ଓଡ଼ିଶାକୁ ବହିବ ହଜାର କୋଟିର ସୁଅ!

ଏବେ କେନ୍ଦ୍ର ହାତରେ ନିଷ୍ପତ୍ତି ୫ଟି ଖଣି ନିଲାମ ହେଲାଣି, ଆଉ ୩ଟି ହେବ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଏମ୍‌ଏମ୍‌ଡିଆର (ଆମେଣ୍ଡମେଣ୍ଟ) ଆଇନ ଅନ୍ତର୍ଗତ ଖଣିଜ(ନିଲାମ) ନିୟମାବଳୀ ୨୦୧୫ ଅନୁଯାୟୀ ରାଜ୍ୟରେ ୫ଟି ଖଣି ନିଲାମ ସରିଛି। ଏହି ନିୟମାବଳୀର ସଂଶୋଧନ, ୨୦୧୭ ମୁତାବକ ନିଲାମରେ ଅସଫଳ ହୋଇଥିବା ଆହୁରି ୩ଟି ଖଣିର ଦ୍ୱିତୀୟ ନିଲାମ କରାଯିବ। ଖଣି ନିଲାମ ହେଲେ ଓଡ଼ିଶାକୁ ହଜାର ହଜାର କୋଟିର ସୁଅ ଛୁଟିବ। ରାଜ୍ୟ ସମୃଦ୍ଧ ହେବ ବୋଲି ବିଜେପି ନେତାମାନେ ବିଭିନ୍ନ ସମୟରେ ଡିଣ୍ଡିମ ପିଟୁଛନ୍ତି। ଏ ନେଇ ଆଜି ଏଠାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ ପ୍ରଧାନ କହିଛନ୍ତି, ଏନ୍‌ଡିଏ ସରକାରଙ୍କର ଖଣି ନିଲାମ କରାଯିବା ହେଉଛି ବୃହତ୍‌ ନିଷ୍ପତ୍ତି। ପୂର୍ବରୁ ଖଣି ଲିଜ୍‌ ପ୍ରଦାନ କରାଯିବା ବେଳେ ରାଜ୍ୟ କେବଳ ରୟାଲ୍‌ଟି ଓ ଅଳ୍ପ କିଛି ଟିକସ ବାବଦରେ ରାଜସ୍ୱ ପାଉଥିଲା। କିନ୍ତୁ ନିଲାମ ହେବା ଫଳରେ ଓଡ଼ିଶା ଭଳି ଖଣିଜ ସଂପଦଭରା ରାଜ୍ୟ ୭୧ ହଜାର କୋଟି ପାଇବ। ରାଜ୍ୟରେ ୫ଟି ଖଣି ନିଲାମ ସରିବାର ପ୍ରାୟ ଦୁଇ ବର୍ଷ ପରେ ବି ନା ସେହି ଖଣିଗୁଡ଼ିକ ଖୋଲିଛି ନା ରାଜକୋଷକୁ ଆସିଛି ହଜାର ହଜାର କୋଟି। ଅସଲ କଥା ହେଉଛି ନିଲାମ ହୋଇଥିବା ଖଣିଗୁଡ଼ିକର ଭାଗ୍ୟ ଏବେ କେନ୍ଦ୍ର ସରକାରଙ୍କ ହାତରେ। କେନ୍ଦ୍ର ସରକାର ପରିବେଶ, ଜଙ୍ଗଲ ଆଦି ବିଭିନ୍ନ ପ୍ରକାରର ମଞ୍ଜୁରି ଦେବା ପରେ ହିଁ ଖଣିଗୁଡ଼ିକ ଚାଲିପାରିବ। କିନ୍ତୁ ରାଜ୍ୟର ରାଜକୋଷ ସମୃଦ୍ଧ ହେବା ସହିତ ଖଣି ଅଞ୍ଚଳରେ ଅଧିକ ସଂଖ୍ୟକ କର୍ମନିଯୁକ୍ତି ସୃଷ୍ଟି ହେବାର ଆଶା ମରୀଚିକାରେ ପରିଣତ ହେବନାହିଁ କି ବୋଲି ପ୍ରଶ୍ନ ଉଙ୍କି ମାରିଲାଣି। ଖଣିଜ (ନିଲାମ) ନିୟମାବଳୀ ପ୍ରଣୟନ ହେବା ପରେ ଦେଶର ପ୍ରଥମ ଖଣି ଭାବେ ସୁନ୍ଦରଗଡ଼ ଜିଲ୍ଲାର ଘୋରାବୁର୍‌ହାଣି-ସାଗାସାହି ଲୁହାପଥର ବ୍ଲକ୍‌ ନିଲାମ ହୋଇଥିଲା। ଏହି ଖଣିରେ ୯୯.୫୯ ନିୟୁତ ଟନ୍‌ ଲୁହାପଥର ଗଚ୍ଛିତ ରହିଛି। ନିଲାମରେ ଯୋଗ୍ୟ ବିବେଚିତ ମେସର୍ସ ଏସାର ଷ୍ଟିଲ୍‌ ପ୍ରାଥମିକ ଦେୟ (ଅପ୍‌ଫ୍ରଣ୍ଟ) ଭାବେ ପ୍ରଥମ କିସ୍ତିରେ ୯ କୋଟି ୨୬ ଲକ୍ଷ ୨୪,୬୦୦ ଟଙ୍କା ଜମା କରିଛି। ପରବର୍ତୀ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲାର ୯୮.୬୯ ନିୟୁତ ଟନ୍‌ର କୋଟ୍ଟାମେଟା ଚୂନପଥର ବ୍ଲକ୍‌କୁ ଡାଲ୍‌ମିଆ ସିମେଣ୍ଟ ନାମରେ ଦିଆଯାଇଛି। ଏଥିପାଇଁ ଡାଲ୍‌ମିଆ ସିମେଣ୍ଟ ଜମା କରିଛି ୨ କୋଟି ୩୮ ଲକ୍ଷ ୧୫,୬୯୨ ଟଙ୍କା। ସେହିପରି ସୁନ୍ଦରଗଡ଼ ଜିଲ୍ଲାର କାଲାମଙ୍ଗ େଓ୍ଵଷ୍ଟ ଲୁହାପଥର ବ୍ଲକ୍‌କୁ ନିଲାମରେ ମେସର୍ସ ଭୂଷଣ ପାଓ୍ଵାର ଆଣ୍ଡ ଷ୍ଟିଲ୍‌କୁ ଦିଆଯାଇଛି। ଏହି ଖଣିରେ ୯୨.୮୫ ନିୟୁତ ଟନ୍‌ ଲୁହାପଥର ଗଚ୍ଛିତ ରହିଛି। ଏଥିପାଇଁ କମ୍ପାନି ଅପ୍‌ଫ୍ରଣ୍ଟ ଜମା କରିଛି ୪ କୋଟି ୪୬ ଲକ୍ଷ ୬୯,୪୬୦ ଟଙ୍କା।

ନିଲାମ ପ୍ରକ୍ରିୟାରେ ସୁନ୍ଦରଗଡ଼ ଜିଲ୍ଲାର ନେତ୍ରାବନ୍ଧ ପାହାଡ଼ ଲୁହାପଥର ବ୍ଲକ୍‌କୁ ମେସର୍ସ ଭୂଷଣ ପାଓ୍ଵାର ଆଣ୍ଡ ଷ୍ଟିଲ୍‌କୁ ଲିଜ୍‌ ଦିଆଯାଇଛି। ଏହି ଖଣିରେ ୮୧.୯୭୩ ନିୟୁତ ଟନ୍‌ର ଲୁହାପଥର ଗଚ୍ଛିତ। ଏହି ଲିଜ୍‌ ପାଇଁ କମ୍ପାନି ଦେଇଛି ୩ କୋଟି ୪୩ ଲକ୍ଷ ୨୫,୪୩୨ ଟଙ୍କା। ତେବେ କେନ୍ଦୁଝର ଜିଲ୍ଲାର ଲର୍ସଦା ପାଚେରି ମାଙ୍ଗାନିଜ୍‌ ବ୍ଲକ୍‌ ଲିଜ୍‌ କମ୍ପୋଜିଟ୍‌ ଲାଇସେନ୍ସ ସୂତ୍ରରେ ମେସର୍ସ ତ୍ରିବେଣୀ ଆର୍ଥ ମୁଭର୍ସକୁ ଦିଆଯାଇଥିଲେ ହେଁ ଏଥିପାଇଁ କମ୍ପାନି କୌଣସି ଅପ୍‌ଫ୍ରଣ୍ଟ ଟଙ୍କା ଜମା କରିନଥିବା ଖଣି ବିଭାଗ ଦର୍ଶାଇଛି। ସର୍ଭେରୁ ଏହି ଖଣିରେ ୧୧.୦୬ ନିୟୁତ ଟନ୍‌ର ମାଙ୍ଗନିଜ୍‌ ଗଚ୍ଛିତ ଥିବା ଜଣାଯାଇଛି। ଏ ସମସ୍ତ ନିଲାମ ପ୍ରକ୍ରିୟାରେ ଅପ୍‌ଫ୍ରଣ୍ଟ ଅର୍ଥ ଜମା ଭାବେ ରାଜ୍ୟ ରାଜକୋଷକୁ ଆସିଛି ମୋଟ ୧୯ କୋଟି ୫୪ ଲକ୍ଷ ୩୫,୧୮୪ ଟଙ୍କା। ଏଥିମଧ୍ୟରୁ ଏସାର କମ୍ପାନିକୁ ନିଲାମ ସୂତ୍ରରେ ଖଣି ମିଳିବାର ପ୍ରାୟ ଦୁଇବର୍ଷ ବିତିଲାଣି। ସେହିପରି ନିଲାମ ହୋଇଥିବା ଅନ୍ୟ ୪ଟି ଖଣିଗୁଡ଼ିକ ବର୍ଷେ ବିତିଗଲାଣି। ଆଉ ୩ଟି ଖଣିର ୨ୟ ନିଲାମ ପାଇଁ ପ୍ରସ୍ତୁତି ଜାରି ରହିଛି। ଖଣି ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ କେନ୍ଦ୍ର ସରକାର ମଞ୍ଜୁରି ନ ଦେବା ପର୍ଯ୍ୟନ୍ତ ଏସବୁ ଖଣି କାର୍ଯ୍ୟକ୍ଷମ ହେବନାହିଁ। ଖଣିଗୁଡ଼ିକରୁ ଉତ୍ପାଦନ ଆରମ୍ଭ ନ ହେଲେ ରାଜସ୍ୱ ଆଦାୟ ହୋଇପାରିବନାହିଁ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ରାଜ୍ୟରେ ୧୮୭ଟି ଖଣି ମଧ୍ୟରୁ ୫୪ଟି ଖଣି ଚାଲିଛି। ବନ୍ଦ ରହିଛି ୧୩୩ଟି। ଅବଶ୍ୟ ୯୩ଟି ଖଣିକୁ ବାଜ୍ୟାପ୍ତି ଘୋଷଣା କରିଛନ୍ତିି ସରକାର।

ସମ୍ବନ୍ଧିତ ଖବର