୫ଦିନର ଶିଶୁକୁ ୧୩ଥର ଚେଙ୍କ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ନବରଙ୍ଗପୁର/ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ରେ ଘଟିଛି ଅଭାବନୀୟ ଘଟଣା। ଅନ୍ଧବିଶ୍ବାସର ଆଶ୍ରୟ ନେଇ ୫ଦିନର ଶିଶୁକୁ ଦିଆଯାଇଛି ଚେଙ୍କ। ପରିବାର ଲୋକଙ୍କ ହିଁ ନିଷ୍ପାପ ଶିଶୁ ସହ ଏଭଳି ନିଷ୍ଠୁର କାମ କରିଥିବା ସୂଚନା ମିଳିଛି। ଯାହାଫଳରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଉମରକୋଟ ବ୍ଲକ୍‌ ଗମ୍ଭାରିଗୁଡ଼ା ଗାଁର ମୋତିଗାଁର ଯଦୁ ବିଶି ୫ଦିନ ତଳେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ତେବେ ୩୧ତାରିଖ ଦିନ ଶିଶୁର କାନ୍ଦ ବନ୍ଦ ହୋଇ ନଥିଲା। ରାହା ଧରି କାନ୍ଦିବାରୁ ପରିବାର ଲୋକ ବିବ୍ରତ ହୋଇଥିଲେ। କିନ୍ତୁ ଡାକ୍ତରଖାନା ନେବା ପରିବର୍ତ୍ତେ ପରଂପରା ନାଁରେ ଶିଶୁକୁ ବାରମ୍ବାର ଚେଙ୍କ ଦେଇଥିଲେ।

ପେଟ ଓ ଛାତିରେ ପରିବାର ଲୋକ ହିଁ ପ୍ରାୟ ୧୩ଥର ଚେଙ୍କ ଦେଇଥିବା ଜଣାପଡ଼ିଛି। ଯାହାଫଳରେ ଶିଶୁଟିର ଅବସ୍ଥା ଆହୁରି ଗମ୍ଭୀର ହୋଇଯାଇଥିଲା। ଯନ୍ତ୍ରଣାରେ ଛଟପଟ ହେବା ସହ ଶିଶୁଟିର କାନ୍ଦ ବନ୍ଦ ହୋଇ ନଥିଲା। ଏମିତି ସ୍ଥିତିରେ ବାଧ୍ୟ ହୋଇ ଆଜି ଶିଶୁକୁ ନେଇ ବାପା, ମା ଉମରକୋଟ ଡାକ୍ତରଖାନାକୁ ଆସିଥିଲେ। ଅପରାହ୍ନରେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସନ୍ତୋଷ କୁମାର ପଣ୍ଡା ଚିକିତ୍ସା ଆରମ୍ଭ କରିଥିଲେ। ସଂଧ୍ୟା ବେଳକୁ ସାମାନ୍ୟ ସୁସ୍ଥ ଅନୁଭବ କରିବାରୁ ଏସଏନସିୟୁରେ ଭର୍ତ୍ତି କରାଯାଇଛି। ଯଦି ଡାକ୍ତରଖାନା ଆଣିବାରେ ବିଳମ୍ବ ହୋଇଥାନ୍ତା ତେବେ ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ଡାକ୍ତର ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର