କମର୍ଦ୍ଦା : ରୋଗଗ୍ରସ୍ତ ବାପାଙ୍କୁ ଘରୁ ତଡ଼ିଦେଲା ପୁଅ

ଏମିତି ପୁଅ କାହାକୁ ନ ମିଳୁ!

ଭୋଗରାଇ/କମର୍ଦ୍ଦା : ବ୍ୟାସକବି ଫକୀର ମୋହନ ସେନାପତି ଏଇ ଚରିତ୍ରଗୁଡ଼ିକୁ ଦେଖି ଲେଖିଥିଲେ ଡାକମୁନ୍‌ସୀ। ଆଜି ପୁଣି ସେମିତି ଏକ ଘଟଣା ଘଟିଛି ଭୋଗରାଇ ବ୍ଲକ କମର୍ଦ୍ଦାରେ। କ୍ୟାନସର ପୀଡ଼ିତ ବାପାଙ୍କୁ ମାଡ଼ ମାରି ଘରୁ ବାହାର କରିଦେଇଛନ୍ତି ପୁଅ ଓ ବୋହୂ। ଯେଉଁ ସମୟରେ ଲୋକେ ଅଧିକ ସମ୍ବେଦନଶୀଳ ହେବାକଥା। ଅଧିକ ଆଦର ଯତ୍ନ କରିବା କଥା, ସେ ସମୟରେ ପୁଅବୋହୂଙ୍କ ଏ କାରନାମା ସମସ୍ତଙ୍କୁ ଲଜ୍ଜିତ କରିଛି। ଆଉ ବରିଷ୍ଠ ନାଗରିକମାନେ କେତେ ଯେ ଅସହାୟ ତାହା ପ୍ରମାଣିତ ହୋଇଛି।

କମର୍ଦ୍ଦାର ନରେନ୍ଦ୍ରନାଥ ପୃଷ୍ଟି, ବୟସ ୭୦। କ୍ୟାନସରରେ ପୀଡ଼ିତ। ପତ୍ନୀ ଅଧରବାଳା ମଧ୍ୟ ରୋଗୀଣା। ଦୁଇ ପୁଅ ଥିବା ବେଳେ ସାନ ପୁଅ ଶରତଙ୍କ ପାଖରେ ରହୁଥିଲେ ନରେନ୍ଦ୍ର ଓ ଅଦରବାଳା। କାଳେ ପୁଅର ଚଳିବାରେ ଅସୁବିଧା ହେବ ସେଥିପାଇଁ ସବୁ ଜମି ପୁଅ ନାଁରେ କରିଦେଇଛନ୍ତି। ସଂଞ୍ଚିତ ଅର୍ଥ ନିଜ ପାଇଁ ନ ରଖି ପୁଅ ପାଇଁ ପକା ଘର ତୋଳିଦେଇଥିଲେ। ହେଲେ ଆଜି ସେ ଘରେ ରହିବାର ଅଧିକାର ମିଳିଲା ନାହିଁ। ଘର କରିବା ପରେ ଯାହା କିଛି ଟଙ୍କା ରଖିଥିଲେ ତାହା କ୍ୟାନସର ପାଇଁ ଖର୍ଚ୍ଚ କରିଦେଇଛନ୍ତି ନରେନ୍ଦ୍ର। ହେଲେ ଯାହାପାଇଁ ଜୀବନର ତମାମ ପୁଞ୍ଜି ଉଡ଼ାଇଦେଲେ ସେ ପୁଅ ଆଉ ବୋହୂ ସେମାନଙ୍କ କଥା ବୁଝିଲେ ନାହିଁ। ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ଟଙ୍କା ସରିଯିବାରୁ ପ୍ରାୟ ଦୁଇ ମାସ ତଳେ ନରେନ୍ଦ୍ର ଡାକ୍ତରଖାନା ନେବା ପାଇଁ ପୁଅକୁ କହିଥିଲେ। ହେଲେ ଡାକ୍ତରଖାନା ନେବ କଣ ପୁଅ ବୋହୂ, ସେମାନଙ୍କୁ ଅଲଗା କରିଦେଇଥିଲେ। କ୍ୟାନସରର ଯନ୍ତ୍ରଣା ସାଙ୍ଗକୁ ପୁଅର ହତାଦର, ଦୁର୍ବ୍ୟବହାର, ମାଡ଼ଗାଳି ଭାରି ବାଧୁଥିଲା। ଅଲଗା କରିଦେବା ପରେ ବି ପୁଅ ଶରତ ଓ ବୋହୂ ସୌମ୍ୟାଙ୍କର ମନ ବୁଝି ନ ଥିଲା। ଗତ ଶନିବାର ସକାଳେ ପୁଅ ବୋହୁ ନରେନ୍ଦ୍ରଙ୍କ ସମସ୍ତ ଜିନିଷପତ୍ର ବାହାରେ ଫିଙ୍ଗି ତେବେ ଗତ ଶନିବାର ଦିନ ସକାଳେ ପୁଅ ଶରତ ଓ ବୋହୂ ସୌମ୍ୟା ହଠାତ ନରେନ୍ଦ୍ରଙ୍କ ସମସ୍ତ ଜିନିଷପତ୍ର ବାହାରକୁ ଫୋପାଡ଼ି ଦେବା ସହ ମା’ ଅଧରବାଳାଙ୍କ ଚୁଟିଧରି ଘୋଷାଡ଼ି ଘରୁ ବାହାର କରିଦେଇଥିଲେ। ଏପରିକି ନରେନ୍ଦ୍ର ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରିବା ସହ ପାଇଖାନା ଟାଙ୍କିରେ ପୂରାଇ ଜୀବନରୁ ମାରିଦେବାର ଧମକ ଦେଇଥିଲେ। ଅନ୍ୟ ଉପାୟ ନ ପାଇ ନରେନ୍ଦ୍ର କମର୍ଦ୍ଦା ଥାନାର ଆଶ୍ରୟ ନେଇଥିଲେ। ଏ ନେଇ ସେ ପୁଲିସରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର