ବାଲେଶ୍ୱର: ବନ୍ଦ କୋଠରିରେ ନିଅାଁଲାଗି ଭଡ଼ାଟିଆଙ୍କ ମୃତ୍ୟୁ

ବାଲେଶ୍ୱର: ଶନିବାର ପ୍ରତ୍ୟୁଷରେ ଗୋଟିଏ ବଖୁରିଆ ଘରେ ନିଅାଁ ଲାଗି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି।

ମୃତ ୩୦ ବର୍ଷିୟ ଭବାନୀ ଶଙ୍କର ଜେନାଙ୍କର ଘର କେନ୍ଦୁଝର ଅଞ୍ଚଳରେ। ସେ ରେମୁଣା ଗୋଲେଇସ୍ଥିତ ଓରିପୋଲ୍‌ କମ୍ପାନିରେ କାମ କରୁଥିବାରୁ ଅରଡ଼ ବଜାର ଅନ୍ତର୍ଗତ ଭାଗୀରଥି ମାହାର୍ନାଙ୍କର ଏକ ଗୋଟିକିଆ କୋଠରି ଭଡ଼ା ନେଇ ରହୁଥିଲେ।

ଗତ ରାତି ପ୍ରାୟ ତିନିଟା ସମୟରେ ଭବାନୀଙ୍କର ମରଣାନ୍ତକ ଚିତ୍କାର ଶୁଣି ପଡ଼ିଶାମାନେ ଉଠି ଆସି ଦେଖନ୍ତି ତ ଘର ଭିତରେ ନିଅାଁ ଜଳୁଛି। ସେ ନିଅାଁରେ କୋଠରି ଭିତରେ ଥିବା ଗୋଟିଏ ଦ୍ୱିଚକିଆ ଯାନ ଜଳିବା ସହ ଭବାନୀ ମଧ୍ୟ ଜଳୁଛନ୍ତି ଏବଂ କବାଟ ଭିତର ପଟୁ କିଳା ଯାଇଛି।

ଅନୋନ୍ୟପାୟ ହୋଇ ଲୋକେ ତୁରନ୍ତ ଦମକଳକୁ ଖବର ଦେଲେ। ବାଲେଶ୍ୱର ଦମକଳ ବାହିନୀ ପହଞ୍ଚିଲେ ସତ, କିନ୍ତୁ ବାଟ ଖୁବ୍‌ ଅଣ ଓସାରିଆ ହୋଇ ଥିବାରୁ ଘର ପାଖକୁ ଯାଇ ନ ପାରି ପାଇପ୍‌ ଯୋଗେ ପାଣି ପକାଇ କୌଣସିମତେ ନିଅାଁ ଲିଭାଇଲେ। ସେତେବେଳକୁ ଭବାନୀଙ୍କର ମୃତ୍ୟୁ ହୋଇଯାଇଥିଲା।

ନିଅାଁ କେଉଁ ପରିସ୍ଥିତିରେ ଏବଂ କେମିତି ଲାଗିଲା ତାହା ଜଣାପଡୁ ନାହିଁ।

ଖବର ପାଇ ସହଦେବଖୁଣ୍ଟା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର