ଚିଲିକାର ପୂର୍ବ ଉପକୂଳରେ ପ୍ରତ୍ନତାତ୍ତ୍ବିକ ଅନୁସନ୍ଧାନ: ଖପରାରେ ତୃତୀୟ ଶତାବ୍ଦୀର ବ୍ରାହ୍ମୀ ଲିପି

ନୌବାଣିଜ୍ୟର ପ୍ରମାଣ ରହିଥିବା ଅନୁମାନ

ପୁରୀ : ଚିଲିକାର ପୂର୍ବ ଉପକୂଳରେ ତୃତୀୟ ଶତାବ୍ଦୀର ବୃହତ୍‌ ପ୍ରତ୍ନତାତ୍ତ୍ବିକ ଅନୁସନ୍ଧାନ ମିଳିଛି। ପୁରୀ ଜିଲ୍ଲା କଣାସ ବ୍ଲକ୍‌ ଦେଇପୁର ପଞ୍ଚାୟତ ଅନ୍ତର୍ଗତ ତେଲେଙ୍ଗାପଡ଼ା ଗ୍ରାମ ସିଦ୍ଧପଡ଼ା ଡିହ ଚିଲିକା କୂଳରୁ ମାତ୍ର ୮୦ ମିଟର ଦୂର। ଏଠାରେ ପ୍ରତ୍ନତାତ୍ତ୍ବିକ ସ୍ଥଳଟି ଏକ ବିଶାଳକାୟ ମାଟି କୁଦ ଆକାରରେ ରହିଛି। ଏହି ସ୍ଥାନରୁ ପୋଡ଼ା ଯାଇଥିବା ମାଟି କୂଅ ନନ୍ଦ ଓ ଖପରାରେ ଲେଖାଥିବା ପ୍ରାଚୀନ ମାଟି ପାତ୍ର ସାମଗ୍ରୀର ଅବଶେଷ ସଂଗ୍ରହ କରାଯାଇଛି। ଏହି ଖପରାରେ ବ୍ରାହ୍ମୀ ଭାଷାରେ ଲେଖାଯାଇଛି। ଉତ୍କଳ ବିଶ୍ବବିଦ୍ୟାଳୟର ଭାରତ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ବ ବିଭାଗର ସହାୟକ ପ୍ରଧ୍ୟାପକ ଡ.ଅନାମ ବେହେରା ଓ ଗବେଷକ ଅମିତ କୁମାର ପ୍ରଧାନ ନିକଟସ୍ଥ ଅଞ୍ଚଳରେ ଗବେଷଣା କରୁଥିବା ବେଳେ ଏହି ପ୍ରତ୍ନତାତ୍ତ୍ବିକ ସ୍ଥଳ ଚିହ୍ନଟ କରିଛନ୍ତି।

ଡ.ବେହେରାଙ୍କ କହିବା ମୁତାବକ, ତୃତୀୟ ଶତାବ୍ଦୀରେ ବ୍ରାହ୍ମୀ ଭାଷାରେ ଲେଖାଯାଉଥିଲା। ଏହି ଖପରାରେ ସମ୍ଭବତଃ ବ୍ରାହ୍ମୀ ଭାଷାରେ କିଛି ଉଲ୍ଲେଖ ଥିବାରୁ ଏହି କୁଦ ତଥା ବୃହତ୍‌ ପ୍ରତ୍ନତାତ୍ତ୍ବିକ ସ୍ଥଳୀ ଉତ୍କଳ ନୌବାଣିଜ୍ୟର ବହୁ ଗୁରୁତ୍ବପୂର୍ଣ୍ଣ ଦିଗ ସାମ୍ନାକୁ ଆଣିପାରିବ ବୋଲି ଅନୁମାନ କରାଯାଉଛି। ଏପରିକି ନିକଟ ଅତୀତରେ ଦହିଖିଆର ମାଣିକପାଟଣା, ଖଲିକୋଟର କେଶପୁର ନିକଟସ୍ଥ କ‌ଙ୍କେଇ ହୁଦା, ରମ୍ଭା ନିକଟବର୍ତ୍ତୀ ଗୌରାଙ୍ଗପାଟଣାରେ ଚିହ୍ନଟ ହୋଇଥିବା (ଆର୍କିଓଲୋଜିକାଲ ସାଇଟ୍‌) ପ୍ରତ୍ନତାତ୍ତ୍ବିକ ସ୍ଥାନଠାରୁ ସଂପ୍ରତି ଚିହ୍ନଟ ହୋଇଥିବା ସିଦ୍ଧପଡ଼ା ଡିହ ପ୍ରତ୍ନତାତ୍ତ୍ବିକ ସ୍ଥଳ ସର୍ବବୃହତ୍‌ ବୋଲି ସେ କହିଛନ୍ତି।

ଏଥିସହିତ, ସିଦ୍ଧପଡ଼ା ଡିହର ମାତ୍ର ୪ କିଲୋମିଟର ଦୂରରେ ଥିବା ଲେଣ୍ଡ ଗ୍ରାମର ସାନ ସାଆନ୍ତ ପୋଖରୀରୁ ସୁଶାନ୍ତ କୁମାର ବିଶ୍ବାଳଙ୍କ ସହଯୋଗରେ ଡ.ବେହେରା ଓ ଗବେଷକ ଅମିତ କୁମାର ପ୍ରଧାନଙ୍କ ଦ୍ବାରା ଏକ ମୁଣ୍ଡ ବିହୀନ ବୁଦ୍ଧ ମୂର୍ତ୍ତି ଉଦ୍ଧାର କରାଯାଇଛି। ଡଙ୍ଗାକୁ ଟାଣି ରଖିବା ପାଇଁ ପଥର ନିର୍ମିତ ଏକ ଆଙ୍କର ବି ମିଳିଛି। ପ୍ରାପ୍ତ ବୁଦ୍ଧ ଓ ଆଙ୍କର ବାବଦରେ ଅଧିକ ଗବେଷଣା ହେଲେ ଏହି ଅଞ୍ଚଳଟି ଚିଲିକାର ନୌବାଣିଜ୍ୟ ଗୁରୁତ୍ବ ସମ୍ପର୍କରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଦେଇପାରିବ ବୋଲି ଡ.ବେହେରା କହିଛନ୍ତି।

ଡ.ବେହେରା ଆହୁରି ମଧ୍ୟ କହିଛନ୍ତି, ଏହି କୁଦଠାରୁ ମାତ୍ର ୭ କିଲୋମିଟର ଦୂରରେ ତାଳପଡ଼ାରୁ ଅତୀତରେ ହୋଇଥିବା ପ୍ରତ୍ନତାତ୍ତ୍ବିକ ଖନନରୁ ଗ୍ରୀକ୍‌ ଓ ଦକ୍ଷିଣ ପୂର୍ବ ଏସିଆ ଦେଶ ସମୂହର ସାମଗ୍ରୀମାନ ମିଳିଥିଲା। ସେଠାରୁ ବିଦେଶୀ ସାମଗ୍ରୀ ମିଳିବାର ଅର୍ଥ ହେଉଛି, ଏହି ମାର୍ଗ ଦେଇ ନିଶ୍ଚିତ ନୌବାଣିଜ୍ୟ ପରିଚାଳିତ ହେଉଥିଲା। ପରବର୍ତ୍ତୀ କାଳରେ ସମ୍ଭବତଃ ଏହି ନୌବାଣିଜ୍ୟ ରାସ୍ତା ଦେଇ ଚୀନ ପରିବ୍ରାଜକ ହୁଏନସାଂ ସପ୍ତମ ଶତାବ୍ଦୀରେ ଓଡ଼ିଶା ଆସିଥିଲେ ଓ ଅନେକ ସହର, ବୌଦ୍ଧସ୍ଥଳୀ ଦେଖିଥିବା କଥା ଉଲ୍ଲେଖ କରିଛନ୍ତି। ଏହି ଐତିହାସିକ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ଚିଲିକା ଅବବାହିକାରେ ପ୍ରତ୍ନତାତ୍ତ୍ବିକ ଗୁରୁତ୍ବ ଦୃଷ୍ଟିରୁ କିଛି ସ୍ଥାନ ଖନନ କରାଯାଇ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ମିଳିଛି। ଏହି ସିଦ୍ଧପଡ଼ା ଡିହ ଖନନ କରାଗଲେ ସମୃଦ୍ଧ ନୌବାଣିଜ୍ୟର ବହୁ ଗୁରୁତ୍ବପୂର୍ଣ୍ଣ ଦିଗ ସାମ୍ନାକୁ ଆସିପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର