ବଣାଇଗଡ଼: ଜରାଜୀର୍ଣ୍ଣ ଅବସ୍ଥାରେ ଶବ ବ୍ୟବଚ୍ଛେଦ ଗୃହ

ବଣାଇଗଡ଼ : ଲହୁଣିପଡ଼ାସ୍ଥିତ ଶବ ବ୍ୟବଚ୍ଛେଦ ଗୃହର ଅବସ୍ଥା ଏପରି ରହିଛି ଯେ ତା ଭିତରେ ଶବ ବ୍ୟବଚ୍ଛେଦ କରିବାମାନେ ନିଜେ ଶବ ହୋଇଯିବା ଢେର ଆଶଙ୍କା ରହିଛି ବୋଲି କହନ୍ତି ଶବ ବ୍ୟବଚ୍ଛେଦ କରୁଥିବା ସୁଇପର ଏବଂ ଡାକ୍ତର। କୋଉ ସମୟରେ ସେ ଘର ଭୁଶୁଡ଼ିବ କହିବା ମୁସ୍କିଲ। ଘରର କାନ୍ଥରେ ଫାଟ ଦେଖା ଯାଉଥିବାବେଳେ ଛାତରୁ କଂକ୍ରିଟ ଖଣ୍ତ ପଡ଼ୁଛି। ଉକ୍ତ ଗୃହରେ କବାଟ ଝରକା ନଥିବାରୁ ଚାରିଆଡ ମେଲା। ଯାହା ଫଳରେ ଉକ୍ତ ଘର ଭିତରେ ଶବ ବ୍ୟବଚ୍ଛେଦ କରିବା କଷ୍ଟକର।

ସେପଟେ କୋଇଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଶବ ବ୍ୟବଚ୍ଛେଦ ଗୃହ ନଥିବାରୁ କୋଇଡ଼ା ବ୍ଲକର ସମସ୍ତ ଶବକୁ ଲହୁଣିପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ଶବ ବ୍ୟବଚ୍ଛେଦ କରାଯାଉଛି। ଉକ୍ତ ଗୃହରେ କବାଟ ଝରକା ନଥିବାରୁ ସେଠାରେ ଶବ ରଖିଲେ କୁକୁର ଟାଣି ନେବା ଆଶଙ୍କା ରହିଛି। ଯାହାଫଳରେ ଲହୁଣୀପଡ଼ା ସମେତ କୋଇଡ଼ାରୁ ଶବ ବ୍ୟବଚ୍ଛେଦ ନିମନ୍ତେ ଆସୁଥିବା ଶବ ଗୁଡିକ ଡାକ୍ତରଖାନା ପରିସରରେ ଖୋଲାରେ ରଖାଯାଉଛି। ସେ ଖରା ହେଉକି ବର୍ଷା ଶୀତ ସବୁ ସମୟରେ ବାହାରେ ଶବ ଗୁଡିକ ପଡିରହୁଥିବାରୁ ଏଥିରୁ ବାହାରୁଥିବା ଦୁର୍ଗନ୍ଧରେ ଡାକ୍ତରଖାନା ପରିସରରେ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହେଉଛି। ଉକ୍ତ ଶବ ଗୁଡିକ ବାହାରେ ପଡିଥିବାବେଳେ ଉକ୍ତ ଶବର ପରିବାର ବନ୍ଧୁ ପରିଜନମାନେ ମଧ୍ୟ ବର୍ଷା ହେଉକୁ ଖରା ବାହାରେ ବସି ଜଗିବାକୁ ପଡୁଛି।

ଦୀର୍ଘ ଦିନରୁ ଶବ ବ୍ୟବଚ୍ଛେଦ ଗୃହର ଦୂରବସ୍ଥା ସଂପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇ ଆସୁଥିଲେ ହେଁ ଏଥିପ୍ରତି କିନ୍ତୁ ଉପରିସ୍ଥ ଅଧିକାରୀମାନେ ଆଦୌ ଦୃଷ୍ଟି ଦେଉ ନଥିବା କୁହାଯାଉଛି।

ସମ୍ବନ୍ଧିତ ଖବର