ପାଞ୍ଜିର ପାଞ୍ଚଟି ଅଙ୍ଗ ମଧ୍ୟରୁ ତିଥି, ବାର ଓ ନକ୍ଷତ୍ର ସଂପର୍କରେ ଆଗରୁ ଆଲୋଚନା କରାଯାଇଛି। ଏହାର ଚତୁର୍ଥ ଅଙ୍ଗ- ‘ଯୋଗ’।
ଓଡ଼ିଶାରେ ଆମେ ପାଗ ଯୋଗ ଦେଖି କାମ ଆରମ୍ଭ କରିବା କଥା କହୁ। ପୁଣି କାମଟିଏ ହୋଇ ନପାରିଲେ, ଯୋଗ ଭଲ ନାହିଁ ବୋଲି କହୁ। ସୁଯୋଗ ଓ ଦୁର୍ଯୋଗ କଥା ମଧ୍ୟ କୁହାଯାଏ। ଯଦିଓ ଓଡ଼ିଆ ଭାଷାରେ ଯୋଗ ଶବ୍ଦଟି ଭିନ୍ନ ଭିନ୍ନ ଅର୍ଥରେ ବ୍ୟବହାର ହୁଏ, ଜ୍ୟୋତିଷ ଶାସ୍ତ୍ର ଓ ପାଞ୍ଜିଗଣନାରେ ତିଥି, ବାର ଓ ନକ୍ଷତ୍ର ଭଳି ଯୋଗର ଏକ ନିର୍ଦ୍ଦିଷ୍ଟ ତାତ୍ପର୍ଯ୍ୟ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପାଞ୍ଜି ଗଣନାରେ ୨୭ଟି ନକ୍ଷତ୍ର ଭଳି ୨୭ଟି ଯୋଗ ମଧ୍ୟ ରହିଛି। ସେଗୁଡ଼ିକ ହେଲେ- ୧. ବିଷ୍କୁମ୍ଭ, ୨. ପ୍ରୀତି, ୩. ଆୟୁଷ୍ମାନ୍, ୪. ସୌଭାଗ୍ୟ, ୫. ଶୋଭନ, ୬. ଅତିଗଣ୍ଡ, ୭. ସୁକର୍ମା, ୮. ଧୃତି, ୯. ଶୂଳ, ୧୦. ଗଣ୍ଡ, ୧୧. ବୃଦ୍ଧି, ୧୨. ଧ୍ରୁବ, ୧୩. ବ୍ୟାଘାତ, ୧୪. ହର୍ଷଣ, ୧୫. ବଜ୍ର, ୧୬. ସିଦ୍ଧି, ୧୭. ବ୍ୟତିପାତ, ୧୮. ବରୀୟାନ, ୧୯. ପରିଘ, ୨୦. ଶିବ, ୨୧. ସିଦ୍ଧ, ୨୨. ସାଧ୍ୟ, ୨୩. ଶୁଭ, ୨୪. ଶୁକ୍ଳ, ୨୫. ବ୍ରହ୍ମ, ୨୬. ଇନ୍ଦ୍ର ଓ ୨୭. ବୈଧୃତି।
କୌଣସି ଏକ ସମୟରେ ସୂର୍ଯ୍ୟ ଓ ଚନ୍ଦ୍ର ଉଭୟେ ନଭମଣ୍ଡଳରେ କେତେ ଡିଗ୍ରୀରେ ଅବସ୍ଥାନ କରୁଛନ୍ତି ତାହା ଦେଖି ସେଥିରୁ ଯୋଗ ନିର୍ଣ୍ଣୟ କରାଯାଏ। ଏହାର ନିର୍ଦ୍ଦିଷ୍ଟ ଗାଣିତିକ ସୂତ୍ର ରହିଛି। ଗୋଟିଏ ଯୋଗର ସମୟକାଳ ପାଖାପାଖି ଗୋଟିଏ ଦିନ ହୋଇଥାଏ। ୧ରୁ୨୭ କ୍ରମରେ ଗୋଟିକ ପରେ ଗୋଟିଏ ଯୋଗ ଆସେ। ପାଞ୍ଜିରେ ପ୍ରତ୍ୟେକ ଦିନ ପାଇଁ ବାର, ତିଥି ଓ ନକ୍ଷତ୍ର ସହିତ ସେଦିନ କେଉଁ ଯୋଗ କେତେ ସମୟ ପର୍ଯ୍ୟନ୍ତ ରହିଛି, ତାହା ଲେଖାଥାଏ।
ବେଳେବେଳେ ଦେଖାଯାଏ, ଯେ କୌଣସି ନିର୍ଦ୍ଦିଷ୍ଟ ଯୋଗ କାରଣରୁ ସେହିଦିନ ଶୁଭକର୍ମ ବାରଣ ଥିବା କଥା ଲେଖାଅଛି। ୨୭ଟି ଯୋଗ ମଧ୍ୟରୁ ‘ବୈଧୃତି’ ଓ ‘ବ୍ୟତିପାତ’ ଯୋଗ ଦୁଇଟି ଅମଙ୍ଗଳକାରକ। ଏଣୁ ଏ ଦୁଇ ଯୋଗରେ କୌଣସି ଶୁଭକର୍ମ କରାଯାଏ ନାହିଁ। ସେହିପରି ‘ବିଷ୍କୁମ୍ଭ’ ଯୋଗର ଆଦ୍ୟ ଛଅ ଦଣ୍ଡ (ଗୋଟିଏ ଦଣ୍ଡର ସମୟ କାଳ ୨୪ ମିନିଟ୍), ‘ଶୂଳ’ ଯୋଗର ଆଦ୍ୟ ନଅ ଦଣ୍ଡ ଏବଂ ‘ପରିଘ’ ଯୋଗର ଆଦ୍ୟ ଅର୍ଦ୍ଧାଂଶରେ କୌଣସି ଶୁଭକର୍ମ କରାଯାଏ ନାହିଁ। ସେହିଭଳି ‘ଗଣ୍ଡ’, ‘ବ୍ୟାଘାତ’, ‘ହର୍ଷଣ’ ଓ ‘ବଜ୍ର’ ଯୋଗରେ ମଧ୍ୟ କିଛି କିଛି ସମୟ ପାଇଁ ଶୁଭକର୍ମ ବାରଣ ଅଛି। ପାଞ୍ଜିରେ ଏସବୁକୁ ବିଚାରକୁ ନେଇ, କେଉଁଦିନ ଠିକ୍ କେଉଁ ସମୟରେ ଶୁଭକର୍ମ କରାଯାଇପାରିବ ତାହା ସୂଚାଇ ଦିଆଯାଇଥାଏ।