ଭାଷା ଉପରେ ପ୍ରଶାସନିକ ଅତ୍ୟାଚାର: ଶାସନର ଭା‌ଷା ହୋଇପାରୁନି ମାତୃଭାଷା

କିଛି ଘୋଷଣା କାର୍ଯ୍ୟକାରୀ ହେଉନି, ଭାଷା କମିସନ୍ ଗଠନ କଥା ଭୁଲିଗଲେଣି

ଚୌଧୁରୀ ଅମିତାଭ ଦାସ
ଭୁବନେଶ୍ବର: ୨୦୧୬ ମେ’ ୨୧। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଚତୁର୍ଥ ପାଳି ଶାସନର ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ବଡ଼ ଘୋଷଣା କଲେ। ସେହି ବର୍ଷ ଅଗଷ୍ଟ ୧୫ରୁ ଓଡ଼ିଆ ଭାଷାରେ ହିଁ ରାଜ୍ୟର ଶାସନ ଚାଲିବ ବୋଲି ମନ୍ତ୍ରୀ ପରିଷଦ ବୈଠକରେ କହିଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଓଡ଼ିଆ ଭାଷା ପ୍ରେମୀମାନଙ୍କ ମଧ୍ୟରେ ଆଶା ଉଜ୍ଜୀବିତ କଲା। ୨୦୧୬ ଅଗଷ୍ଟ ୧୨। ଦୀର୍ଘ ୬୨ ବର୍ଷ ପରେ ଓଡ଼ିଆ ଭାଷା ଆଇନ୍, ୧୯୫୪ର ନିୟମାବଳୀକୁ କ୍ୟାବିନେଟ୍ ସ୍ବୀକୃତି ମିଳିଲା। ଏହି ଆଇନ୍‌କୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଗଲା। ଏଣିକି ଓଡ଼ିଆ ଭାଷା ଆଉ ରାଜ୍ୟ ଭିତରେ ଅବହେଳିତ ହେବନି ବୋଲି ସମସ୍ତେ ଭାବିନେଲେ। ୨୦୧୬ ଅଗଷ୍ଟ ୧୭। ତତ୍‌କାଳୀନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ଅଧିକାରୀମାନଙ୍କ ବୈଠକ ବସି ଓଡ଼ିଆରେ ସବୁ ଶାସନ କାର୍ଯ୍ୟ ଚାଲିବ ବୋଲି କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଗଲା। ଓଡ଼ିଆରେ କାମ ହେଉଛି କି ନାହିଁ, ତାହା ଜଗିବାକୁ ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଏକ ଶାଖା ଗଠନ କରାଗଲା। ପୁଣି ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ବି ଗଠନ ହେଲା। ୬ ମାସରେ ଥରେ ଏହି କମିଟିର ବୈଠକ ବସି ଭାଷା ଆଇନ କାର୍ଯ୍ୟକାରୀ ହେଉଛି କି ନାହିଁ, ତାହାର ତଦାରଖ କରିବ। ସରକାରୀ ବାବୁମାନଙ୍କର ଭାଷା ପ୍ରତି ଏମିତି ଦରଦ ଗଣମାଧ୍ୟମରେ ଖବରର ଶିରୋନାମା ପାଲଟିଲା।

୨୦୧୭ ଡିସେମ୍ବର ୨୬। ପୁରୀରେ ହୋଇଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହେଲା ଯେ ଓଡ଼ିଆ ଭାଷା କମିସନ୍ ଗଠନ ହେବ। ଓଡ଼ିଆ ଭାଷା ବ୍ୟବହାର ଖିଲାପକାରୀଙ୍କ ପାଇଁ ଦଣ୍ଡବ୍ୟବସ୍ଥା କଡ଼ାକଡ଼ି ହେବ। ଭାଷାର ବ୍ୟବହାରକୁ ନେଇ ସରକାର ଏଣିକି କଠୋର ହେବେ ବୋଲି ବାର୍ତ୍ତା ଦିଆଗଲା। ଓଡ଼ିଆ ଭାଷାକୁ ନେଇ ଗତ କିଛି ବର୍ଷ ମଧ୍ୟରେ ଏମିତି ସବୁ ଘୋଷଣା ବେଶ୍ ଚର୍ଚ୍ଚାରେ ରହିଛି। ସାମୟିକ ଭାବେ ସରକାର ବେଶ୍ ପ୍ରଶଂସା ସାଉଁଟିଛନ୍ତି। ଓଡ଼ିଆ ଭାଷା ବ୍ୟବହାରକୁ ନେଇ ଉଠୁଥିବା ଦାବି, ପ୍ରତିବାଦକୁ କିଛି ଦିନ ପାଇଁ ଟାଳି ଦେଇଛନ୍ତି। ଲୋକଙ୍କ ଭାବପ୍ରବଣତାକୁ ପ୍ରଭାବିତ କରିପାରିଛନ୍ତି। କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ଓ ଚିନ୍ତାଜନକ। ସରକାରଙ୍କ ଏସବୁ ଘୋଷଣା ଶତ ପ୍ରତିଶତ ମୂଲ୍ୟହୀନ ଥିବା ଭଳି ଜଣାପଡ଼ୁଛି। ମାତୃଭାଷା ପ୍ରତି ଛଳନା ଧରାପଡ଼ିଯାଉଛି। ୨୦୧୬ରେ ଏହି ଘୋଷଣା ପୂର୍ବରୁ ଓଡ଼ିଆ ଭାଷା ଯେମିତି ହତାଦାର ହେଉଥିଲା ତାହା ଏବେ ବି ଜାରି ରହିଛି। ବରଂ ଭାଷା ଉପରେ ପ୍ରଶାସନିକ ଅତ୍ୟାଚାର ବଢ଼ିଛି। କୌଣସି ପରିସ୍ଥିତିରେ ଓଡ଼ିଆ ଭାଷାକୁ ସରକାରୀ ସ୍ତରରେ ବ୍ୟାପକ ବ୍ୟବହାର ନ କରିବାକୁ କ୍ଷମତାରେ ଥିବା ବାବୁମାନେ ଯେପରି ଶପଥ ନେଇଛନ୍ତି। ଆଉ ସରକାର ସମ୍ଭାଳୁଥିବା ମନ୍ତ୍ରୀମାନେ ସବୁ ଦେଖି ନିରବ।

୨୦୧୬ ଅଗଷ୍ଟ ୧୫ରୁ ଓଡ଼ିଆ ଭାଷାରେ ଶାସନ ପାଇଁ ସରକାର ଘୋଷଣା କରିଛନ୍ତି ସତ। କିନ୍ତୁ ଘୋଷଣା ଓ କାର୍ଯ୍ୟକାରିତା ଭିତରେ ଆକାଶ ପାତାଳ ଫରକ। କାଁ ଭାଁ କିଛି ବିଭାଗକୁ ଛାଡ଼ିଦେଲେ ଓଡ଼ିଆ ଭାଷାରେ ଆଦୌ ଫାଇଲ୍ କାମ କରାଯାଉ ନାହିଁ। ଏପରିକି ସାଧାରଣ ଲୋକଙ୍କୁ ସେବା ଯୋଗାଉଥିବା ବିଭାଗଗୁଡ଼ିକ ମଧ୍ୟ ଓଡ଼ିଆରେ କୌଣସି ନିର୍ଦ୍ଦେଶନାମା ଜାରି କରିବାକୁ କୁଣ୍ଠାବୋଧ କରୁଛନ୍ତି। ପୁଣି ଏବେ ବିଦ୍ୟୁତ ବିଲ୍ ପରି ସାଧାରଣ ଲୋକଙ୍କ ଦୈନନ୍ଦିନ କାମରେ ଓଡ଼ିଆ ଭାଷା ଦେଖିବାକୁ ମିଳୁ ନାହିଁ। ଘରୋଇ ସଂସ୍ଥା ହାତକୁ ବିତରଣ ଦାୟିତ୍ବ ଗଲା ପରେ ସେଥିରୁ ବି ଓଡ଼ିଆ ଭାଷା ଉଠିଗଲାଣି। ସରକାରଙ୍କ ସବୁ ପ୍ରଶାସନିକ ବିଭାଗ ଓ ତୃଣମୂଳ ସ୍ତରରେ ସେବା ଯୋଗାଉଥିବା ସରକାରୀ ସଂସ୍ଥାର ୱେବ୍‌ସାଇଟ୍‌ରେ ଓଡ଼ିଆ ଭାଷାରେ ସବୁ ବିବରଣୀ ଏ ଯାଏ ରହିପାରିଲା ନାହିଁ। ସରକାରୀ ବ୍ୟବସ୍ଥାରେ ତଳୁ ଉପର ଯାଏ ଭାଷା ପ୍ରତି ବିତସ୍ପୃହତା ଦେଖିବାକୁ ମିଳୁଛି।

ଓଡ଼ିଆ ଭାଷା ଆଇନ୍‌କୁ କାର୍ଯ୍ୟକାରୀ କରିବା ସମୟରେ ଏହି ଆଇନ୍‌କୁ ଖିଲାପ କରୁଥିବା ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ କ’ଣ ହେବ ବୋଲି ପ୍ରଶ୍ନ ଉଠିଥିଲା। ଏଥିପାଇଁ ଭାଷା କମିସନ୍ ଗଠନ ଅନିବାର୍ଯ୍ୟ ବୋଲି ବିଭିନ୍ନ ମହଲରେ ଦାବି ଉଠିଥିଲା। ଭାଷା କମିସନ୍ ଗଠନ ପାଇଁ କ୍ୟାବିନେଟ୍‌ରେ ନିଷ୍ପତ୍ତି ନେଇଗଲେ। କିନ୍ତୁ ନିଷ୍ପତ୍ତି ନେବାର ୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ କମିସନ୍ ଗଠନ ହୋଇପାରିଲା ନାହିଁ। ଏଥିପାଇଁ ସରକାରୀ ସ୍ତରରେ ସାମାନ୍ୟ ଆନ୍ତରିକତା ମଧ୍ୟ ପ୍ରକାଶ ପାଉନାହିଁ। କ୍ୟାବିନେଟ୍‌ରେ ନିଷ୍ପତ୍ତି ନେଇ ସରକାର ଭୁଲିଗଲେ ଓ ବାବୁମାନେ ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ଉଚିତ ମଣିଲେ ନାହିଁ।

ସରକାରୀ କଳରେ ଓଡ଼ିଆ ଭାଷା ବ୍ୟବହାରକୁ ବାଧ୍ୟତାମୂଳକ କରିବାକୁ ନିୟମରେ ବ୍ୟବସ୍ଥା କରାଯାଇଛି। ଭାଷାକୁ ଅଧିକ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ପୁରସ୍କାର ଓ ବ୍ୟବହାର କରୁ ନ ଥିବା ବ୍ୟକ୍ତିଙ୍କୁ ଦଣ୍ଡ ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ଏ ଯାଏ କେହି ପୁରସ୍କୃତ ହୋଇ ନାହାନ୍ତି କି କାହାରିକୁ ଦଣ୍ଡବିଧାନ କରାଯାଇ ନାହିଁ। ଏଥିରୁ ଭାଷା ପ୍ରତି ସରକାରଙ୍କ ଆନ୍ତରିକତା କେତେ ତାହା ଧରାପଡ଼ିଯାଉଛି। ସାଧାରଣ ପ୍ରଶାସନ ବିଭାଗର ଭାଷା ଶାଖା ଓ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ବୈଠକ ବସୁଛି କି ନାହିଁ ତାହା ଜଣାପଡ଼ୁନି। ଯଦି ବସୁଛି, ତାହା କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହା କେହି ଜାଣିପାରୁ ନାହାନ୍ତି। କିନ୍ତୁ ଭାଷା ଯେ ସରକାରୀ କଳରେ ବ୍ୟାପକ ବ୍ୟବହାର ହେଉ ନାହିଁ, ତାହା ଅତ୍ୟନ୍ତ ସ୍ପଷ୍ଟ। ସେହିପରି ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ ଓଡ଼ିଆ ଭାଷାରେ ନାମଫଳକ ଲେଖିବାକୁ ବାଧ୍ୟତାମୂଳକ କରଯାଇଛି। କିନ୍ତୁ ଖୋଦ୍ ରାଜଧାନୀ ସମେତ ସବୁ ସହରରେ ବହୁ ବ୍ୟାବସାୟିକ ସଂସ୍ଥାରେ ଓଡ଼ିଆ ଭାଷା ବ୍ୟବହାର ହେଉନାହିଁ। ନା ଏଥି ପ୍ରତି ସରକାର ସଚେତନତା ସୃଷ୍ଟି କରିପାରୁଛନ୍ତି ନା ନାଲି ଆଖି ଦେଖାଇପାରୁଛନ୍ତି। ଯେତେବେଳେ ସରକାରୀ ବାବୁମାନେ ନିଜେ ଓଡ଼ିଆ ଭାଷା ବ୍ୟବହାର କରିବାକୁ କୁଣ୍ଠାବୋଧ କରୁଛନ୍ତି, ସେତେବେଳେ ସେମାନେ କିପରି ଅନ୍ୟକୁ ଭାଷା ବ୍ୟବହାର ପାଇଁ ଉତ୍ସାହିତ କରିବେ ବୋଲି ପ୍ରଶ୍ନ ଉଠୁଛି।

ସରକାରୀ ସ୍ତରରେ ଏପରି ମାନସିକତା ଓଡ଼ିଆ ଭାଷାର ଏବେ ପ୍ରଧାନ ଶତ୍ରୁ ପାଲଟିଛି। ଭାଷା ଭିତ୍ତିରେ ଓଡ଼ିଶା ଯେ ଏକ ରାଜ୍ୟର ମାନ୍ୟତା ପାଇଥିଲା, ତାହା ବର୍ତ୍ତମାନ କ୍ଷମତାରେ ଥିବା ବ୍ୟକ୍ତିମାନେ ଭୁଲିଗଲେଣି। ଯଦି ଗୋଟିଏ ରାଜ୍ୟର ମାତୃଭାଷା ସେହି ରାଜ୍ୟର ଶାସନର ଭାଷା ହୋଇ ନ ପାରିବ, ତେବେ ଭାଷାକୁ ସାଧାରଣରେ ବ୍ୟବହାର କିପରି ବ୍ୟାପକ କରାଯାଇପାରିବ? ମାତୃଭାଷାକୁ ହତାଦର କରି କୌଣସି ରାଜ୍ୟ ବିକାଶର ମାପକାଠିରେ ଆଗକୁ ଯାଇଛି କି ବୋଲି ଭାଷାପ୍ରେମୀ ପ୍ରଶ୍ନ କଲେଣି।

ସମ୍ବନ୍ଧିତ ଖବର