୩୧ରୁ ‘ଭାରତ ଯୋଡ଼ ଯାତ୍ରା-ଓଡ଼ିଶା’

ଯାତ୍ରାର ପୋଷ୍ଟର ଉନ୍ମୋଚିତ, ଧାମନଗର ଉପ-ନିର୍ବାଚନ ପାଇଁ ୧ ଓ ୨ରେ ବନ୍ଦ ରହିବ ପଦଯାତ୍ରା

ଭୁବନେଶ୍ବର : ଆଉ ୩ଦିନ ପରେ ଅର୍ଥାତ୍ ୩୧ତାରିଖରୁ ଓଡ଼ିଶାରେ ‘ଭାରତ ଯୋଡ଼ ଯାତ୍ରା-ଓଡ଼ିଶା’ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ଉପଲକ୍ଷେ ଶୁକ୍ରବାର ଦିନ କଂଗ୍ରେସ ପକ୍ଷରୁ ଏହାର ପୋଷ୍ଟର ଉନ୍ମୋଚିତ ହୋଇଛି। ଏହି ଯାତ୍ରା ରାଜ୍ୟର ୨୭ଟି ଜିଲ୍ଲା, ୧୯ଟି ସଂସଦୀୟ କ୍ଷେତ୍ର, ୨୨୫୦ କି.ମି ରାସ୍ତାକୁ ପ୍ରାୟ ୧୦୦ଦିନରେ ଅତିକ୍ରମ କରିବ। ରାଜ୍ୟରେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସ୍ଥିତିର ବୈପ୍ଲବିକ ପରିବର୍ତନ ପାଇଁ ଏହି ଯାତ୍ରା ଉଦ୍ଦିଷ୍ଟ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି।

ଶୁକ୍ରବାର ଦିନ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଭାରତ ଯୋଡ଼ ଯାତ୍ରା-ଓଡ଼ିଶା କାର୍ଯ୍ୟାନ୍ବୟନ କମିଟିର ଅଧ୍ୟକ୍ଷ ତଥା ବିଧାୟକ ସନ୍ତୋଷ ସିଂ ସାଲୁଜା କହିଲେ, ୩୧ତାରିଖ ଦିନ ରାଜଧାନୀସ୍ଥିତ ଇନ୍ଦିରା ପାର୍କରୁ ଏହି ଯାତ୍ରା ଆରମ୍ଭ ହେବ। ଓଡ଼ିଶା ପ୍ରଭାରୀ ଏ.ଚେଲ୍ଲାକୁମାର ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ୧୨ କି.ମି ଯାତ୍ରା କରିବା ପରେ ଫୁଲନଖରାସ୍ଥିତ ଲକ୍ଷେଶ୍ବର ମନ୍ଦିରରେ ଏହା ଶେଷ ହେବ। ଏଥିରେ କଂଗ୍ରେସର ବରିଷ୍ଠ ନେତା, ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ପୂର୍ବତନ ମନ୍ତ୍ରୀ, ବିଧାୟକ, ଛାମୁଆ ସଂଗଠନ, ବୁଦ୍ଧିଜୀବୀ, କୃଷକ, ଶ୍ରମିକ, ମହିଳା, ଛାତ୍ରଛାତ୍ରୀ ଓ ବିଭିନ୍ନ ବିର୍ଗର ବ୍ୟକ୍ତିବିଶେଷ ଅଂଶ ଗ୍ରହଣ କରିବେ। ତେବେ ଧାମନଗର ଉପ-ନିର୍ବାଚନ ପାଇଁ ନଭେମ୍ବର ୧ ଓ ୨ତାରିଖରେ ପଦ ଯାତ୍ରା ବନ୍ଦ ରହିବ। ୩ତାରିଖ ପରେ ଏହି ଯାତ୍ରା ପୁନର୍ବାର ଆରମ୍ଭ ହେବ।

ସେ ଆହୁରିମଧ୍ୟ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଚ୍ଛେଦିନର ପ୍ରତାରଣାରେ ଆଜି ଦେଶ ତଥା ଓଡ଼ିଶାର ଜନସାଧାରଣ ଅତିଷ୍ଠ। ମୋଦୀ ଓ ଆରଏସ୍‌ଏସ୍ ଚାପରେ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକ ଦୁର୍ବଳ ହୋଇ ପଡ଼ିଲେଣି। ବିକାଶ ନାମରେ ଆହ୍ବାନ ଦେଇଥିବା ମୋଦୀ ଗତ ୮ବର୍ଷ ଭିତରେ ଦେଶକୁ ନଷ୍ଟ କରିଛନ୍ତି। ଏଭଳି ପରିସ୍ଥିତିରେ ପରିବର୍ତନ ପାଇଁ ସାଂସଦ ରାହୁଲ ଗାନ୍ଧୀ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିଛନ୍ତି।

ସେହିପରି ରାଜ୍ୟରେ ୨୨ବର୍ଷ ଧରି ଏକ ଦୁର୍ନୀତିଖୋର ଓ ଭ୍ରଷ୍ଟାଚାରୀ ସରକାର ଚାଲିଛି। ବିଜେଡି ଓ ବିଜେପି ଅଲଗା ହୋଇଥିଲେ ବି ସମସ୍ତ ନୀତି ନିଷ୍ପତ୍ତିରେ ଏକାଠି ହୋଇ କାର୍ଯ୍ୟ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନଙ୍କ ଶାସନରେ ଓଡ଼ିଶା ଆଜି ରସାତଳଗାମୀ। ଇତିଶ୍ରୀ, ବେବିନା, ମାଧବୀଲତା, କୁନ୍ଦୁଲୀ ପୀଡ଼ିତା ଓ ମମିତାଙ୍କ ପରିବାର ଆଜି ପର୍ଯ୍ୟନ୍ତ ନ୍ୟାୟ ପାଇପାରିଲେ ନାହିଁ। ତେଣୁ ରାଜ୍ୟର ଏ ପରିସ୍ଥିତିର ପରିବର୍ତନ ପାଇଁ କଂଗ୍ରେସ ସଂକଳ୍ପବଦ୍ଧ ବୋଲି ଶ୍ରୀ ସାଲୁଜା କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଅଧିରାଜ ପାଣିଗ୍ରାହୀ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଓ ସଂଜୟ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର