କଂଗ୍ରେସର ଅଡ଼ୁଆ ବଢ଼ାଇଲେ ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣନ: କ’ଣ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୂଆ ସଂସଦ ଉଦ୍‌ଘାଟନ କରିବେ?

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦ୍‌ଘାଟନ ବର୍ଜନ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାପାଇଁ ବରିଷ୍ଠ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣନ ଆଜି ବିରୋଧୀ ଦଳଙ୍କୁ ଅନୁରୋଧ କରିଛନ୍ତି। ନିଜ ଦଳଠାରୁ ଭିନ୍ନ ମତ ପୋଷଣ କରି ଆଚାର୍ଯ୍ୟ କ୍ରୀଷ୍ଣନ୍‌ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୀତିକୁ ବିରୋଧ କରିବାର ଅଧିକାର ବିରୋଧୀ ଦଳଙ୍କର ରହିଛି। କିନ୍ତୁ ଏଥିପାଇଁ ସମଗ୍ର ଦେଶକୁ ବିରୋଧ କରିବା ଠିକ୍‌ ନୁହେଁ। କାରଣ ସଂସଦ ହେଉଛି ସମଗ୍ର ଦେଶ ପାଇଁ। ଏହା କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପାଇଁ ଉଦ୍ଦିଷ୍ଟ ନୁହେଁ। ଯଦି ଦେଶର ସଂସଦ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟନ ହେବନି ତେବେ ଏହା କ’ଣ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟନ ହେବ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣନ କହିଛନ୍ତି, ଆମର ମୋଦୀଙ୍କୁ ବିରୋଧ କରିବାର ଅଧିକାର ଅଛି କିନ୍ତୁ ସମଗ୍ର ଦେଶକୁ ବିରୋଧ କରିବାର ଅଧିକାର ନାହିଁ। ତେଣୁ ଏହି ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାପାଇଁ ମୁଁ ବିରୋଧୀ ଦଳଙ୍କୁ ଅନୁରୋଧ କରୁଛି। ଆଚାର୍ଯ୍ୟ କ୍ରୀଷ୍ଣନ କହିଛନ୍ତି ବିରୋଧୀ ଦଳ ପ୍ରଧାନମନ୍ତ୍ରୀଙ୍କ ପଦକୁ ନେଇ ପ୍ରଶ୍ନ କରିବା ଉଚିତ ନୁହେଁ।

ସମ୍ବନ୍ଧିତ ଖବର