ନୂଆଦିଲ୍ଲୀ: ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟଙ୍କ ନଭେମ୍ବର ୪, ୨୦୧୯ର ନି‌ର୍ଦ୍ଦେଶନାମା ଆଧାରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ସୁପ୍ରିମକୋର୍ଟରେ ୩୩ ପୃଷ୍ଠାର ସତ୍ୟପାଠ ଦାଖଲ ହୋଇଛି। ଶ୍ରୀମନ୍ଦିର ପ୍ରଶାସନର ଉପପ୍ରଶାସକ (ରାଜସ୍ବ) ପ୍ରମୋଦ କୁମାର ପୃଷ୍ଟି ଏହାକୁ ଦାଖଲ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ୨୨ଟି ନିର୍ଦ୍ଦେଶନାମାର ଅନୁପାଳନ କରାଯାଇଥିବା ଏଥିରେ ଉଲ୍ଲେଖ କରାଯାଇଛି।

Advertisment

ସତ୍ୟପାଠରେ କୁହାଯାଇଛି, ଡିସେମ୍ବର ୨୮, ୨୦୧୮ରେ ନୀତିକାନ୍ତିରେ ବିଳମ୍ବ ଓ ବିଭ୍ରାଟ ପାଇଁ ଦାୟୀ ସେବକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାପାଇଁ ମୁଖ୍ୟ ପ୍ରଶାସକଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶକୁ କାର୍ଯ୍ୟକାରୀ ପୂର୍ବକ ପ୍ରାରମ୍ଭିକ ତଦନ୍ତ ଆଧାରରେ ୫ ଜଣ ସେବକ ଭବାନୀ ଶଙ୍କର ମହାପାତ୍ର, କାହ୍ନୁ ପୂଜାପଣ୍ଡା, ମହାବୀର ଖୁଣ୍ଟିଆ, ନରସିଂହ ଖୁଣ୍ଟିଆ ଓ ମଧୁସୂଦନ ଖୁଣ୍ଟିଆଙ୍କ ବି‌ରୋଧରେ ଚାର୍ଜ ଫ୍ରେମ ହୋଇଛି। ତଦନ୍ତ ଶେଷ ହେବାପରେ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶୃଙ୍ଖଳା ରକ୍ଷା ପାଇଁ ସେବାପୂଜାରେ ସେବକ ୧୫ ମିନିଟ୍‌ ବିଳମ୍ବ କଲେ ପାଉଣାରୁ ୨୫ ପ୍ରତିଶତ, ୩୦ ମିନିଟ ବିଳମ୍ବ ହେଲେ ୫୦ ପ୍ରତିଶତ ଓ ଘଣ୍ଟାଏ ବିଳମ୍ବ କଲେ ଶତପ୍ରତିଶତ କାଟ ନିଷ୍ପତ୍ତି ନିଆଯାଇଛି। ସେବକ ସେବାପୂଜାରେ ଲଗାତାର ତିନିଥର ବିଳମ୍ବ କଲେ ସସ୍‌ପେଣ୍ଡ ଓ ଜାଣିଶୁଣି ବିଳମ୍ବ କଲେ ସେବାରୁ ବହିଷ୍କାର କରାଯିବା ନିଷ୍ପତ୍ତି ହୋଇଛି। ଛୋଟମୋଟ ଘଟଣାକୁ ବାଦ୍‌ ଦେଲେ ଶ୍ରୀମନ୍ଦିର ‌ଦୈନନ୍ଦିନ ରୀତିନୀତି ଶୃଙ୍ଖଳିତ ଭାବେ ପରିଚାଳନା ହେଉଛି।

ଗଜପତି ମହାରାଜଙ୍କ ସମ୍ପର୍କରେ ସତ୍ୟପାଠରେ କୁହାଯାଇଛି ଯେ ସେ ହେଉଛନ୍ତି ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ। ମନ୍ଦିର ପ୍ରଶାସନ ସମ୍ପର୍କିତ ମାମଲାଗୁଡ଼ିକରେ ସେ ମୂଲ୍ୟବାନ ମତ ଓ ପରାମର୍ଶ ଦେଇଥାନ୍ତି। ରୀତିନୀତି ଏବଂ ପରମ୍ପରା ସଂପର୍କିତ ପ୍ରସଙ୍ଗରେ ଶ୍ରୀମଦ୍‌ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ମତାମତ ଲୋଡ଼ାଯାଇଥାଏ। ମନ୍ଦିର ପରିଚାଳନା କମିଟି ଦ୍ବାରା ନୀତିଗୁଡ଼ିକର ପରିଚାଳନା ପାଇଁ ସବ୍‌ କମିଟି ଗଠନ ହୋଇଛି। ସେବାପୂଜାର ଉତ୍ତମ ପରିଚାଳନା‌ ପାଇଁ ଛତିଶା ନିଯୋଗ ସହିତ ବୈଠକ ହେଉଛି। ଶ୍ରୀମନ୍ଦିର ଆଇନ ଆଧାରରେ ଯୁଗ୍ମ ସଚିବ ପାହ୍ୟାର ଜଣେ ଅଧିକାରୀ ପୂର୍ଣ୍ଣକାଳୀନ ପ୍ରଶାସକ (ନୀତି) ଅବସ୍ଥାପିତ ହୋଇଛନ୍ତି। ଦୈନନ୍ଦିନ ନୀତି ଓ ବିଭିନ୍ନ ପର୍ବପର୍ବାଣୀର ତଦାରଖ ପାଇଁ ବରିଷ୍ଠ ଆଇଏସ୍‌ ପାହ୍ୟାର ଜଣେ ଅଧିକାରୀଙ୍କୁ ମୁଖ୍ୟ ପ୍ରଶାସକ ଭାବେ ପର୍ଯ୍ୟାପ୍ତ କ୍ଷମତା ଦିଆଯାଇଛି।

ସେବକ ଓ ସର୍ବସାଧାରଣ ପିଲାଙ୍କ ଉପଯୁକ୍ତ ଶିକ୍ଷା ପାଇଁ ମନ୍ଦିର ପରିଚାଳନା କମିଟି ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସ୍ଥାପନ ପାଇଁ ନିଷ୍ପତ୍ତି ନେଇଛି। ଗୁରୁକୁଳ ପ୍ରତିଷ୍ଠା ପାଇଁ ପୁରୀ ସହର ମାଟିତୋଟା ମୌଜାରେ ୩୨.୨୪୬ ଏକର ଜମିର ଚିହ୍ନଟ ଓ ବିକାଶ ପାଇଁ ଆବଣ୍ଟିତ ହୋଇଛି। ମୁମ୍ବାଇସ୍ଥିତ ଜିଡି ବିର୍ଲା ମେଡିକାଲ ରିସର୍ଚ ଆଣ୍ଡ୍‌ ଏଜୁକେସନ ଫାଉଣ୍ଡେସନକୁ ଗୁରୁକୁଳ ପରିଚାଳନା ପାଇଁ ଅଂଶୀଦାର ଭାବେ ଚୟନ କରାଯାଇଛି। ଏହାକୁ ୨୦୨୪-୨୫ ଶିକ୍ଷାବର୍ଷରୁ କାର୍ଯ୍ୟକାରି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ୬୦ ହଜାର ଏକରରୁ ଅଧିକ ଜମି ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ନାମରେ ଚିହ୍ନଟ ହୋଇଚି। ଆଜି ପର୍ଯ୍ୟନ୍ତ ୩୮,୦୬୧ ଏକର ଜମିର ‘ରେକର୍ଡ ଅଫ ରାଇଟ୍‌ସ’ ଉପଲବ୍ଧ ହୋଇଛି। ଅନ୍ୟ ଜମିଗୁଡିକର ରେକର୍ଡ ଅଫ ରାଇଟ୍‌ସ ହାସଲ ପାଇଁ ନିୟମିତ ଯୋଗାଯୋଗ ଜ‌ାରି ରହିଛି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ନିୟନ୍ତ୍ରଣରେ ମୋଟ ୧୦୦ଟି ‌‌ପଥର ଖାଦାନ ରହିଛି। ଏଥିରୁ ୭୨ଟି ବିଲ୍‌ଡିଂ ଷ୍ଟୋନ୍‌, ୨୬ଟି ମାଙ୍କଡ଼ା ପଥର ଓ ୨ଟି ଖୋଣ୍ଡାଲାଇଟ୍‌ ପଥର ଖାଦାନ ରହିଛି। ଏଥିରୁ ଗତ ଆର୍ଥିକ ବର୍ଷରେ ୧୩,୩୮,୪୦,୪୬୦ ଟଙ୍କା ଆୟ ହୋଇଛି। ଏହା ବାଦ୍‌ ବର୍ଷିକିଆ ଲିଜ୍ ସୂତ୍ରରେ ଦିଆଯାଇଥିବା ମହାପ୍ରଭୁଙ୍କ ଜମିରେ ଥିବା ୮୩ଟି କ୍ରସର୍‌ରୁ ପ୍ରଣାମି ବାବଦରେ ୧,୧୩,୯୯,୨୦୦ ଟଙ୍କା ଆଦାୟ ହୋଇଛି।

୬୦,୦୦୦ ଏକରରୁ ୩୮,୦୬୧ର ଜମି ପଟ୍ଟା ଉପଲବ୍‌ଧ
୩୬୨୩ ସେବାୟତ, ୪୭୦ ଅଧିକାରୀ ଓ କର୍ମୀଙ୍କୁ ପରିଚୟପତ୍ର
ଆସନ୍ତା ମାସ ପହିଲାରେ ମାମଲାର ଶୁଣାଣି

ବର୍ତ୍ତମାନ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସ୍‌ଜେଟିଏ) ପକ୍ଷରୁ ଚାରିଟି ଭକ୍ତନିବାସ ଓ ଗୋଟିଏ ଯାତ୍ରୀନିବାସ ସଞ୍ଚାଳନ ହେଉଛି। ଅତିଥିଶାଳାଗୁଡ଼ିକରେ ୩୦୭ଟି ଡବଲ ବେଡ, ୬୨ ଟ୍ରିପଲ ବେଡ, ଓ ୧୩ଟି ଡରମିଟାରି ରହିଛି। ସେବକ ଓ ସେମାନଙ୍କର ପରିବାର ପାଇଁ ପେନସନ୍‌ ବ୍ୟବସ୍ଥା କରାଯାଇଛି। ସେବକମାନଙ୍କୁ ୫ ପ୍ରକାରର ପେନସନ ପ୍ରଦାନ କରାଯାଉଛି। ବରିଷ୍ଠ ସେବକଙ୍କୁ ମାସିକ ୩୦୦୦ ଟଙ୍କା ଓ ଶାରୀରିକ ଅକ୍ଷମ ସେବକଙ୍କୁ ୨୫୦୦ ଟଙ୍କା ଦିଆଯାଉଛି। ୨୦୨୧-୨୨ରେ ପେନସନ ବାଦଦରେ ମୋଟ ୧,୭୮,୫୧,୯୦୦ ଟଙ୍କା ବ୍ୟୟ ହୋଇଛି। ସେବକ ଓ ସେମାନଙ୍କ ପରିବାର ପାଇଁ ୨୦୨୨-୨୩ରେ ବୀମା ପ୍ରିମିଅମ୍‌ ବାବଦରେ ୩,୧୦,୯୨,୪୮୦ ଟଙ୍କା ପଇଠ ହୋଇଛି।

ନିର୍ମାଣ ସମ୍ପର୍କରେ ସତ୍ୟପାଠରେ ଦିଆଯାଇଥିବା ସୂଚନା ଅନୁସାରେ ରୋଷ ଘରର ଫ୍ଲୋରିଂ କାର୍ଯ୍ୟ ୫୦ ପ୍ରତିଶତ ଶେଷହୋଇଛି। ଚଳିତ ବର୍ଷ ରଥଯାତ୍ରା ସମୟରେ ବଳକା ୫୦ ପ୍ରତିଶତ କାର୍ଯ୍ୟ ଶେଷ ହେବ। ମହାପ୍ରସାଦର ଦର ନିର୍ଦ୍ଧାରଣ ପାଇଁ ସୁଆର-ମହାସୁଆର ନିଯୋଗଙ୍କ ସହ ବିଚାରବିମର୍ଶ ଜାରି ରହିଛି। ୩୬୨୩ ସେବାୟତ ଓ ୪୭୦ ମନ୍ଦିର ଅଧିକାରୀ ଓ କର୍ମୀମାନଙ୍କୁ ପରିଚୟପତ୍ର ଜାରି କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ବହୁବିଧ ବ୍ୟବସ୍ଥା ହୋଇଛି। ମନ୍ଦିର ଭିତର ଗୁରୁତ୍ବପୂର୍ଣ୍ଣ ସ୍ଥାନମାନଙ୍କରେ ଓ ମେଘନାଦ ପାଚେରି ବାହାରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ଏଏସଆଇକୁ ପ୍ରସ୍ତାବ ଦିଆଯାଇଛି। ମନ୍ଦିରର ମୂଲ୍ୟବାନ ବସ୍ତୁ, ରତ୍ନ ଭଣ୍ଡାର, ରୁପା ଆଭୂଷଣ ଏବଂ ମହାପ୍ରଭୁଙ୍କ ଅନ୍ୟାନ୍ୟ ସାମଗ୍ରୀର ତାଲିକା ୧୯୭୮ ମସିହା ମେ ୧୩ରୁ ଜୁଲାଇ ୨୩ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଆଦେଶ ଅନୁସାରେ ପ୍ରସ୍ତୁତ କରାଯାଇଥିଲା ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ମାମଲାର ଶୁଣାଣି ଆସନ୍ତା ମାସ ଏକ ତାରିଖରେ ହେବ।