ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି, ସର୍ବଦଳୀୟ ବୈଠକରେ ଭର୍ତ୍ସନା

ଆଇଆଇସି ଓ ଆଇଓଙ୍କୁ ବହିଷ୍କାର ଦାବି ଜୋର୍‌ ଧରିଲା, କାର୍ଯ୍ୟାନୁଷ୍ଠାନ ନ ହେଲେ ବୁଧବାର ନୀଳଗିରି ବନ୍ଦ ଡାକରା

ବାଲେଶ୍ବର: ନୀଳଗିରିର ‘ସମ୍ବାଦ’ ଓ ‘କନକ’ ନ୍ୟୁଜ୍ ପ୍ରତିନିଧି ଲୋକନାଥ ଦଳେଇଙ୍କୁ ଥାନାକୁ ଡାକି ମାଡ଼ ମାରିବା ଓ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଗୋଡ଼ରେ ପୁଲିସ ବେଡ଼ି ପକାଇବାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଗଣମାଧ୍ୟମ ପ୍ରତିନିଧି, ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ସମେତ ବିଭିନ୍ନ ସଙ୍ଗଠନ ଏହାକୁ ଦୃଢ଼ ନିନ୍ଦା କରିବା ସହିତ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ ଜଣାଇଛନ୍ତି।

ଏ ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ନୀଳଗିରି ଏନ୍‌ଏସି କଲ୍ୟାଣ ମଣ୍ଡପଠାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରବି ରାଉତଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ବାଲେଶ୍ବର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ପୂର୍ବତନ ବିଧାୟକ ଚିତ୍ତରଂଜନ ଷଡ଼ଙ୍ଗୀ, ଅକ୍ଷୟ କୁମାର ଆଚାର୍ଯ୍ୟ ଓ ପ୍ରଦୀପ୍ତ ପଣ୍ଡା, ନୀଳଗିରି ରାଣୀ ମନୋଜାମଞ୍ଜରୀ ଦେବୀ, ବିଜେଡି ରାଜ୍ୟ ଯୁଗ୍ମ ସଂପାଦକ ତଥା ଜିଲ୍ଲା ପରିଷଦ ସଦସ୍ୟ ଗତିକୃଷ୍ଣ ନନ୍ଦ, ବିଜେଡି ନଗର ସଭାପତି ରବୀନ୍ଦ୍ର ପରିଡ଼ା, ବିଜେଡି ନେତା ଶୁଭେନ୍ଦୁ ଶେଖର ଜେନା, ସିପିଆଇଏମ୍‌ର ଜିଲ୍ଲା ସଂପାଦକମଣ୍ଡଳୀ ସଭ୍ୟ ବିଜୟ ପାତ୍ର, ଜିଲ୍ଲା ଯୁବ ସଭାପତି ତାପସ ପରିଡ଼ା, ବରିଷ୍ଠ ନେତା ଗଙ୍ଗାଧର ମିଶ୍ର, ଆମ୍‌ ଆଦମୀ ପାର୍ଟିର ଅମିତ ଦାସମହାପାତ୍ର, ନୀଳଗିରି ବ୍ଲକ୍‌ କଂଗ୍ରେସ ସଭାପତି ମ‌ନୋରଂଜନ ପଣ୍ଡା ଓ ନଗର ସଭାପତି ଉପେନ୍ଦ୍ର ବେହେରା, ବଣିକ ସଂଘ ସଭାପତି ମନ୍ମଥ ଦାସ, ଆନନ୍ଦ ମିଶ୍ର, ରାଜେନ୍ଦ୍ର ଜେନା, ଅମରେନ୍ଦ୍ର ମହାପାତ୍ର, କମଳାକାନ୍ତ ବାରିକ, ଉଦୟଜ୍ୟୋତି ମହାନ୍ତି, ବିଦ୍ୟାଧର ବାରିକଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ପୁଲିସର ଅମାନୁଷିକ କାର୍ଯ୍ୟକୁ କଡ଼ା ଭାଷାରେ ନିନ୍ଦା କରିଥିଲେ।

ଆଇନକୁ ହାତକୁ ନେଇଥିବା ନୀଳଗିରି ଥାନା ଆଇଆଇସି ଦ୍ରୌପଦୀ ଦାସ ଓ ତଦନ୍ତକାରୀ ଅଫିସର ସୁବର୍ଣ୍ଣା ବେହେରାଙ୍କୁ ଚାକିରିରୁ ବହିଷ୍କାର, ନିର୍ଯାତନାର ଶିକାର ହୋଇଥିବା ସାମ୍ବାଦିକ ଶ୍ରୀ ଦଳେଇଙ୍କ ଉପରୁ ମିଥ୍ୟା ମାମଲା ପ୍ରତ୍ୟାହାର ଓ କ୍ଷତିପୂରଣ ବାବଦରେ ୫ ଲକ୍ଷ ଟଙ୍କା ଦେବାକୁ ବୈଠକରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଛି। ଏଥିପାଇଁ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଥିବା ବେଳେ ଆସନ୍ତାକାଲି ନୀଳଗିରି ଉପଜିଲ୍ଲାପାଳଙ୍କ ଜରିଆରେ ବାଲେଶ୍ବର ଜିଲ୍ଲାପାଳ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ୫-ଟି ସଚିବ ଓ ପୁଲିସ ଡିଜିଙ୍କୁ ଏ ପ୍ରସଙ୍ଗରେ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଦୁଇ ଦିନ ଭିତରେ ଦାବି ପୂରଣ ନ ହେଲେ ବୁଧବାର ନୀଳଗିରି ବନ୍ଦ କରାଯିବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି।

ପ୍ରକାଶଥାଉକି, ବେଡ଼ି ବାନ୍ଧିଥିବା ହାବିଲଦାର ଚିତ୍ତରଂଜନ ସିଂଙ୍କୁ ନିଲମ୍ବନ କରି ସଂପୃକ୍ତ ଥାନାର ଆଇଆଇସି ଦ୍ରୌପଦୀ ଦାସ ଓ ତଦନ୍ତକାରୀ ଅଫିସର ସୁବର୍ଣ୍ଣା‌ ବେହେରାଙ୍କୁ କେବଳ ବଦଳିରେ ସୀମିତ ରଖାଯାଇଛି। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର