ପୁରୀ ବଡ଼ଦାଣ୍ଡରେ ନଜର ଆସିଲେ ଭିକ୍ଷାବୃତ୍ତି କରୁଥିବା ଆଉ ଜଣେ ଉଚ୍ଚଶିକ୍ଷିତା, ଧରିତ୍ରୀ କରିଛନ୍ତି କମ୍ପ୍ୟୁଟରରେ ପିଜି ଡିପ୍ଲୋମା

ପୁରୀ: ଶ୍ରୀକ୍ଷେତ୍ର ବଡଦାଣ୍ଡରୁ ଭିକାରିଙ୍କୁ ଥଇଥାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଭିକାରିଙ୍କୁ ବଡ଼ଦାଣ୍ଡରୁ ସ୍ଥାନାନ୍ତର ବେଳେ ପୁଣି ଏକ ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି । ପୁଣି ଜଣେ ଉଚ୍ଚଶିକ୍ଷିତ ମହିଳା ଭିକ୍ଷାବୃତ୍ତି ଆପଣାଇଥିବା ନଜର ଆସିଛନ୍ତି । ପଶ୍ଚିମବଙ୍ଗର ବାସିନ୍ଦା ଉଚ୍ଚଶିକ୍ଷିତା ମହିଳା ଧରିତ୍ରୀ ଚାଟାର୍ଜୀ ବଡଦାଣ୍ଡରେ ଭିକ୍ଷାବୃତ୍ତି କରୁଥିବା ଆବିଷ୍କୃତ ହୋଇଛି । କୋଲକାତାର ଏହି ମହିଳା କମ୍ପ୍ୟୁଟରରେ ପିଜି ଡିପ୍ଲୋମା କରିଛନ୍ତି।

ଓଡିଶାର କଳା, ସଙ୍ଗୀତ ଓ ସଂସ୍କୃତି ପ୍ରତି ଆକୃଷ୍ଟ ହୋଇ ସେ ପୁରୀ ଚାଲି ଆସିଛନ୍ତି । ୬୦ ବର୍ଷ ବୟସ ଅତିକ୍ରମ କରିଥିବା ଧରିତ୍ରୀ କିଛି ଦିନ ଚାକିରି ଜୀବନ ଅତିବାହିତ ମଧ୍ୟ କରିଥିବା ଜଣାଯାଇଛି। ଏତେ ପାଠ ପଢ଼ି ମଧ୍ୟ କାଳିଆ ପ୍ରେମରେ ପଡ଼ି ଭିକ୍ଷାବୃତ୍ତି କରୁଥିବା କଥା କହିଛନ୍ତି ଉଚ୍ଚଶିକ୍ଷିତା ଭିକାରି ଧରିତ୍ରୀ । ତାଙ୍କ ମତରେ ଧର୍ମସ୍ଥାନରେ ଭିକ୍ଷାବୃତ୍ତି ଏକ ମହତ୍ କାର୍ଯ୍ୟ । କାଳିଆ ଦୂଆରେ ଅଧିକ ଶିକ୍ଷାଗତ ଯୋଗ୍ୟତା ଥାଇ ବି ଭିକ୍ଷାବୃତ୍ତି କରିବାରେ କୌଣସି ସଙ୍କୋଚବୋଧ ନାହିଁ ବୋଲି ସେ କହନ୍ତି।

ପ୍ରଶାସନ ପକ୍ଷରୁ ପୁରୀରେ ଭିକାରିଙ୍କୁ ଥଇଥାନ କରିବା ପାଇଁ ଆଜି ଠାରୁ ନୀଳାଦ୍ରି ନିଳୟ ଯୋଜନା ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ଭିକାରିଙ୍କ ପୁନର୍ବାସ ବ୍ୟବସ୍ଥା କରାଯିବ । ଏଥିଲାଗି ୫୦୦ ଭିକାରିଙ୍କ ପାଇଁ ଅର୍ଥ ମଞ୍ଜୁର ହୋଇଛି । ସମସ୍ତ ଭିକାରଙ୍କୁ ୫ ଭାଗରେ ବିଭକ୍ତ କରାଯାଇଛି । ଏହି ଯୋଜନାରେ ଥଇଥାନ ଲାଗି ବୟସ୍କ ଓ ଶାରୀରିକ ଅକ୍ଷମଙ୍କୁ ପ୍ରଧାନ୍ୟ ଦିଆଯିବ । ନୀଳାଦ୍ରି ନିଳୟରେ ପୁର୍ନବାସ କରାଯିବ । ସେମାନଙ୍କୁ ଡାକି ପ୍ରଶିକ୍ଷଣ ଦିଆଯିବ । ଭିକାରୀଙ୍କୁ ଥଇଥାନ କରିବାକୁ ଟିମ୍ ଗଠନ କରାଯାଇଛି।

ଲକ୍ଷ୍ମୀପ୍ରିୟା ମିଶ୍ର (ମମତା)

ବଡ଼ଦାଣ୍ଡରେ ଗତକାଲି ଏହିଭଳି ଜଣେ ଭିକାରୁଣୀ ତଥା ସତ୍ୟବାଦୀର ଲକ୍ଷ୍ମୀପ୍ରିୟା ମିଶ୍ର (ମମତା)ଙ୍କୁ ଠାବ କରାଯାଇଥିଲା । ମମତା ଜଣେ ବିଦେଶ ଫେରନ୍ତା ସୁଦୂର ଇଥିଓପିଆରେ ଦୀର୍ଘ ଦିନ ଶିକ୍ଷକତା କରିବା ପରେ ଦିଲ୍ଲୀ, ପଞ୍ଜାବ ଓ ଗୁଜୁରାଟର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଏହି ମହିଳା ଜଣେ ଉଚ୍ଚ ଶିକ୍ଷିତା। ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷ‌ା ହାସଲ କରିବା ପରେ ସେ ପୁରୀର ଏକ ବାଳିକା ବିଦ୍ୟାଳୟରେ ଶିକ୍ଷକତା କରିଥିଲେ। ମାତ୍ର ମମତା ଜଣେ ଉଚ୍ଚାଭିଳିଷୀ ମହିଳା ଥିଲେ। ଚାକିରିରୁ ମିଳୁଥିବା ଅର୍ଥରେ ସେ ସନ୍ତୁଷ୍ଟ ନଥିଲେ। ତେଣୁ କିଛି ଶୁଭେଚ୍ଛୁଙ୍କ ସହଯୋଗରେ ବିଦେଶକୁ ଯାଇଥିଲେ। ସେଠାରେ ଯାଇ ପାଠ ପଢ଼ାଇଥିଲେ। ପ‌ରେ ଭାରତ ଫେରି ପଞ୍ଜାବରେ ଶିକ୍ଷକତା କରିଥିଲେ। ସମୟ ଚକ୍ରରେ ତାଙ୍କର ପାରିବାରିକ ଦୁଃଖ ତାଙ୍କ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିଥିଲା। ସେ ଗ୍ରହଣ କରିଥିବା ପୋଷ୍ୟପୁତ୍ର କୌଣସି କାରଣରୁ ମୃତ୍ୟୁବରଣ କରିବା ପରେ ସେ ମାନସିକ ଭାରସାମ୍ୟ ହରାଇଥିଲେ। ପରେ ସେ ମହାପ୍ରଭୁଙ୍କ ବଡ଼ଦାଣ୍ଡକୁ ଭିକ୍ଷାବୃତ୍ତିକୁ ଆପଣେଇ ନେଇଥିଲେ। ବୟସର ଅପରାହ୍ଣରେ ଏବେ ତାଙ୍କ ପାଟିରୁ ପ୍ରଗଳ୍‌ଭ ଇଂରାଜୀ ବାହାରୁଛି। ଗତକାଲି ସମ୍ପୃକ୍ତ ମହିଳାଙ୍କୁ ଏକ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଉଦ୍ଧାର କରାଯାଇ ପୁରୀ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଏଠାରେ ତାଙ୍କର ଚିକତ୍ସା ପରେ ତାଙ୍କୁ ଜରାଶ୍ରମ‌ରେ ଛାଡ଼ିବାର ଯୋଜନା ରହିଛି।

ସମ୍ବନ୍ଧିତ ଖବର