୨୦ ହଜାର ଟଙ୍କା ଲୁଟିନେଲା ସାଇବର ଠକ

ଚନ୍ଦ୍ରଶେଖରପୁର : ଶନିବାର ପୁଣି ଜଣେ ବ୍ୟକ୍ତି ସାଇବର ଲୁଟେରାଙ୍କ ଶିକାର ହୋଇଛନ୍ତି। ଧୂର୍ତ୍ତ ସାଇବର ଠକର ଶିକାର ହୋଇଥିବା ବ୍ୟକ୍ତି ହେଲେ ଡମଣା ଛକରେ ଦୋକାନ କରିଥିବା ଦେବବ୍ରତ ପ୍ରଧାନ। ସାଇବର ଠକକୁ ବୁଝି ନପାରି ଦେବବ୍ରତ ୨୦ ଟଙ୍କା ହରାଇଛନ୍ତି। ଏନେଇ ସେ ଚନ୍ଦ୍ରଶେଖରପୁର ଥାନା ଓ ଭୁବନେଶ୍ବର ସାଇବର ସେଲ୍‌ରେ ଅଭିଯୋଗ କରିଛନ୍ତି। ସୂଚନାନୁସା‌ରେ, ଆଜି ସକାଳେ ଦେବବ୍ରତ ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ଅନ୍‌ଲାଇନ୍ ଜରିଆରେ ଆଉ ଏକ ଆକାଉଣ୍ଟକୁ ଟଙ୍କା ପଠାଉଥିଲେ। ମୋବାଇଲ୍‌ରେ ପ୍ରୋସେସିଂ କରୁଥିବା ବେଳେ ହଠାତ୍ ଏକ ତାଙ୍କୁ ଏକ ଫୋନ୍ କଲ ଆସିଥିଲା। କଲ୍‌ କରିଥିବା ବ୍ୟକ୍ତି ନିଜକୁ ବ୍ୟାଙ୍କ ଅଧିକାରୀ ବୋଲି ପରିଚୟ ଦେଇ ଦେବବ୍ରତଙ୍କୁ ଟଙ୍କା ପଠାଉଥିବା ବିଷୟରେ ପଚାରିଥିଲା ଓ ଆକାଉଣ୍ଟ ଭେରିଫିକେସନ୍ ପାଇଁ ଏକ ଓଟିପି ପଠାଇଥିଲା। ପରେ ପୁଣି ସେହି ଓଟିପି ସଂଖ୍ୟା ଦେବବ୍ରତଙ୍କଠାରୁ ମାଗି ନେଇଥିଲା। ଚାଲ୍‌ ବୁଝି ନପାରି ଦେବବ୍ରତ ଓଟିପି ଦେଇ ଦେଇଥିଲେ। ମାତ୍ର କେଇ ମିନିଟ୍‌ ପରେ ତାଙ୍କ ଆକାଉଣ୍ଟରୁ ୨୦ ହଜାର ଟଙ୍କା କଟି ଯାଇଥିଲା। ଏହା ପରେ ଦେବବ୍ରତ ଉକ୍ତ ନମ୍ବରକୁ ଫୋନ୍‌ କରି ଦେଖିଲେ, ତାହା ସୁଇଚ୍‌ ଅଫ୍‌ ହୋଇଯାଇଥିଲା। ସେତେବେଳେ ଦେବବ୍ରତ ବୁଝି‌ଲେ ଯେ ସେ ଠକାମିର ଶିକାର ହୋଇଗଲେ।

ପୁରସ୍କାର ପାଇବା ଆଶାରେ ୫ହଜାର ହରାଇଲେ ଫଳ ବ୍ୟବସାୟୀ
ଭୁବନେଶ୍ବର : ଖଣ୍ଡଗିରି ଡୁମୁଡୁମା ହାଉସିଂବୋର୍ଡର ଜଣେ ଫଳ ବ୍ୟବସାୟୀଙ୍କୁ ପୁରସ୍କାର ଦେବାକୁ କହି ୫ ହଜାର ଟଙ୍କା ଠକିନେଇଛି ସାଇବର ଠକ। ଏନେଇ ବ୍ୟବସାୟୀ ଧୋବା ପାତ୍ର ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଛନ୍ତି। ଅଭିଯୋଗକାରୀଙ୍କ କହିବାନୁଯାୟୀ ଶୁକ୍ରବାର ତାଙ୍କୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା। ଏହା ପରେ ତାଙ୍କ ଫୋନ୍ ପେ’ ଆକାଉଣ୍ଟକୁ ୪୯୯୯ ଟଙ୍କାର ପୁରସ୍କାର ଆସିଛି ବୋଲି ସାଇବର ଠକ କହିଥିଲା। ପୁରସ୍କାର ପାଇବା ଲୋଭରେ ଫୋନ୍ ପେ’କୁ ଆସିଥିବା ନୋଟିଫିକେସନ୍‌ରେ ଧୋବା କ୍ଲିକ୍ କରିବା ପରେ ତାଙ୍କ ପାଖକୁ ଏକ ବାର୍ କୋଡ୍ ଆସିଥିଲା। ଏହା ପରେ ଉକ୍ତ କୋଡ୍ ସ୍କାନ୍ କରିବାରୁ ଆକାଉଣ୍ଟରୁ ୫ ହଜାର ଟଙ୍କା କଟିଯାଇଥିଲା ବୋଲି ସେ କହିଛନ୍ତି। ଏନେଇ ସେ ଆଜି ପ୍ରଥମେ ଖଣ୍ଡଗିରି ଥାନାରେ ଓ ପରେ ଭୁବନେଶ୍ବର ସାଇବର ସେଲ୍‌ରେ ଅଭିଯୋଗ କରିଛନ୍ତି।

ଅନ୍‌ଲାଇନ୍‌ରେ ବ୍ଲାକଫଙ୍ଗସ୍ ଇଂଜେକ୍ସନ୍ ମଗାଇ ୪୮ ହଜାର ହରାଇଲେ ମହିଳା
ଭୁବନେଶ୍ବର : ଅନ୍‌ଲାଇନ୍‌ରେ ବ୍ଲାକଫଙ୍ଗସ୍ ରୋଗର ଇଂଜେକ୍ସନ କିଣିବାକୁ ଯାଇ ଜଣେ ମହିଳା ୪୮ହଜାର ଟଙ୍କା ହରାଇଛନ୍ତି। ସୂଚନାନୁଯାୟୀ, ଜଗତସିଂହପୁରର ବିଜୟ ଭୂୟାଁ କିଛି ଦିନ ତଳେ କରୋନା ଆକ୍ରାନ୍ତ ହୋଇ ଏମ୍ସରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କୁ ବ୍ଲାକ ଫଙ୍ଗସ୍ ହୋଇଥିବା ଜଣାପଡ଼ିଥିଲା। ଏହାର ଇଂଜେକ୍ସନ୍ ଖୋଲା ବଜାରରେ ସାଧାରଣରେ ମିଳୁ ନଥିବାରୁ ଅଜୟଙ୍କ ପତ୍ନୀ ସୁଜାତା ଗୁଗଲ୍‌ରେ ସର୍ଚ କରି ତାମିଲନାଡ଼ୁର ଏକ ସଂସ୍ଥା ଏହି ଇଂଜେକ୍ସନ ଦେଉଥିବା ଜାଣିବାକୁ ପାଇଥିଲେ। ଏହା ପରେ ନିଜ ନମ୍ବର ପଂଜୀକରଣ କରି କମ୍ପାନି କର୍ତ୍ତୃପକ୍ଷଙ୍କ ନମ୍ବର ଆଣି ଯୋଗାଯୋଗ କରିବା ପରେ ତାଙ୍କ ସହ ହ୍ବାଟ୍ସଆପ୍‌ରେ କଥାବାର୍ତ୍ତା ହୋଇଥିଲେ। ହ୍ବାଟ୍ସଆପ୍‌ରେ ୪୮ ହଜାର ଟଙ୍କା ଦେବାକୁ ହ୍ୟାକର୍ କହିବା ପରେ ସୁଜାତା ତାଙ୍କୁ ଟଙ୍କା ପଠାଇଥିଲେ। ଏହାର କିଛି ସମୟ ପରେ ତାଙ୍କ ଅର୍ଡର କ୍ୟାନସଲ୍ ହୋଇଯାଇଛି ବୋଲି ଏକ ମେସେଜ୍ ଆସିଥିଲା। ମାତ୍ର ଆକାଉଣ୍ଟକୁ ଟଙ୍କା ଫେରି ନଥିଲା। ଏନେଇ ସେ ଉକ୍ତ ନମ୍ବରକୁ ଯୋଗାଯୋଗ କରିଥିଲେ ହେଁ କିଛି ଉତ୍ତର ମିଳିନଥିଲା। ଯେଉଁଥିରୁ ଟଙ୍କା ଲୁଟ୍ ହୋଇଯାଇଥିବା ସୁଜାତା ଜାଣିଥିଲେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର